ଓଡ଼ିଶା

ଜୀବନ ଜୀବିକାର ସୁରକ୍ଷା ପାଇଁ କର୍ପୋରେଟ ଓ ସାମ୍ପ୍ରଦାୟିକ ଫାଶିବାଦୀ ଶକ୍ତିଙ୍କୁ ୨୦୧୯ ନିର୍ବାଚନରେ ପରାସ୍ତ କର

ଅଖିଳ ଭାରତ ଜନମଞ୍ଚ (ଏ.ଆଇ.ପି.ଏଫ୍)ର ଦ୍ୱିତୀୟ ରାଜ୍ୟ ସମ୍ମିଳନୀରେ ଆହ୍ୱାନ

ଭୁବନେଶ୍ୱର, ୨୯.୧୦ (ଓଡ଼ିଆ ପୁଅ) : ୯୯ ଭାଗ ଲୋକଙ୍କ ପାଇଁ ଆମେ ଭାରତ ଚାହୁଁ, କେବଳ ୧ ଭାଗ ଲୋକଙ୍କ ପାଇଁ ଭାରତ ଆମର ଆବଶ୍ୟକ ନାହିଁ। ଜଳ, ଜମି ଓ ଜଙ୍ଗଲ ଉପରେ ଲୋକଙ୍କର ଜୀବନ ଜୀବିକା ଓ ଅଧିକାରକୁ ଛିନ୍ନ କରି କର୍ପୋରେଟ ପୁଞ୍ଜିବାଦୀମାନଙ୍କ ହାତରେ ଟେକିଦେବାର ସର୍ବଗ୍ରାସୀ ଚକ୍ରାନ୍ତ ବିରୋଧରେ ଆଜି ସମସ୍ତ ବାମ ପ୍ରଗତିଶୀଳ ଓ ଗଣତାନ୍ତ୍ରିକ ଶକ୍ତିଙ୍କୁ ଏକାଠି ହେବାର ସମୟ ଉପନୀତ। ସେହି ବିଜେପି ନେତୃତ୍ୱାଧୀନ ଜନବିରୋଧୀ ସାମ୍ପ୍ରଦାୟିକ ଫାଶିବାଦୀ ଶକ୍ତି ତଥା ମୋଦି ସରକାରଙ୍କୁ ଆଗାମୀ ୨୦୧୯ ନିର୍ବାଚନରେ ପରାସ୍ତ କରିବାକୁ ଅଖିଳ ଭାରତ ଜନମଞ୍ଚ ଓଡ଼ିଶାର ଦ୍ୱିତୀୟ ରାଜ୍ୟ ସମ୍ମିଳନୀ ଅବସରରେ ବକ୍ତାମାନେ ଆହ୍ୱାନ ଦେଇଛନ୍ତି।

ମିଛ ପ୍ରତିଶ୍ରୁତିର ସୌଦାଗର ତଥା ମନ୍ କି ବାତ୍ ଭଳି ମିଛର ଭଣ୍ଡାର ଜରିଆରେ ‘ଆଚ୍ଛେଦିନ’ର କୁହେଳିକା ସୃଷ୍ଟି କରୁଥିବା ମୋଦି ସରକାରଙ୍କ ଗୋଟିଏ ପରେ ଗୋଟିଏ ଜନବିରୋଧୀ ନୀତି ଦିନକୁ ଦିନ ପର୍ଦ୍ଦାଫାଶ ହୋଇଚାଲିଛି। ଆକାଶଛୁଆଁ ଦରଦାମ୍ ବୃଦ୍ଧି, ପେଟ୍ରୋଲ ଦର ବୃଦ୍ଧି, କୃଷକ ଆତ୍ମହତ୍ୟା, ମହିଳା ଓ ଶିଶୁକନ୍ୟାମାନଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଅତ୍ୟାଚାର ଓ ଯୌନଶୋଷଣ, ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର, ଭିନ୍ନମତ ଉପରେ ନଗ୍ନ ଆକ୍ରମଣ ଆଜି ଜନଜୀବନକୁ ଦୁର୍ବିସହ କରିଚାଲିଛି। ନିଜର କୁଶାସନ ଓ ଶୋଷଣକୁ ସୁରକ୍ଷା ତଥା ଘଣ୍ଟ ଘୋଡ଼ାଇବାକୁ ଯାଇ ଜାତି, ଧର୍ମ ଓ ଅଞ୍ଚଳ ଭିତ୍ତିରେ ଜାତିଆଣ ଓ ସାମ୍ପ୍ରଦାୟିକ ସଂଘର୍ଷ ଭିତରେ ଜନସାଧାରଣଙ୍କୁ ‘ବଳିର ବୋଦା’ ବନାଇ ଦିଆଯାଉଛି। ରାଫେଲ ଦୁର୍ନୀତି, ବ୍ୟାଙ୍କର ଅନାଦେୟ ଋଣ ଦୁର୍ନୀତି, ବ୍ୟାପମ୍ ଦୁର୍ନୀତି ସହିତ ଲଳିତ ମୋଦି, ନୀରବ ମୋଦି, ବିଜୟ ମାଲ୍ୟା, ମେହୁଲ େଚାକ୍ସି ଭଳି ପୁଞ୍ଜିପତିମାନଙ୍କ ପାଇଁ ଲୁଣ୍ଠନର ଦ୍ୱାର ଖୋଲି ଦିଅଯାଉଥିବା ବେଳେ ସାଧାରଣ ଖଟିଖିଆ ଜନତା ଆଜି ଦୁର୍ନୀତି ଓ ଶୋଷଣ ମଧ୍ୟରେ ତ୍ରାହି ତ୍ରାହି ଡ଼ାକୁଛି। ଏହି ପରିସ୍ଥିତିରେ ଆମ ଗଣତାନ୍ତ୍ରିକ ଅଧିକାର, ସମ୍ବିଧାନ ଓ ସାଂସ୍କୃତିକ ବିବିଧତାର ସୁରକ୍ଷା ପାଇଁ ତଥା ଜଳ, ଜମି ଓ ଜଙ୍ଗଲ ଉପରେ ଲୋକଙ୍କର ନ୍ୟାୟ ସଙ୍ଗତ ଅଧିକାର ପ୍ରତିଷ୍ଠା ପାଇଁ ଏକ ବୃହତ୍ତର ଗଣତାନ୍ତ୍ରିକ ସଂଗ୍ରାମକୁ ଆଗେଇ ନେବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତପୋଷଣ କରିଥିଲେ।

ସମ୍ମିଳନୀର ପ୍ରଥମ ଅଧିବେଶନରେ ୨୦୧୯ ପାଇଁ ଦାବି ପତ୍ର (ସନନ୍ଦ) ଉପରେ ହୋଇଥିବା ଆଲୋଚନାରେ ଅଖିଳ ଭାରତ ଜନମଞ୍ଚର ରାଜ୍ୟ ସଂଯୋଜକ ପଞ୍ଚାନନ ସେନାପତି ସଭାପତିତ୍ୱ କରିଥିବା ବେଳେ ଜାତୀୟ ସଂଯୋଜକ ଗିରିଜା ପାଠକ ସଞ୍ଚାଳନ କରିଥିଲେ। ବିଭିନ୍ନ ଜାତୀୟ ତଥା ରାଜ୍ୟସ୍ତରୀୟ ନେତୃତ୍ୱମାନଙ୍କ ମଧ୍ୟରେ ନାରୀନେତ୍ରୀ କବିତା କ୍ରିଷ୍ଣନ, ପ୍ରଫେସର ବିଜୟ ପ୍ରତାପ, ସାମ୍ବାଦିକ ଭାଷା ସିଂ, ଅମ୍ବରିଶ ରାୟ, ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଭାସ ସାମନ୍ତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ନବ୍ୟ ଉଦାରବାଦ ଓ ପ୍ରାକୃତିକ ସମ୍ପଦ ଉପରେ ଲୋକଙ୍କର ଅଧିକାର ସମ୍ପର୍କରେ ଦ୍ୱିତୀୟ ଅଧିବେଶନର ଆଲୋଚନାରେ ଶ୍ରୀଯୁକ୍ତ ପ୍ରଦୀପ ସାହୁ ସଭାପତିତ୍ୱ କରିଥିବା ବେଳେ ନରେନ୍ଦ୍ର ମହାନ୍ତି ସଞ୍ଚାଳନ କରିଥିଲେ। ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜିବ ଚନ୍ଦ୍ର ହୋତା, ଶ୍ରୀମନ୍ତ ମହାନ୍ତି, ଡଃ ଶ୍ରୀଚରଣ ବେହେରା, ପ୍ରଫେସର ନୀଳମଣି ସାହୁ, ସନ୍ଧ୍ୟାଦେବୀ, ନିୟମଗିରି ସୁରକ୍ଷା ଆନ୍ଦୋଳନର ଲିଙ୍ଗରାଜ ଆଜାଦ୍, ତିରୁପତି ଗମାଙ୍ଗ ଓ ମେନକା କିନ୍ନର ଏହି ଆଲୋଚନାରେ ସେମାନଙ୍କର ମତ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top