ଜୀବନ … ଆହା ଜୀବନ

– ଯୋଗାନନ୍ଦ ସାହୁ

ଚାରଣା ନାଟକୁ ବାରଣା କୀର୍ତ୍ତନ
ଟଙ୍କା ଗୋଟାକର ଜୀବନ,
କ୍ଷୀର ଦି’ଅଣାକୁ ପାଣି ଚଉଦଣା
ଜୀଇଁବ କେମିତି ଜୀବନ ! ।।୦।।

ମୁଁ କଲି ମୁଁ କଲି ବୋଲି କହୁ କହୁ
କଳା ହୋଇଯାଏ ହରଣ,
କି କଲି କି କଲି ବୋଲି କହୁ କହୁ
ଫିମ୍ପି ମାରିଯାଏ ଜୀବନ ! ।।୧।।

ସୁସାରେ ବସିଲେ ସୁଖ ଲାଗେନାହିଁ,
କଳି ମଞ୍ଜି କରେ ରୋପଣ,
ବଢିବାକୁ ଚାରା ବାଆ ପାଣି ଖରା
ଖଞ୍ଜି ଦେଉଥାଏ ଜୀବନ ! ।।୨।।

ତରଙ୍ଗ ତରଙ୍ଗ ମନ ଚଙ୍ଗ ଚଙ୍ଗ
ଛନ ଛନ ସେ କି ଖଞ୍ଜନ,
ସେ କେଉଁ ଖଞ୍ଜନ କିବା ପ୍ରଭଞ୍ଜନ
ଝଡରେ ନଚାଏ ଜୀବନ ! ।।୩।

ସ୍ୱପ୍ନ ଦେଖିବାକୁ ରାତି କେ ପାଉନି,
କାହା ରାତି ସ୍ବପ୍ନବିହୀନ,
କେଉଁ ଉପାଦାନେ ଗଢ଼ା, ସତେ,ଆମେ
କହୁଛେ ଯାହାକୁ ଜୀବନ ! ।।୪।।

ମଝି ନଈରେ ଜହ୍ନ ଓହ୍ଲେଇଛି
ପ୍ରବେଶ ଯେଉଁଠି ପ୍ରସ୍ଥାନ,
ଚହଲା ପାଣିରେ ଦୋହଲି ଯାଉଛି
ଜହ୍ନର ସୁନେଲି ଜୀବନ ! ।।୫।।

ଯୋଗାନନ୍ଦ ହେଲେ ସ୍ୱପ୍ନ ଦେଖୁଥିଲା
ସୁଖରେ ଜିଇଁବ ଜୀବନ,
ସ୍ୱପ୍ନ ଦେଖିବାକୁ ମନା ନାହିଁ, ହେଲେ
ସ୍ୱପ୍ନର କାହିଁ ଜୀବନ ! ।।୬।।

 

ଆକାଶବାଣୀ ଗୀତିକାର
ଜନିକା,
ଡ୍ୟୁପ୍ଲେକ୍ସ ନଂ.୭୩,
କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ
ଜାଗମରା
ଭୁବନେଶ୍ୱର-୭୫୧୦୩୦
ଓଡ଼ିଶା

Leave a Reply

Your email address will not be published. Required fields are marked *