ଓଡ଼ିଶା

ଜୀବନର ଦୋ’ଛକିରେ ରିକ୍ସା ଚାଳକଙ୍କ ଭାଗ୍ୟ

ରାଉରକେଲା ୨୫-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ସହର ଏବେ ସ୍ମାର୍ଟ ସିଟିର ମାନ୍ୟତା ପାଇ ସାରିଥିବା ବେଳେ ସହରର ବିକାଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପରିବହନ ଦୃଷ୍ଟିକୋଣରୁ ବିଚାର କଲେ ଏହାର ବିକାଶ ମଧ୍ୟ ଯଥେଷ୍ଟ ଭାବରେ ସେହି ଅନୁପାତରେ ବୃଦ୍ଧି ପାଇଛି। ଦିନକୁ ଦିନ ସହରରେ ଦୁଇ ଚକିଆ ଓ ଚାରିଚକିଆ ଯାନର ବହୁଳ ବ୍ୟବହାର ବଢିଛି। ସହରରେ ପ୍ରତିଦିନ ହଜାରରୁ ଅଧିକ ଅଟୋ ତଥା ଯାତ୍ରାବାହୀ ଟାଉନବସ ଯାତ୍ରୀ ମାନଙ୍କୁ ପରିବହନ କରିବା ପାଇଁ ପ୍ରତିଦିନ ସହରର ବିଭିନ୍ନ ଅଂଚଳକୁ ଚଳାଚଳ କରୁଛି। ଏସବୁ ପ୍ରତିଯୋଗିତା ମୂଳକ ବଜାରରେ ଯେପରି ହଜି ଯାଇଛି ପାଦଚଲା ରିକ୍ସା। ପ୍ରତିଯୋଗିତାର ଏହି ଦୌଡରେ ରିକ୍ସା ଚାଳକର ଅଂଟା ଏକ ପ୍ରକାର ଭାଙ୍ଗି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କଷ୍ଟମଷ୍ଟେ ଛଅ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ପାଇଁ ସହରର କିଛି ରିକ୍ସା ଚାଳକ ଏବେ ମଧ୍ୟ ଅବିରତ ସଂଗ୍ରାମ ଜାରି ରଖିଛନ୍ତି। ଷାଠିଏ ଦଶକରେ ସହରରେ ଯିବା ଆସିବା କରିବା ଲାଗି ଏକମାତ୍ର ମାଧ୍ୟମ ଓ ଭରସା ଥିଲା ରିକ୍ସା। ସେ ସମୟରେ ସହରରେ ୨୦୦ରୁ ଉର୍ଦ୍ଧ ରିକ୍ସା ଚଳାଚଳ କରୁଥିଲା। ପଡୋଶୀ ଜିଲ୍ଲା ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଆଦି ଅଂଚଳରୁ କିଛି ଲୋକ ଇସ୍ପାତ ସହର ରାଉରକେଲା ଆସି ରିକ୍ସା ଚାଳନା କରି ପରିବାର ପ୍ରତିପୋଷଣ କରୁଥିଲେ। ଏ ରିକ୍ସା ବାଲା… ବୋଲି ଡାକ ମାରିଲେ ଘର ପାଖରେ ମାଲିକ ଲାଗି ରିକ୍ସା ଲଗାଇ ଦେଉଥିଲା ରିକ୍ସା ଚାଳକ। କମ ଭଡା ଯେପରି ୧୦ ଟଙ୍କାରୁ ୨୦ ଟଙ୍କା ମଧ୍ୟରେ ରିକ୍ସାରେ ଯାତାୟତ ସମ୍ଭବପର ହୋଇ ପାରୁଥିଲା। ଷ୍ଟେସନ ଯିବାକୁ ହେଉକି, ସ୍କୁଲ। ବଜାର ଯିବାକୁ ହେଉକି ଦପ୍ତର, ସିନେମା ଯିବାକୁ ହେଉ ଅବା ଡାକ୍ତରଖାନା, ସବୁ ସୁଖଦୁଃଖରେ ସାହରା ପାଲଟିଥିଲା ରିକ୍ସା। ସେ ସମୟରେ ହଜାରରୁ ଉର୍ଦ୍ଧ ରିକ୍ସା ଚାଳକ ପ୍ରତିଦିନ ରାଉରକେଲା ସହରରେ ରିକ୍ସା ଚାଳନ କରି ନିଜର ଜୀବନଜିବିକା ନିର୍ବାହ କରୁଥିଲେ। ମାତ୍ର ସମୟ ବଦଳିବା ସଙ୍ଗେ ସଙ୍ଗେ ରିକ୍ସାର ଚାହିଦା କମିବାକୁ ଲାଗିଲା। ରିକ୍ସା ବଦଳରେ ସ୍ଥାନ ପାଇଲା ମୋଟର ଚାଳିତ ଅଟୋ ରିକ୍ସା। ଖୁବ ଅଳ୍ପ ସମୟ ମଧ୍ୟରେ ଯାତ୍ରୀ ଅଟୋରେ ନିଜ ଗନ୍ତ୍ୟବ ସ୍ଥଳରେ ପହଂଚି ପାରିଲେ। ଧିରେ ଧିରେ ରିକ୍ସାର ଗୁରୁତ୍ୱ କମିବାରେ ଲାଗିଲା। ଏହା ଦ୍ୱାରା ସହରର ବହୁ ରିକ୍ସା ଚାଳକ ପ୍ରଭାବିତ ହୋଇ ନିଜ ରିକ୍ସାକୁ ବିକ୍ରି କରି ଅନ୍ୟାନ କାମଧନ୍ଦା କରିବାକୁ ଲାଗିଲେ। ରାଉରକେଲା ସହରର ଗୋପବନ୍ଧୁପାଲ୍ଲୀ ଅଂଚଳରେ ରହୁଥିବା କରିମ ଶାହା ଦୀର୍ଘ ୪୦ ବର୍ଷ ହେଲା ରିକ୍ସା ଚାଳନା କରୁଛନ୍ତି। ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ରିକ୍ସା ଚାଳନା କରି ଦିନକୁ ୨୦୦ ଟଙ୍କା ରୋଜଗାର ହୋଇ ପାରୁଥିଲା। ମାତ୍ର ଏବେ ୫୦ ଟଙ୍କା ଆୟ ହେବା ମୁସ୍କିଲ ବେପାର ହୋଇ ପଡୁଛି। ହେଲେ ପେଟ ଚାଖଣ୍ଡକ ପାଇଁ ସେ ଏବେ ମଧ୍ୟ ରିକ୍ସା ଚାଳନା କରୁଛନ୍ତି। ସେହିପରି ଦକ୍ଷିଣ ରାଉରକେଲା ଜଲଦା ଅଂଚଳରେ ରହୁଥିବା ଜଣେ ୬୦ ବର୍ଷୀୟ ବ୍ୟକ୍ତି ସତୁରୀ ଦଶକରେ ରାଉରକେଲାରେ ରିକ୍ସା ଚାଳନା କରୁଥିଲେ। ସେତେବେଳେ ଜଲଦାରୁ ଷ୍ଟେସନକୁ ଜଣେ ରିକ୍ସାରେ ଗଲେ ୨୦ ଟଙ୍କା ଭଡା ଦେବାକୁ ପଡୁଥିଲା। କାଳକ୍ରମେ ରିକ୍ସା ବେପାର ମାନ୍ଦା ପଡିବାରୁ ସେ ରିକ୍ସା ଚାଳନା ବନ୍ଦ କରି ଚାଷବାସ ପ୍ରତି ଧ୍ୟାନ ଦେଲେ ବୋଲି ପ୍ରକାଶ କରିଥିଲେ। ସହରର କେତେକ ରିକ୍ସା ଚାଳକ ଯାତ୍ରୀ ଅଭାବରୁ ବିଭିନ୍ନ ଲଗେଜ, ଦୋକାନ ସାମଗ୍ରୀ, କୋରିୟର ସାମଗ୍ରୀ ରିକ୍ସାରେ ପରିବହନ କରି ଦୁଇ ପଇସା ରୋଜଗାର କରୁଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଆଜି ଯାଏ ରିକ୍ସା ଚାଳକଙ୍କ ଏଭଳି ଦୟନୀୟ ଅବସ୍ଥା ପ୍ରତି ଦୃଷ୍ଟି ଦିଆଯାଇ ନାହିଁ କି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଜୀବନର ଦୋ’ ଛକିରେ ଅଟକି ଯାଇଛି ରିକ୍ସା ଚାଳକଙ୍କ ଭାଗ୍ୟ। କେବଳ ଭଗବାନ ଭରସାରେ ଦିନ କାଟୁଛନ୍ତି ସହରର ରିକ୍ସା ଚାଳକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top