ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଉଦଯାପିତ

କେନ୍ଦ୍ରାପଡା ୧୩/୧୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )– ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଉଦଯାପନି ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବୈଷ୍ଣବ ଚରଣ ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ସ୍ୱଳ୍ପ ସଂଚୟ ଅଧିକାରୀ କରୁଣାକର ଦାସ ମୁଖ୍ୟବକ୍ତା ଓ ବିଶିଷ୍ଟ ନୃତ୍ୟଗୁରୁ ତଥା ନାଟୟ ନିର୍ଦ୍ଦେଶକ ଚୈତନ୍ୟ ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅନୁଷ୍ଠିତ ପ୍ରତିଯୋଗିତାର ତବଲାରେ ସନ୍ତୋଷ କୁମାର ନାୟକ, ବକ୍ତୃତାରେ ସାନିଆ ହନସଟ, ଓଡିଶୀ ନୃତ୍ୟରେ ଲକ୍ଷ୍ମୀପ୍ରିୟା ବେହୁରା, ମଣୀପୁରି ନ୍ୃତ୍ୟରେ ସୁଶ୍ରୀ ସୁଦିପ୍ତା କର, ହାରମୋନିୟମରେ ଭାସ୍କର ଚନ୍ଦ୍ର ବେହେରା, ଲୋକନୃତ୍ୟରେ ଗରଦପୁର ପଲ୍ଲିଶ୍ରୀ ମହିଳା ସମିତି, ଲୋକଗୀତରେ ପଟ୍ଟାମୁଣ୍ଡାଇ କସ୍ତୁରୀ କଳା ନିକେତନ ଓ ଏକାଙ୍କିକାରେ କଳିଙ୍ଗ ଯୁବ କ୍ଲବ ପ୍ରଭୃତି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମସ୍ତ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଚଳିତମାସ ୨୭ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦେବଗଡଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପାଣିଗ୍ରାହୀ ସ୍ୱଚନା ଦେଇଛନ୍ତି। ଯୋଗବିଦ୍ୟା ବାଚସ୍ପତି ଡଃ ରମାକାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *