କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇଥିଲା। ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଛାୟତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେର୍ଶକ ଦିଲ୍ଲୀପ କୁମାର ପରିଡା, ଉପଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧିର, ସାଧାରଣ ଓ ବିବିଧ ଉପ ବିଭାଗର ସହକାରୀ ଜିଲ୍ଲାପାଳ ଭରତ ଚନ୍ଦ୍ର ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ। ମୋଟ ୮୪ଟି ଅଭିଯୋଗ ମଧ୍ୟରୁ ୮୧ଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ରାସନକାର୍ଡ ପ୍ରଦାନ, ଚିକିତ୍ସା ପାଇଁ ଆର୍ଥିକ ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଶିକ୍ଷକ ନିଯୁକ୍ତି, ଜମିଜମା ମାମଲା, ଶୀତବସ୍ତ୍ର ପ୍ରଦାନ, ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ, ଘରପୋଡି ସହାୟତା, ରଟ୍ଟପଙ୍ଗା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ଇତ୍ୟାଦି ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଥିବା ବେଳେ ୩ଟି ସମୁହ ଅଭିଯୋଗ ମଧ୍ୟରେ ବାରୋ ଗ୍ରାମରେ ଜମିପଟ୍ଟା ଯୋଗାଣ, ଅନୋଳି, ଚନ୍ଦନ ନଗର ଠାରେ ଇନ୍ଦିରା ଆବାସ ଯୋଗାଇବା ଏବଂ ଗଙ୍ଗାରାମପୁର ଗ୍ରାମରେ କେତେକ ଅସାମାଜିକ ଲୋକଙ୍କ ଦ୍ୱାରା ଗ୍ରାମରେ ଉନ୍ମତକାଣ୍ଡ ଘଟାଇବା ଘଟଣାରେ ପୋଲିସର ଉଦାସିନତା ବିରୋଧରେ ଅଭିଯୋଗ ଆସିଥିଲା।
