ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

କେନ୍ଦ୍ରାପଡା ୧୧/୪(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ସ୍ଥାନୀୟ ଟାଉନ ହଲ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଶକ୍ତି, ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ୨୦୦୮ ମସିହାରେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠିତ ହୋଇଥିଲା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା୨୨ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କର ସାମାଜିକ ଓ ଶ୍ରମ କ୍ଷେତ୍ରରେ ବିକାଶ ପାଇଁ ଆର୍ଥକ ସହାୟତା ଯୋଗଇ ଦିଆଯାଇଛି। ଶ୍ରମିକ ମାନଙ୍କ ସୁରକ୍ଷା ଓ ଆର୍ଥିକ ବିକାଶରେ ଭାରତ ବର୍ଷରେ ଓଡିଶା ଏକ ଆଦର୍ଶ ରାଜ୍ୟ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂ ପ୍ରକାଶ କରିଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ନିୟମ ପରିବର୍ତ୍ତନ କରି ୩ ବର୍ଷ ପରିବର୍ତ୍ତେ ଏକ ବର୍ଷ ନିର୍ମାଣ ଶ୍ରମିକ ପଞ୍ଜିକରଣ କରିପାରିବେ ଯାହା ଫଳରେ କି ପକ୍କା ଗୃହ ପାଇବା ସହିତ ଅନେକ ସୁବିଧା ସୁଯୋଗ ସେମାନଙ୍କୁ ଯୋଗଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବ୍ଲକ ସ୍ତରରେ ଅଧିକାରୀ ନିଯୁକ୍ତ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ୪ ବର୍ଷ ମଧ୍ୟରେ ୧୧ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୮ ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପ୍ରସବ ପାଇଁ ନିର୍ମାଣ ଶ୍ରମିକ ମାଆ ମାନଙ୍କୁ ମମତା ଯୋଜନାରେ ୫ ହଜାର ଟଙ୍କା ସହ ଆଉ ୧୦ ହଜାର ଏହିପରି ମୋଟ ୧୫ ହଜାର ଟଙ୍କା ୨ଟି ପିଲା ଜନ୍ମ ପାଇଁ ଯୋଗଇ ଦିଆଯିବ। କେନ୍ଦ୍ରାପଡା ଜିଲ୍ଲାରେ ୧ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ କରାଯିବ ବୋଲି ସେ କହିଥିଲେ। ଏହି ସଭାରେ ମହାକାଳପଡାର ବିଧାୟକ ଅତନୁସାବ୍ୟସାଚୀ ନାୟକ, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ, କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, କେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡା, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପଞ୍ଜିକୃତ ନିର୍ମାଣ ଶ୍ରମିକ ପରିବାରର ମେଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ସହକାରୀ ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରମିକ ଓ ଶ୍ରମିକ ନେତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *