ଜିଲ୍ଲା ଲୋକ ମହୋତ୍ସବ ଚଇତି ଉଦଘାଟିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହେଲେ ଜନତା

ରାୟଗଡ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୭.୧୨ – ରାୟଗଡର ଲୋକ ମହୋତ୍ସବ ଚଇତି ୨୦୧୭ ମଙ୍ଗଳବାର ସନ୍ଧ୍ୟାରେ ଗୋବିନ୍ଦ ଚନ୍ଦ୍ର ଦେବ ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି। ଚଇତି ମହୋତ୍ସବ ଓ ପଲ୍ଲଶ୍ରୀ ମେଳାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଉଦଘାଟନ କରିଛନ୍ତି। ସମବେତ ଉପସ୍ଥିତ ଜନସାଧାରଣକୁ ଉଦବୋଧନ ଦେଇ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ ଯେ ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ବାହାକ ହୋଇପାରିଛି ଲୋକ ମହୋତ୍ସବ ଚଇତି। ଗୋଟିଏ ମଂଚରେ ଜିଲ୍ଲ, ରାଜ୍ୟ ତଥା ରାଜ୍ୟ ବାହାର ର କଳାକାରଙ୍କ ସଙ୍ଗମ ହୋଇଛି। ଜିଲ୍ଲାର ଲୁକ୍କାୟିତ କଳା, ସଂସ୍କୃତି ଓ କଳାକାରଙ୍କୁ ନୂଆ ପରିଚୟ ଦେବା ଦିଗରେ ମଧ୍ୟ ସଫଳ ହୋଇଛି। ଆଦିବାସୀଙ୍କର କଳା, ସଂସ୍କୃତିର ପ୍ରସାର ପାଇଁ ଜିଲ୍ଲା ସଂସ୍ୃତି ପରିଷଦ ଓ ପ୍ରଶାସନ ଉଦ୍ୟମ ଜାରୀ ରଖିଛି। ଡଙ୍ଗରିଆ କନ୍ଧ ପାରମ୍ପାରିକ ଚାଦର ଓ ଲାଂଜିଆ ସୌରାଙ୍କ ଇଡତାଲ ଚିତ୍ରଲିପି କୁ ରାଜ୍ୟ ତଥା ଦେଶ ବାହାରେ ବଜାର ସୃଷ୍ଟି କରିବାକୁ ପ୍ରୟାସ ଚାଲିଛି। ଏହି ପାରମ୍ପରିକ କଳା ଓ ପରମ୍ପରା ସହ ନୂଆ ପିଢିକୁ ଯୋଡିବା ନିମନ୍ତେ ସ୍ୱତନ୍ତ୍ର କର୍ମଶାଳା ଯୋଜନା କରାଯାଇଛି ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ।

ଅପରାହ୍ନ ୩ ଟା ବେଳେ ଆନୁଷ୍ଠନିକ ଭାବେ ସ୍ଥାନୀୟ ମା ମଝିଘରିଆଣୀ ଙ୍କ ମନ୍ଦିର ରୁ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଆଣି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଏସ.ପି ରାହୁଲ ପି.ଆର, ପୌରା ଅଧ୍ୟକ୍ଷା ଭି. ଗୌରୀ ଜୟନ୍ତି, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୟା ମାଝୀ କଳସ ଓ ମଶାଲ ନେଇ ଶୋଭାଯାତ୍ରାରେ ବାହାରିଥିଲେ। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଂଚି ପୂଜର୍ଚ୍ଚନା କରିଥିଲେ। ଶୋଭାଯାତ୍ରାରେ ପାରମ୍ପାରିକ ବାଦ୍ୟ, ବାଜଣା, କାଶିପୁର ର ଢେମସା ନୃତ୍ୟ, ଡଙ୍ଗରିଆ କନ୍ଧ ନୃତ୍ୟ, ଗୁଣପୁରର ଆଦିବାସୀ ନୃତ୍ୟ, ପଦ୍ମପୁରର ଘୁମୁରା, ଖୋର୍ଦ୍ଦା ମା ମଙ୍ଗଳା ପାଇକ ଆଖତା, ପଶୁମୁଖା ନୃତ୍ୟ, ସଂକୀର୍ତନ ଦଳ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବାଦ୍ୟ ବାଜଣା ରେ ବିରାଟ ଶୋଭାଯାତ୍ରାରେ ଜି.ସି.ଡି ପଡିଆ ଠାରେ ମଶାଲ ଓ ଆଜ୍ଞାମାଳା ନେଇ ମଣ୍ଡପରେ ସ୍ଥାପନ କରିଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ଚଇତି କଳସ କୁ ସ୍ଥାନିତ କରାଯାଇଥିଲା। ଶୋଭାଯାତ୍ରାରେ ପ୍ରାୟ ୧୦ ହଜାର ଲୋକଙ୍କ ସମାବେଶ ହୋଇଥିଲା। ଚଇତି ମଣ୍ଡପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଇତି ମଣ୍ଡପ ଦୁଲୁକିଥିଲା। ନେପାଳ କାଠମୁଣ୍ଡ ର କଳାକାର ନୋରୀ ଲୋକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନମୁଗଧ କରିଥିଲା। କୋଲକତାର କଥକ, ଭୁବନେଶ୍ୱରର ଦେବଜିତି ବିଶ୍ୱାଳ ଓ ଦେବଜତିଙ୍କ ଓଡିଶୀ ନୃତ୍ୟ, ପାର୍ସଲିର ଡଙ୍ଗରିଆ କନ୍ଧ, ଖୋର୍ଦ୍ଧାର ପାଇକ ଆଖଡା, ଗଂଜାମର ଜଡି ଶଙ୍ଖ, ପାଟପୁରର ଘୋଡା ନାଚ, କେନ୍ଦ୍ରପଡାର କୃଷ୍ଣ ଲୀଳା, କଳାହାଣ୍ଡିର ପଂଚରଙ୍ଗି, ବିଷମକଟକ ର ଆଦିବାସୀ ନୃତ୍ୟ, କାଶିପୁରର ଢେମସା ନୃତ୍ୟ ଦର୍ଶକ ମାନଙ୍କୁ ଶେଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବାନ୍ଧି ରଖିଥିଲା। ଉଦଘାଟନ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଭିନେତା ପୁପିନ୍ଦର ସିଂ ଏବଂ ମିନାକ୍ଷୀ ଧିର ସଂଯୋଜନା କରିଥିଲେ।
ପଲ୍ଲ୍ୀଶ୍ରୀ ମେଳା ଜରିଆରେ ଜିଲ୍ଲା ଓ ଜିଲ୍ଲା ବାହାରୁ ସ୍ୱୟଂସହାୟକ ଗୋଷ୍ଠୀ କ୍ଷୁଦ୍ର ବ୍ୟବସାୟୀ, ହସ୍ତଶିଳ୍ପୀ ନିଜ ପାରିଦର୍ଶିତା ଦେଖାଇବା ପାଇଁ ଭିତିଭୂମି ପାଇବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି। ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ସାଧାରଣଙ୍କୁ ଓ ସଚେତନ କରିବାକୁ ଚେଷ୍ଟା କରାଯାଇଛି। ତେଣୁ ଏହି ଚଇତି ମହୋତ୍ସବରେ ଲୋକ ମାନେ ନିଜକୁ ସାମିଲ କରି ପ୍ରଶାସନକୁ ସହେଯାଗ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର, ଗୁଣପୁର ଉପଜିଲ୍ଲାପାଳ ଅମ୍ରତି ରୁତୁରାଜ, ରାୟଗଡା ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ପି.ଡି, ଡି.ଆର.ଡି.ଏ ମଧୁସୂଦନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ୫ ଦିନ ଚଇତିର ସଫଳତା ନିମନ୍ତେ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗଦେଇ ଚଇତି ଅବସରରେ ସମସ୍ତଙ୍କୁ ଶୁଭେଛା ଜଣାଇ ଉତ୍ସବର ସଫଳତା କାମନା କରିଥିଲେ।

ଚଇତି ଦ୍ୱିତୀୟ ସନ୍ଧ୍ୟା
ଓଲିଉଡ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିଲା।

ଚଇତି ର ଦ୍ୱିତୀୟ ସନ୍ଧ୍ୟାରେ ଚଇତି ମହୋତ୍ସବ କୁ ଉପଭୋଗ କରିବାକୁ ପ୍ରବଳ ଭିଡ ଜମିଥିଲା। ମା ମଝିଘରିଆଣିୀ ଏବଂ ଜଗନ୍ନାଥ, ବଳଭଦ, ଦେବୀ ସୁଭଦ୍ରା ଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆଜାଦ ହିନ୍ଦ ୟୁଥ ଆସୋସିଏସନର କଳାକାର ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ପଂଚବଟୀ ପୁସ୍ତକର ସଂପାଦକ ସ୍ୱାଗତ ଭାଷଣ ପରିବେଷଣ କରିଥିଲେ। କୃଷି ବିଜ୍ଞାନୀ ଡାଭେଲ ଦେବ, ପି.ଏ, ଆଇ.ଟି.ଡି.ଏ ରାୟଗଡା ମୁରଲିଧର ସ୍ୱାଇଁ, ପି.ଏ, ଆଇ.ଟି.ଡି.ଏ ଗୁଣପୁର ଗୋରାଚାନ୍ଦ ଗମାଙ୍ଗ, ଏସ.ଡି.ପି.ଓ ଗୁଣପୁର ଅନନ୍ତଚରଣ ଅଶ୍ୱିନୀ ନାୟକ, ଏସ.ଡି.ପି.ଓ ମୁନିଗୁଡା ଅନନ୍ତଚରଣ ମଲ୍ଲିକ ପ୍ରମୁଖ ଅତିଥିରୂପେ ଯୋଗ ଦେଇ ମଂଚାସୀନ ଥିଲେ। ପରବର୍ତି ସମୟରେ ରାଜ୍ୟସଭା ସଂସାଦ ଏନ.ଭାସ୍କର ରାଓ, ରାୟଗଡା ବିଧାୟକ ଲାଲବିହାରୀ ହିମିରିକା, ବିଷମ କଟକ ବିଧାୟକ ଜଗନ୍ନାଥ ସାରକା ଚଇତି ମହୋତ୍ସବ ରେ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଦୂର ଦିଲ୍ଲୀରୁ ଆସିଥିବା ଅତସୀ ମିଶ୍ର ଏବଂ ତାଙ୍କ କଳାକାର ମାନଙ୍କ ଦ୍ୱାରା ପରିବେଷିତ ଓଡଶୀ ନୃତ୍ୟ ସମସ୍ତଙ୍କୁ ମୁଗଧ କରିଦେଇଥିଲା। କଲକତାରୁ ଆସିଥିବା ଗୌତମ ଘୋସାଲଙ୍କ ଦ୍ୱାରା କଥକଳୀ ନୃତ୍ୟ ପରିବେଷଣ କରାଯାଇଥିଲା। କାଠମାଣ୍ଡୁରୁ ଆସିଥିବା କଛେଯାଗିନୀ ନୃତ୍ୟ ସମସ୍ତଙ୍କୁ ବିଭୋର କରିଦେଇଥିଲା। ଜେ.କେ.ପୁର ସ୍ଥିତ ଜ୍ଞାନବର୍ଦ୍ଧନୀର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ଦେଶମାତ୍ମକବୋଧ ସଙ୍ଗୀତ ତାଳରେ ନୃତ୍ୟ କରିଥିଲେ। ପରେ ପୁରୀରୁ ଆସିଥିବା ଗୋଟିପୁଅ ନୃତ୍ୟ କାଶୀପୁର ବିଲାମାଳରୁ ଆସିଥିବା ଢେମସା ନୃତ୍ୟ ପ୍ରଭୃତି ପରିବେଷଣ ହୋଇଥିଲା।

ଏ ସବୁ ସତ୍ୱ ଦର୍ଶକ ମାନଙ୍କର ଅପେକ୍ଷାର ଅନ୍ତ ଘଟିଲା ଯାହାକୁ ସମସ୍ତେ ଅପେକ୍ଷା କରିଥିଲେ ମଂଚରେ ସେ ଦୁହେଁ ଦେଖାଗଲେ। ସବ୍ୟସାଚୀ ଏବଂ ଅର୍ଚ୍ଚିତ ଦେଖିବା ପାଇଁ ହଜାର ହଜାର ଦର୍ଶକ ଅପେକ୍ଷାରତ ଥିଲେ। ସବ୍ୟସାଚୀ ଉଭୟ ଓଡିଆ ଏବଂ ତେଲୁଗୁ ଭାଷାରେ ନିଜ ଡାଇଲଗ ଏବଂ ସଂଗୀତ ଗାନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେହିପରୁ ଅର୍ଚ୍ଚିତ ଓଡିଶା ସିନେମାର ଡାଇଲଗ ଏବଂ ସଂଗୀତ ଗାନ କରିଥିଲେ।

ପାରମ୍ପରିକ ବିହନ ଉପରେ ଗବେଷଣା କରିଆସୁଥିବା ବରିଷ୍ଠ କୃଷି ବୈଜ୍ଞାନିକ ଡାଭେଲ ଦେବ ଙ୍କୁ ଜିଲ୍ଲାପାଳ ଗୁହ ପୁନମ ତାପସ କୁମାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ମାନପତ୍ର ଏବଂ ଉପେଢୌକନ ଦେଇ ସମ୍ମାନିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଭିନେତା ପୁପିନ୍ଦର ସିଂ ଏବଂ ମିନାକ୍ଷୀ ଧିର ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *