ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଜିଲ୍ଳା ପୁଲିସର ବ୍ୟବହାର ଦିନକୁ ଦିନ ଅସହ୍ୟ ହେଉଛି। ଅତୀତରେ ଭଦ୍ରକରେ ଘଟିଥିବା ଦଙ୍ଗା ପରବର୍ତ୍ତୀ ସମୟରେ ଜିଲ୍ଲାର କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ବ୍ୟବହାରରେ ବହୁ ପରିବର୍ତ୍ତନ ଘଟିଛି। ପୁଲିସ କର୍ମଚାରୀମାନେ ଥାନାକୁ ଯାଉଥିବା ଲୋକଙ୍କୁ ଅତି ରୁକ୍ଷ ଓ ପ୍ରତିଶୋଧ ପରାୟଣ ବ୍ୟବହାର କରୁଛନ୍ତି। ଯାହା ପାଇଁ ସାଧାରଣ ଲୋକଟିଏ ଥାନାକୁ ଯିବା ପାଇଁ ହେଲେ ନେତାଙ୍କ ସାହାରା ନେଉଛି। ଏହାର ପରିବର୍ତ୍ତନ ହେବା ନିତାନ୍ତ ଜରୁରୀ ହେବା ଦାବି ସହିତ ଆଉ କେତେକ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା ଜିଲ୍ଳା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଏସପି ବି. ଗଙ୍ଗାଧରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ମହାନ୍ତି ଦାବିପତ୍ରରେ ଅଭିଯୋଗ କରିଛନ୍ତି ଯେ ନିକଟରେ ୧୬ ନଂ ଜାତୀୟ ରାଜପଥର ରାଣୀତାଲ ରାହାଞ୍ଜ ନିକଟରେ ଟ୍ରକ ଚାପାରେ ୫ଟି ପିଲାଙ୍କ ଜୀବନ ହାନୀ ଘଟିବା ପରେ କନ୍ୟହରା ପିତା ଦୁର୍ଯେ୍ୟାଧନ ଜେନାଙ୍କ ଅଭିଯୋଗ ମୂଳେ ଗ୍ରାମାଞ୍ଚଳ ଥାନାରେ କେସ ରୁଜ ହେଲା। ମାତ୍ର ପୁଲିସ ପକ୍ଷରୁ ଡ୍ରାଇଭରଙ୍କ ବିରୁଧ୍ୟରେ ଲଗାଯାଇଥିବା ଦଫାକୁ କୋହଳ କରାଯାଇଥିବାରୁ ଡ୍ରାଇଭର ଅନାୟାସରେ ଜାମିନ ପାଇପାରିଲା। ଭଦ୍ରକ ଟାଉନ ପୁଲିସ ନିୟମିତ ବାଇକ୍ ଚେକିଂ କରୁଛି। ଯାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ। ମାତ୍ର ଚେକିଂ ନାମରେ ପୁଲିସ କର୍ମଚାରୀଙ୍କ ସାଧାରଣ ଲୋକଙ୍କ ପ୍ରତି ରୁକ୍ଷ ବ୍ୟବହାର ଅତ୍ୟନ୍ତ ଅସହ୍ୟ। ଜାଣି ଜାଣି ଚେକିଂ ନାମରେ ଲୋକଙ୍କୁ ଅଧିକରୁ ଅଧିକ ସମୟ ଅଟକାଇ ରଖାଯାଉଛି। ଜଣେ ଲୋକ ମାର୍କେଟିଂ ପାଇଁ ଆସି ବାରମ୍ବାର ଚେକିଂ ଆଳରେ ଅଟକି ରହୁଛି। ଯାହା ପାଇଁ ମେଡିକାଲ କ୍ଷେତ୍ରରେ ହେଉ କି କୌଣସି ଅତ୍ୟାବଶ୍ୟକ ସମୟରେ ବିଳମ୍ବ ଜନିତ ବହୁ କ୍ଷତି ସହବାକୁ ପଡୁଛି। ଚେିକଂ କରୁଥବା ଅଫିସର, କର୍ମଚାରୀଙ୍କୁ ନିୟମିତ ପରିବର୍ତ୍ତନ କରାଯିବା ସହିତ ସେମାନଙ୍କ ବ୍ୟବହାର ଉପରେ ଧ୍ୟାନ ଦେବାକୁ ଅଭିଯୋଗପତ୍ରରେ ଦାବି କରିଛନ୍ତି। ଭଦ୍ରକରେ ଟ୍ରାଫିକ ବ୍ୟବସ୍ଥା ଅତ୍ୟନ୍ତ ନିମ୍ନ ମାନର। ପୁଣି ସହରରେ ପାର୍କିଂ ବ୍ୟବସ୍ଥା ମଧ୍ୟ ଆଦୌ ନାହିଁ। ଏପରି ସ୍ଥଳେ ପିଲା ଛୁଆଙ୍କୁ ନେଇ ମାର୍କେଟିଂ ପାଇଁ ଆସୁଥିବା ଲୋକଙ୍କୁ ପାର୍କିଂ ନିମନ୍ତେ ସଚେତନତା ସୃଷ୍ଟି କରାଯିବା ସହିତ ସେମାନଙ୍କ ଗାଡିକୁ କିପରି ସୁରକ୍ଷିତ ସ୍ଥାନରେ ରଖି ପାରିବେ ସେ ନେଇ ସହନଶୀଳ ବ୍ୟବହାରରେ ନ କହି ଟ୍ରାଫିକ ଡ୍ୟୁଟିରେ ରହୁଥିବା କର୍ମଚାରୀ ଗାଡି ଟାଣି ପକାଇବା, ଗାଡିକୁ ଜବରଦସ୍ତ ଥାନାକୁ ନେଇ ଯାଇ ଅଯଥାରେ ଲୋକଙ୍କୁ ହଇରାଣ କରାଯାଉଛି। ଅଥଚ ଯେଉଁ ସ୍ଥାନରେ ବାସ୍ତବିକ ଟ୍ରାଫିକ ଜାମ ହେଉଛି, ସେଠି ଟ୍ରାଫିକ୍ କ୍ଲିୟର କରିବା ପରିବର୍ତ୍ତେ ବେଶ୍ ବଟି ଆଦାୟ କରାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଏବଂ ପୁରୁଣାବଜାର ଥାନା ଅଞ୍ଚଳରେ ବ୍ୟାପକ ଚୋରା ମଦ, ଗଞ୍ଜେଇ ଓ ଡ୍ରଗ୍ସ ବ୍ୟବସାୟ ଚାଲିଛି। ଯାହା ପୁଲିସର ସମ୍ପୂର୍ଣ୍ଣ ଜ୍ଞାତସାରରେ ହେଉଛି। ଏହି ଅଞ୍ଚଳରେ ଘଟୁଥିବା ଗଣ୍ଡଗୋଳ ପାଇଁ ଏକା ଏକ ମୁଖ୍ୟ କାରଣ। ଏହାକୁ ତୁରନ୍ତ ବନ୍ଦ କରାଯିବାକୁ ଦାବିକରି ଶ୍ରୀ ମହାନ୍ତିଙ୍କ ସହିତ ଭଦ୍ରକ ବ୍ଳକ କଂଗ୍ରେସ ସଭାପତି ପ୍ରଫୁଲ୍ଲ କୁମାର ସାମଲ, କାଉନସିଲର ସେକ୍ ସମଦାନୀ, ଅତୁଲ୍ୟ ନାୟକ, ଅସରଫ୍ ଅଲ୍ଲୀ ଖାଁ, ସେକ୍ ଜାମିଲ, ସେକ୍ ଗୁଲାମ ମହମ୍ମଦ, ରଂଜନ କୁମାର ଜେନା, ରାଜୀବ ଲୋଚନ ନାୟକ, ନିରଞ୍ଜନ ମଲ୍ଲିକ, ପୀତବାସ ଧଳ, ବଳରାମ ରାଉତ (ଚିଲିକା) ହେମନ୍ତ ମହାପାତ୍ର ପ୍ରମୁଖ ସାମିଲ ଥିଲେ।
