ଜିଲ୍ଲା କଂଗ୍ରେସ ସଭାପତି ମୁକୁଟ କାହା ମଥାରେ! ଅନନ୍ତ ଓ ନରେନ୍ ଙ୍କ ପରେ ଯୁବନେତା ନଳିନୀ ମହାନ୍ତିଙ୍କ ନାମକୁ ନେଇ ଚର୍ଚ୍ଚା

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପିସିସି ମୁଖ୍ୟ ଭାବେ ନିରଂଜନ ପଟ୍ଟନାୟକ କଂଗ୍ରେସର ମଙ୍ଗ ଧରିବା ପରେ ଭଦ୍ରକରେ ବିପର୍ଯ୍ୟସ୍ତ ହୋଇପଡିଥିବା କଂଗ୍ରେସ ପୁଣି ଥରେ ଯୋଡି ହୋଇଯାଇଛି। ଯାହାର ନଜିର ଦେଖିବାକୁ ମିଳିଥିବା ଗତକାଲି ବୁଧବାର ଅନୁଷ୍ଠିତ ହୋଇଥିବା ଜିଲ୍ଲା କଂଗ୍ରେସର ପରବିର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ। ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚୀରଂଜୀବୀ ବିଶ୍ୱାଳ ଓ ସାଂଗଠନିକ ଦାୟିତ୍ୱରେ ଥିବା ରୁଦ୍ର ରାଜୁ ଏଥିରେ ଯୋଗଦେଇ ସମସ୍ତ ନେତାଙ୍କୁ ଲକ୍ଷ୍ମଣ ରେଖା ଦେଖାଇଛନ୍ତି। ସତର୍କ କରିଛନ୍ତି ସୀମା ନଟପିବା ପାଇଁ। ପୂର୍ବରୁ ଉକ୍ତ ବୈଠକ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଐକ୍ୟବଦ୍ଧ ହୋଇ ସଫଳ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହି ବୈଠକ ଉପରେ ଦଳର ସମସ୍ତ ନେତା, କର୍ମୀ ଏପରିକି ବିରୋଧୀ ଦଳଙ୍କ ନଜର ରହିଛି। କାରଣ ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ବିଗତ ବର୍ଷମାନଙ୍କରେ ଏକାଧିକ ଗୋଷ୍ଠିରେ ବିଭାଜିତ କଂଗ୍ରେସ ଜିଲ୍ଲାସ୍ତରରେ ନେତୃତ୍ୱ ପରିବର୍ତ୍ତନ ହୋଇ ଆସିଛି। ଏବେ ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ଇତିହାସର ପୁନରାବୃତ୍ତି ହେବକି ବୋଲି କଂଗ୍ରେସ କର୍ମୀମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି। କାର୍ଯ୍ୟକାରୀ ସଭାପତ ଶ୍ରୀ ବିଶ୍ୱାଳଙ୍କୁ ଜିଲ୍ଲା ଓ ଜିଲ୍ଲାର ରାଜ୍ୟକମିଟି ସଦସ୍ରମାନେ ବ୍ୟକ୍ତିଗତ ଭାବରେ ଜରଜର କରି ସାକ୍ଷାତ କରିଛନ୍ତି। ଜିଲ୍ଲା ସଭାପତି ପଦବୀ ସମେତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମତାମତ ନେଇଛନ୍ତି। ଏଠାରୁ ଫେରି ଶ୍ରୀ ବିଶ୍ୱାଳ ତାଙ୍କ ରିପୋର୍ଟ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିବେ। ଖୁବ ଶୀଘ୍ର ଜଣାପଡ଼ିବ ଜିଲ୍ଲା ସଭାପତି ପଦବୀରେ ନରେନ ପଲେଇ ପୂର୍ବପରି ରହିବେ ନା ଅନ୍ୟ କୌଣସି ନେତା ଏହି ପଦବୀ ଅଳଙ୍କୃତ କରିବେ। ତେଣୁ ଜିଲ୍ଲା ସଭାପତି ପଦବୀକୁ ନେଇ ଆରମ୍ଭ ହୋଇଯାଇଛି ଅବଗଣନା। ତେବେ ଦଳୀୟ ସୂତ୍ରରୁ ଯାହା ଶୁଣିବାକୁ ମିଳିଛି ଜିଲ୍ଲା ସଭାପତି ଚୟନ କ୍ଷେତ୍ରରେ ଦଳ ପ୍ରତି ଆନୁଗତ୍ୟ, ପ୍ରାର୍ଥୀଙ୍କ ଯୋଗ୍ୟତା, ଦକ୍ଷତା, ବିଚାରକୁ ନିଆଯିବ। ସାଧାରଣ ନିର୍ବାଚନ ବହୁତ କମ୍ ଦିନ ଥିବାରୁ ଦଳ ଆଉ ରିସ୍କ ନେବାକୁ ଚାହୁଁନି। ତେଣୁ ଦଳର ନେତୃମଣ୍ଡଳୀ ସମସ୍ତଙ୍କୁ ସୁହାଇବା ପରି ଫର୍ମୁଲା ବାହାର କରିବେ। ଦଳୀୟ ମହଲରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ ଜିଲ୍ଲା ସଭାପତି ଦୌଡ଼ରେ ଭଦ୍ରକର ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ନାମ ସର୍ବାଗ୍ରେ ରହିଛି। ରାଜ୍ୟ କଂଗ୍ରେସରେ ପ୍ରଭାବଶାଳୀ ଭୂମିକା ନେଇ ଆସିଥିବା ଅନନ୍ତ ଯଦି ନିଜେ ଏହି ପଦବୀ ପ୍ରତି ଅନାଗ୍ରହୀ ହୁଅନ୍ତି ତେବେ ଦ୍ୱିତୀୟ ବିକଳ୍ପ ସ୍ୱରୂପ ବର୍ତ୍ତଭାନର ସଭାପତି ନରେନଙ୍କୁ ଏହି ପଦବୀ ବଜୟ ରଖିବାକୁ ସୁଯୋଗ ମିଳିପାରେ। ଏମିତିବି ଶୁଣିବାକୁ ମିଳିଛି ପ୍ରାକ୍ତନ ଲୋକସଭା ଯୁବ କଂଗ୍ରେସ ସଭାପତି ନଳୀନୀ ମହାନ୍ତି ଏହି ପଦ ପାଇଁ ଇଛୁକ ଅଛନ୍ତି। ଏବଂ ଏହି ଦୌଡରେ ତାଙ୍କ ନାମରେ ବେଶ୍ ଚର୍ଚ୍ଚା ଚାଲିଛି। ବିଗତ ଦିନରେ ଶ୍ରୀ ମହାନ୍ତି କଂଗ୍ରେସର ଯୁବ ଛାତ୍ର ରାଜନୀତିରେ ସକ୍ରିୟ ଭୂମିକା ନେଇ ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି। ଭଦ୍ରକ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି, ଜିଲା ଯୁବ ଓ ଛାତ୍ର କଂଗ୍ରେସ ସଭାପତି ତଥା ରାଜ୍ୟ ଛାତ୍ର କଂଗ୍ରେସର ସାଧାରଣ ସଂପାଦକ ଓ ସଂଯୋଜକ ଭଳି ବହୁ ପଦପଦବୀରେ ରହିବା ସହ ଦଳୀୟ ସୁପ୍ରିମୋ ରାହୁଲ ଗାନ୍ଧି ଯୁବନେତୃତ୍ୱକୁ ପ୍ରାଧାନ୍ୟ ଦେଉଥିବାରୁ ତାଙ୍କର ସଭାପତି ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ବହୁ ରାଜନୈତିକ ପର୍ଯ୍ୟବେକ୍ଷକ ମତପ୍ରକାଶ କରିଛନ୍ତି। ତାଙ୍କ ସପକ୍ଷରେ ଯୁବବର୍ଗଙ୍କ ସମର୍ଥନ ରହିଛି। ଶ୍ରୀ ମହାନ୍ତି ବିଗତ ଦିନରେ ଜିଲ୍ଲା ଓ ରାଜ୍ୟ ଯୁବ ଓ ଛାତ୍ର ରାଜନିତୀରେ ସକ୍ରିୟ ଭୂମିକା ନେଇ ଆସିଛନ୍ତି। କେନ୍ଦ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ବହୁ ଚର୍ଚ୍ଚିତ ଆମେଥୀ ଓ ରାୟବରେଲୀ ଲୋକସଭା କ୍ଷେତ୍ରରେ ରାଜୀବ ଗାନ୍ଧି ଚେରିଟେବୁଲ ଟ୍ରଷ୍ଟ ଅଧିନରେ ଦେଢ଼ମାସର ତାଲିମ ନେଇଛନ୍ତି। ଶ୍ରୀ ମହାନ୍ତି ଅନନ୍ତ ବାବୁଙ୍କର ଅତି ନିକଟତମ ହୋଇଥିବାବେଳେ, ଜିଲ୍ଲା ସଭାପତି ନରେନଙ୍କ ସହ ମଧ୍ୟ ତାଙ୍କର ଉତ୍ତମ ସମନ୍ୱୟ ରହି ଆସିଛି। ରାହୁଲ ଗାନ୍ଧୀ ଯୁବବର୍ଗଙ୍କ ଉପରେ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ନଳିନୀଙ୍କୁ ମଧ୍ୟ ଜିଲ୍ଲା ସଭାପତି ପଦବୀ ମିଳିବାର ସମସ୍ତ ସମ୍ଭାବନର ରହିଛି। ଅନୁରୂପ ଆଉ କେତେକ ଯୁବ ଓ ବରିଷ୍ଠ ନେତା ମଧ୍ୟ ଏହି ପଦବୀ ପାଇଁ ଇଛୁକ ଥିବା ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ତେବେ ପିସିସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ବିଶ୍ୱାଳ ଜିଲ୍ଲାର କର୍ମୀ, ବରିଷ୍ଠ ଓ ଯୁବନେତାଙ୍କ ମତାମତ ନେଇ ଫେରି ନିଜର ରିପୋର୍ଟ ଦେବେ ଓ ଖୁବ ଶୀଘ୍ର ଜିଲ୍ଲା ସଭାପତି ପଦବୀକୁ ନେଇ କଳ୍ନନାଜଳ୍ପନାର ଅବସାନ ଘଟିବ।

Leave a Reply

Your email address will not be published. Required fields are marked *