ଜିଲ୍ଲାସ୍ତରୀୟ ବିଶ୍ୱ ବଧିର ଦିବସ ପାଳିତ

ଦେବଗଡ ୨୭-୯ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା)- ସ୍ଥାନୀୟ ଲିଟିଲ କନଫରେନ୍ସ ହଲଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ସର୍ବଶିକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ବଧିର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଠୀ କହିଲେ ଯେ, ସମାଜର ବିଭିନ୍ନ କ୍ଷେତ୍ରରେ ଦିବ୍ୟାଙ୍ଗମାନେ ପାରଦର୍ଶିତା ଅର୍ଜନ କରିଛନ୍ତି। ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଦେବଗଡ ଜିଲ୍ଲାକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଜିଲ୍ଲାରେ ପରିଣତ କରିବାପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ। ବିଶେଷ କରି ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଯେଭଳି ସେମାନଙ୍କ ପାଖରେ ପହଁଚି ପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ଶ୍ରୀ ଭିନସେଣ୍ଟ ପୁନମ କାନ୍ତ ଏକ୍କା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଶୀଲ କୁମାର କର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ସଂଯୋଜକ ଦିଲ୍ଲୀପ କୁମାର ଗୁରୁ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ନାଥ ମୁଡି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ଲକସ୍ତରରେ ଆୟୋଜିତ ଚିତ୍ରାଙ୍କନ ଓ ପେଣି୍ଟଂ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ଶ୍ରବଣବାଧିତା ଛାତ୍ରୀ ଝରଣା ମେହେର, ଭୋଳେଶ୍ୱରୀ ପ୍ରଧାନ, ସ୍ୱସ୍ତିକା ସାହୁ ଏବଂ ଛାତ୍ର ଡୋଳାମଣି ପ୍ରଧାନଙ୍କୁ ଜିଲ୍ଲାପାଳ ଶ୍ରୀ ପାଠୀ ଶ୍ରବଣଯନ୍ତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରେ ପଠନ କରୁଥିବା ଶ୍ରବଣବାଧିତା ଛାତ୍ରଛାତ୍ରୀ ସେମାନଙ୍କର ମାତାପିତା, ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂର୍ବରୁ ପ୍ଲାଗକାର୍ଡ ସହିତ ଛାତ୍ରଛାତ୍ରୀ, ଅଭିଭାବକଗଣ ଏବଂ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ର୍ୟାଲି ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *