ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ଟି ରାଇସ ମିଲ ଉପରେ ଚଢାଉ, ୧୪୦୧୨ କ୍ୱିଟାଂଲ ଧାନ ଜବତ

ମାଲକାନଗିରି, ୨ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ବିଭାଗପକ୍ଷରୁ ଜିଲ୍ଲାରେ ଥିବା ୧୧ଟି ମିଲ ଉପରେ ଚଢାଉ କରାଯାଇ ବେଆଆଇନ ଭାବେ ଗଛିତ ରଖିଥିବା ୧୪୦୧୨କୁଇଁଟାଲ ଧାନ ଜବତ କରାଯାଇଛି। ଆଜି ସକାଳେ ମାଲକାନଗିରି, କାଲିମେଳା, ମାଥିଲି, ବାଲିମେଳା, ଗୋବିନ୍ଦପାଲ୍ଲି, କୋରକୁଣ୍ଡା ଠାରେ ଥିବା ୨୨ଟି ରାଇସ ମିଲମଧ୍ୟରୁ ୧୧ଟି ମିଲ ଉପରେ ଜିଲ୍ଲା ଯୋଗଣ ବିଭାଗ ସହକାରୀ ଅଧିକାରୀ ମନୋଜ କୁମାର ପ୍ରଧାନ, ସହକାରୀ ଜିଲ୍ଲାପାଳ ଓ ଯୋଗାଣ ବିଭାଗର ଅନ୍ୟାକର୍ମଚାରୀମାନେ ଚଢାଉ କରି ଗୋଦାମରେ ଗଛିତ ଥିବା ଚାଉଳ ଓ ଧାନ ଗୁଡିକୁ ଯାଚଂକରି ସେଗୁଡିକର ହିସାବ ମାଗିଥିଲେ। ବିଭିନ୍ନ ଧାନ ମଣ୍ଡିରୁ କିଣା ଯାଇଥିବା ଧାନ ଓ ମିଲ କରୁଥିବା ଧାନର ପରିମାଣ ଗୁଡିକୁ ସଠିକ ଭାବେ ତଦାରଖ କରିଥିଲେ। ୧୧ଟି ରାଇସ ମିଲ ଯାଚଂ କରିବାରୁ ୧୪୦୧୨ କୁଇଁଟାଲ ଅଧିକ ଧାନ ମିଳିଥିଲା। ଯୋଗାଣ ବିଭାଗ ପକ୍ଷରୁ ସେହି ଧାନଗୁଡିକ ଜବତ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆ ଯାଇଛି। ଜିଲ୍ଲାରେ ଚାଲିଥିବା ଧାନ ମଣ୍ଡିଗୁଡିକରେ ବ୍ୟାପକ ଦୁର୍ନିତି ଓ ହେରଫେର ହେଉଥିବାର ଅଭିଯୋଗ ପାଇବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ରାଇସ ମିଲ ଗୁଡିକ ଉପରେ ଚଢାଉ ଚାଲିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *