ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସ ଦଳର ଅସ୍ଥାୟୀ ବିଦ୍ୟାଳୟ, ୫ ଦଫା ଦାବି ପୂରଣ ନେଇ ଧାରଣା ଦେଲେ ଶତାଧିକ କଂଗ୍ରେସ କର୍ମୀ ଓ ଛାତ୍ର ଛାତ୍ରୀ

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସ ଦଳର ଅସ୍ଥାୟୀ ବିଦ୍ୟାଳୟ, ୫ ଦଫା ଦାବି ପୂରଣ ନେଇ ଧାରଣା ଦେଲେ ଶତାଧିକ କଂଗ୍ରେସ କର୍ମୀ ଓ ଛାତ୍ର ଛାତ୍ରୀ

ମାଲକାନଗିରି, ୧୦ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ଼୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ଦଳର ଅସ୍ଥାୟୀ ବିଦ୍ୟାଳୟ ଆଜି ଖୋଲା ଯାଇ ସେଠାରେ ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢ଼ା ଆରମ୍ଭ ହେବା ସହିତ ୫ ଦଫା ଦାବି ପୂରଣ ନେଇ ଶତାଧିକ କଂଗ୍ରେସ କର୍ମୀ ମାନେ ଧାରଣାରେ ବସିଛନ୍ତି।

ମାଲକାନଗିରି ଜିଲ୍ଲାବାସୀଙ୍କ ମୌଳିକ ଅଧିକାର ଓ ୫ଟି ଦାବି ୯ ତାରିଖ ସୁଦ୍ଧା ପୁରଣ କରାନଗଲେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ମାଲକାନଗିରି ଜିଲ୍ଲାକୁ ଆସିବାକୁ ଦିଆଯିବ ନାହିଁ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗଣଧାରଣା ଦିଆଯାଇ ଅସ୍ଥାୟୀ ବିଦ୍ୟାଳୟ ଖୋଲା ଯିବବୋଲି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ନିଷ୍ପତି ନିଆଯାଇ ପୂବର୍ତନ ସାସଂଦ ତଥା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝୀ ଗତ ୨୬ ତାରିଖରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

୯ତାରିଖ ସୁଦ୍ଧା ଗୋଟିଏ ବି ଦାବି ପୂରଣ ହୋଇନଥିବାରୁ ଆଜି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଟ ମାରି ଅସ୍ଥାୟୀ ବିଦ୍ୟାଳୟ ଖୋଲି ଶତାଧିକ କଂଗ୍ରେସ କର୍ମୀମାନେ ଗଣ ଧାରଣାରେ ବସିଥିଲେ।

ଜାତିଗତ ପ୍ରମାଣପତ୍ର ଅଭାବରୁ ଜିଲ୍ଲାର ବିଭିନ୍ନ ଗ୍ରାମର ଦୁଇହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ହରିଜନ ଓ ଗରିବ ଛାତ୍ରଛାତ୍ରୀ ଅଧାରୁ ପାଠଛାଡ଼ି ଶିକ୍ଷାପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ଦିଆ ଯାଇନଥିବାରୁ ସେହି ପିଲାମାନଙ୍କୁ ଏହି ଅସ୍ଥାୟୀ ବିଦ୍ୟାଳୟକୁ ଅଣାଯାଇ ପାଠପଢ଼ାର ବ୍ୟବସ୍ଥା କରାଯାଇଥିଲା।

ପ୍ରଥମେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଛତିଶଗଡ ସୁକୁମା ଜିଲ୍ଲାର କଂଗ୍ରେସ ଦଳର ବିଧାୟକ ଲକ୍ଷ୍ମୀ କବାସୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ, ଖାତା କଲମ ବଣ୍ଟନ କରି ପାଠପଢାଇ ଥିଲେ। ପରେ ଜିଲ୍ଲାର କିଛି ଅବସର ପ୍ରାପ୍ତ ଶିକ୍ଷକ ମାନେ ଏହି ପିଲାମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷାଦନ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଟେଣ୍ଟତଳେ ଅସ୍ଥାୟୀ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଦୃଶ୍ୟକୁ ରାସ୍ତାରେ ଯାଉଥିବା ବାଟୋଇ ମାନେ ଆଗ୍ରହ ସହକାରେ ଦେଖିଥିଲେ।

ଏହି ଦୃଶ୍ୟଦେଖିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାରେ ଶହ ଶହ ସଂଖ୍ୟାରେ ଜନସାଧରଣଙ୍କ ଭିଡ ହେବା ଦେଖି ପୁଲିସ ପକ୍ଷରୁ ସେଠାରେ ଶାନ୍ତିଶୃଙ୍ଖଳା ପ୍ରତିଷ୍ଟା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟ ସକାଳ ୧୧ ଟା ଠାରୁ ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିଥିଲେ ମଧ୍ୟ ସେଠାରେ କୌଣସି ପ୍ରଶାସନିକ ଅଧିକାରୀ ପହଁଚି ନଥିଲେ।

ରାଜ୍ୟସରକାରଙ୍କ ଜାତି ବର୍ଣ୍ଣ ଧର୍ମ ବିଚିତ୍ର ନୀତି ନିୟମ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ଗରିବ ଆଦିବାସୀ, ହରିଜନ ଛାତ୍ର ଛାତ୍ରୀ ଶିକ୍ଷାପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ପିଲାମାନଙ୍କୁ ତହସିଲ ପକ୍ଷରୁ ଆଦିବାସୀ, ହରିଜନ ଜାତିଗତ ପ୍ରମାଣ ପତ୍ର ଦିଆଯାଉ ନଥିବାରୁ ସେମାନଙ୍କୁ ବିଦ୍ୟାଳୟ ଓ ଛାତ୍ରବାସରୁ କାଢି ଦିଆଯାଇଛି। କେବଳ ହରିଜନ, ଆଦିବାସୀ ଛାତ୍ର ଛାତ୍ରୀ ନୁହଁନ୍ତି, ସାଧରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଚିଂତ ହୋଇ ପାଠ ପଢିପାରୁ ନାହଁନ୍ତି।

ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ, ଚାକିରି ଯୋଗାଇବା ନାମରେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରୁ ଜଣେ ଆଦିବାସୀ ବାଳିକାକୁ ସିଲାଇ ତାଲିମ ଦେଇ ବେଙ୍ଗାଲୁରରେ ଚାକିରି ଦେବା ନାମରେ ନେଇ ବାଙ୍ଗଲାଦେଶରେ ବିକ୍ରୀ କରିଦିଆଯାଇଛି। ତାକୁ ତୁରନ୍ତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଆଣି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରନ୍ତୁ। ଠିକ ସେହିପରି ପାଠପଢ଼ିବା ନାମରେ ଜଣେ ବଣ୍ଡା ବାଳକ ଭୁବନେଶ୍ୱର ର ଏକ ଶିକ୍ଷା ସଂସ୍ଥାରୁ ରାମ ଚନ୍ଦ୍ର ମାନ୍ଦ୍ରା ନିଖୋଜ ହେବା, ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟା ଦେବା, ସହର ଓ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ଘରଡିହ ପଟା ଦେବା ଇତ୍ୟାଦି ଦାବି ନେଇ କଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇ ଆସିଛନ୍ତି।

ଆନ୍ଦୋଳନ ପରେ ମଧ୍ୟ ରାଜ୍ୟସରକାର କି ଜିଲ୍ଲାପ୍ରଶାସନ ଦାବିଗୁଡିକ ପ୍ରତି ଗୁରୁତ୍ୱ ଦେଇ ନଥିବାରୁ ବାଧ୍ୟହୋଇ କଂଗ୍ରେସଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ଦୃଢ ବିରୋଧ କରାଯିବା ସହିତ ଗଣ ଆନ୍ଦୋଳନ କରାଯାଇ ପାଠପଢାରୁ ବଞ୍ଚିତ ହୋଇଥିବା ପିଲାଙ୍କୁ ନେଇ ଜିଲ୍ଲାପାଳ ଅଫିସ ଆଗରେ ଗଣ ବିକ୍ଷୋଭ ଆରମ୍ଭ କରାଯାଇଛି, ଅସ୍ଥାୟୀ ବିଦ୍ୟାଳୟରେ ଏହି ପିଲାମାନଙ୍କୁ ପାଠପଢ଼ା ଆଜି ଠାରୁ ଆରମ୍ଭ କରା ଯାଇଛି। ଅନିର୍ଦ୍ଦିଷ୍ଟକାଳ ପାର୍ଯ୍ୟନ୍ତ ଏହି ଗଣ ଧାରଣା ଚାଲୁ ରହିବ ବୋଲି କଂଗ୍ରେସ ଦଳର ପୂର୍ବତନ ସାସଂଦ ପ୍ରଦୀପ ମାଝୀ ସୂଚନାଦେଇଛନ୍ତି।

ଏହି ଗଣଧାରଣାରେ ଜିଲ୍ଲା କଂଗ୍ରେସ ଦଳର ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରି ସଭାପତି ବରିଷ୍ଟ କଂଗ୍ରେସ ନେତା ରାମପ୍ରାସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ଯୁବ କଂଗ୍ରେସ ନେତା ରବି ରାଜେଶ.ପର୍ଶୁରାମଭକ୍ତ, ଲକ୍ଷ୍ମିପାଙ୍ଗି, ପେଣ୍ଡ୍ରାପଣ୍ଡା, ଯୁବକଂଗ୍ରେସ ସଭାପତି ଚିତ ପଟ୍ଟନାୟକ, ଜି.ଶ୍ରୀନିବାସ ରାଓ, କେସୁରାଓ, ପଦ୍ମପାଙ୍ଗି, ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇ ବିକ୍ଷୋଭରେ ସାମିଲ ହୋଇଥିଲେ।

 

Leave a Reply

Your email address will not be published. Required fields are marked *