ଜିଲା ସ୍ତରୀୟ ବିଶାଳ ଚାଷି ଗର୍ଜନ ସମାବେଶ

ପାରଳାଖେମୁଣ୍ଡି,୨୯ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରୀତ ବଜାର କମିଟି ପରିସରରେ ଜିଲା କୃଷକ ସଂଘ, ପାରଳା ସ୍ୱାଭିମାନ ମଞ୍ଚ ଓ ଅଖିଳ ଭାରତୀୟ କୃଷକ ସଭାର ମିଳିତ ଆନୁକୁଲ୍ୟରେ ଜିଲା ସ୍ତରୀୟ ବିଶାଳ ଚାଷି ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଚାଷି ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚାଷିମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ପରେ ଏଠାରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ନିୟନ୍ତ୍ରୀତ ବାଜର କମିଟି କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ । ଜିଲା କୃଷକ ସଂଘ ସଭାପତି ସୁର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ୱାଭିମାନ ମଞ୍ଚର ଆବାହକ ଡ.ତିରୁପତି ପାଣିଗ୍ରାହୀ, ଅଖିଳ ଭାରତୀୟ କୃଷକ ସଭାର ସଭାପତି ଜନାସୁବାଷ ଚନ୍ଦ୍ର ରାଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋାଗଦେଇଥିଲେ । ଚାଷିମାନଙ୍କୁ ସମସ୍ତ କ୍ଷେତ୍ରରେ ଅଣଦେଖା କରାଯାଉଛି ବୋଲି ଏହି ସଭାରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣନିତି ଉପରେ ସମାଲୋଚନା କରାଯିବା ସହ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଉଭୟ ସରକାର ଚାଷିମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ବୋଲି କୁହାଯାଇଥିଲା । ଗଜପତି ଜିଲାରେ ଜଳର ବିଭିନ୍ନ ଉତ୍ସ ଥିଲେ ମଧ୍ୟ ଏହା ଚାଷିମାନଙ୍କ ଜମିରେ ଜଳସେଚନ ପାଇଁ କାର୍ଯ୍ୟକାରୀ ହୋଇପାରୁନାହିଁ । ସେହିପରି କୃଷିଋଣ ଛାଡ ଓ ଉନ୍ନତ କିଷମର ବିହନ ଯୋଗାଯାଉନାହିଁ କିମ୍ବା ଫସଲ ବୀମା ଯୋଜନାରେ ଚାଷିଙ୍କୁ ସାମିଲ କରାଯାଉନାହିଁ ବୋଲି ଏହି ସଭାରେ ଅଭିଯୋଗ ହୋଇଥିଲା । ସେହିପରି ଚାଷିଙ୍କ ପରିଚୟପତ୍ର ପ୍ରଦାନ କରିବା, ଧାନର ସହାୟକ ମୁଲ୍ୟ ବୃଦ୍ଧି କରିବା, ସମସ୍ତ ସାଗରଗୁଡିକର ପୁନରୁଦ୍ଧାର କରିବା, ଡମ୍ବାପୁର ଓ ଚମ୍ପାପୁର ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲାରେ ଏକ ଶିତଳ ଭଣ୍ଡାର ସ୍ଥାପନ କରିବା ଇତ୍ୟାଦି ଦାବିଗୁଡିକ ଉପସ୍ଥାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ସଂଗଠନର ସଭାପତି ମନୱର ଅଲ୍ଲୀ, ପୁର୍ବତନ ବିଧାୟକ ବିଜୟ କୁମାର ଜେନା, ଅଗ୍ରଣୀ କୃଷକ ପୋଲି ପ୍ରଧାନ ପ୍ରମୁଖଙ୍କ ସହ ବହୁ କୃଷକନେତା ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *