ଜିଲା ଶିକ୍ଷା ବିଭାଗ ଆକାଉଣ୍ଟାଣ୍ଟ ନିଲମ୍ବିତ

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସେକସନ୍ରେ କାର୍ଯ୍ୟରତ ଜଣେ ବରିଷ୍ଠ କର୍ମଚାରୀଙ୍କୁ ଜିଲା ଶିକ୍ଷାଧିକାରୀ ସଂଗ୍ରାମ କୁମାର ସାହୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ କର୍ମଚାରୀ ଜଣକ ହେଲେ ଲଲାଟେନ୍ଦୁ ବେହେରା। ଶ୍ରୀ ବେହେରାଙ୍କ ନାମରେ ଆର୍ଥିକ ଅନିୟମିତତାର ଅଭିଯୋଗ ରହିଥିଲା। ଜିଲା ଶିକ୍ଷାଧିକାରୀ ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ୍ର ଏକ ବିଦ୍ୟାଳୟ କ୍ରୀଡା ଶିକ୍ଷକଙ୍କ ପ୍ରାୟ ୧୮ ଲକ୍ଷ ଟଙ୍କା ବକେୟା ପ୍ରାପ୍ୟ ରହିଥିଲା। ଏହା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଥିଲା। କିନ୍ତୁ ଏହି ଅର୍ଥ ସଂପୃକ୍ତ ଶିକ୍ଷକଙ୍କୁ ଦେବା ପାଇଁ ଯେଉଁ ସରକାରୀ ଗାଇଡ୍ ଲାଇନ୍ ରହିଛି, ତାକୁ ପାଳନ କରିନଥିଲେ ଶ୍ରୀ ବେହେରା। ସରକାରଙ୍କ ଠାରୁ ଏହି ଅର୍ଥ ମଂଜୁର ହୋଇ ଆସିବା ପୂର୍ବରୁ ଶ୍ରୀ ବେହେରା କାର୍ଯ୍ୟାଳୟର ଗଚ୍ଛିତ ଜମାରାଶିରୁ ବେଆଇନ୍ ଭାବରେ ଏହି ଅର୍ଥ ସଂପୃକ୍ତ କ୍ରୀଡା ଶିକ୍ଷକଙ୍କୁ ପ୍ରଦାନ କରିଥିଲେ। ଏହି ଆର୍ଥିକ ଅନିୟମିତତା ସଂପର୍କରେ ଜଣାପଡିବା ପରେ ଜିଲା ଶିକ୍ଷାଧିକାରୀ ଶ୍ରୀ ସାହୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ସେହି ଅନୁଯାୟୀ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସୁପାରିଶ୍ କ୍ରମେ ଶ୍ରୀ ବେହେରାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଥମ ନୁହଁ, ପୂର୍ବରୁ ଥିବା ଜିଲା ଶିକ୍ଷାଧିକାରୀଙ୍କ ସମୟରେ କେତେକ ପ୍ରଭାବଶାଳୀ ଶିକ୍ଷକ ନେତାଙ୍କ ପ୍ରତ୍ୟେକ୍ଷ ପ୍ରୋତ୍ସାହନରେ ଶ୍ରୀ ବେହେରା ଆହୁରି କେତେକ ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ବିଶ୍ୱସ୍ଥ ସୂତ୍ରରୁ ଶୁଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *