ଜିଲ୍ଲା ପରିକ୍ରମା

ଜିଲା ମୁଖ୍ୟ ଚିକିତ୍ସାଳୟ : ଦୟନୀୟ ଅବସ୍ଥାରେ ଶିଶୁ ୱାର୍ଡ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ସମସ୍ୟା ପ୍ରତି କାହାରି ନଜର ନାହିଁ। ଏଠାରେ ରୋଗୀ ସେବା ନାମରେ ଚାଲିଛି କେବଳ ଶୋଷଣ। କିଛି ଡାକ୍ତର ନାମକୁ ମାତ୍ର ମେଡିକାଲକୁ ଆସି ଡ୍ୟୁଟି କରି ଦେଇ ନିଜର ଘରୋଇ ନର୍ସିଂହୋମ୍ ଓ କ୍ଲିନିକ୍ରେ ବସି ରୋଗୀ ସେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି। ରୁରାଲ୍ ହେଲ୍ଥ ମିଶନ (ଆରଏଚ୍ଏମ୍) ମାଧ୍ୟମରେ ଗରିବ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆସୁଥିବା କୋଟି କୋଟି ଟଙ୍କା କେବଳ ବାଟ ମାରଣାରେ ହେଉଛି। ଭଦ୍ରକ ୨୬ ବର୍ଷର ଜିଲା। ଏ ଜିଲାର ମୁଖ୍ୟ ଚିକିତ୍ସାଳୟର ଦୂରାବସ୍ଥା ଏବେ ରୋଗୀଙ୍କ ପାଇଁ କାଳ ହୋଇଛି। ଶିଶୁ ୱାର୍ଡରେ ଫ୍ୟାନ୍ ଚାଲୁନଥିବାବେଳେ ଡାକ୍ତରମାନେ ଶୀତତାପ ନିୟନ୍ତ୍ରିତ ଘରେ ବସୁଛନ୍ତି। ଏମିତି ପ୍ରତିକ୍ରିୟାହ ମଧ୍ୟ କିଛିଦିନ ତଳେ ଭଦ୍ରକର ଜନସାଧାରଣ ଉଠାଇଥିଲେ। ଖରାଦିନ ରୋଗୀଙ୍କ ୱାର୍ଡରେ ଫ୍ରାନ୍ ଅଚଳ ହୋଇପଡୁଛି। ଅଥଚ ଏହାକୁ ମରାମତି କରାଯାଉନାହିଁ। କେବଳ ଫ୍ୟାନ୍ ନୁହେଁ ମେଡିକାଲ ପରିସରରେ ଥିବା ପାଇଖାନା ଅବସ୍ଥା ଭଲ ନୁହେଁ। ସଫେଇ କାର୍ଯ୍ୟ ଠିକ୍ ଭାବେ କରାଯାଉନଥିବାରୁ ରୋଗୀମାନେ ଓ ସେମାନଙ୍କ ସଂପର୍କୀୟମାନେ ହଇରାଣ ହେଉଛନ୍ତି। ରୋଗୀଙ୍କ ୱାର୍ଡ ଭିତରେ ଥିବା ପାଇଖାନାହ ଅବସ୍ଥା ଶୋଚନୀୟ। ଏଠାରେ ସଫେଇ ଦାୟିତ୍ୱ ଠିକ୍ ଭାବେ କରାଯାଉନାହିଁ। ପାଇଖାନା ଅବସ୍ଥା ଭଲ ନଥିବାରୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ବାଧ୍ୟ ହୋଇ ବାହାର ଶୌଚାଳୟକୁ ଯାଉଛନ୍ତି। ଏଠାରେ ୫ ଟଙ୍କା ଦେବାକୁ ପଡୁଛି। ରୋଗୀଙ୍କୁ ମାଗଣାରେ ସେବା ଯୋଗାଇ ଦେବା ନେଇ ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଡେଙ୍ଗୁରା ପିଟୁଥିବା ବେଳେ ଭଦ୍ରକରେ କିନ୍ତୁ ରୋଗୀଙ୍କୁ ସବୁକ୍ଷେତ୍ରରେ ଶୋଷଣ କରାଯାଉଛି। ଶେଷରେ ପାଇଖାନା ଯିବା ପାଇଁ ମଧ୍ୟ ଟଙ୍କା ନେଇ ଶୋଷଣ କରାଯାଉଛି। ମୁଖ୍ୟ ଚିକିିତ୍ସାଳୟକୁ ଆସୁଥିବା ରୋଗୀଙ୍କର ଶୋଷଣର ସୀମା ନାହିଁ। ଭଦ୍ରକ ମେଡିକାଲରେ ଏବେ ଯେଉଁ ଅବସ୍ଥା ଏଠାରେ କେହି କିଛି ବୁଝିବାର ନାହିଁ। ସବୁଠି ଚାଲିଛି ରାଜନୀତି, ଏଠି ବି ଚାଲିଛି ରାଜନୀତି। ନେତାଙ୍କ ପାଇଁ ଭଦ୍ରକର ସ୍ୱାସ୍ଥ୍ୟ ସେବା ଆଜି ବିପର୍ଯ୍ୟସ୍ତ ହୋଇଥିବାବେଳେ କୌଣସି ରାଜନେତା ଏଥିପାଇଁ ପାଟି ଫିଟାଉ ନାହାଁନ୍ତି। ସ୍ୱଳ୍ପ ସ୍ଥାନରେ ଅଧିକ ସଂଖ୍ୟକ ରୋଗୀ ରହୁଥିବାରୁ ଏହାର ପରିବେଶ ଦିନକୁ ଦିନ ଅସ୍ୱାସ୍ଥ୍ୟକର ହୋଇପଡୁଛି। ଗେଲପୁର ମୌଜାରେ ହେବାକୁ ଥିବା ନୂଆ ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ କାହାରି ଆନ୍ତରିକତା ନାହିଁ। ଜିଲାରେ କିଛି ନୂଆକରି ଗଢାଯାଉ ଏକଥା ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏପରିକି ଆମ ନିର୍ବାଚିତ ରାଜନେତାମାନେ ନିରବ। ବିରୋଧୀବାଲାଙ୍କ ସ୍ୱର ଏକଦମ୍ କ୍ଷୀଣ। ଯେଉଁଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ମନୋମୁଖୀ କାରବାର। ରୋଗୀ ମଲେ କେତେ, ଗଲେ କେତେ କାହାର କିଛି ଚିନ୍ତା ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top