ଜିଲା ମୁଖ୍ୟ ଚିକିତ୍ସାଳୟ ସରଗରମ: ପ୍ରସବବେଳେ ଶିଶୁ ବଦଳୀ ଅଭିଯୋଗ

ରାୟଗଡା, ୧୩।୬(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ମଙ୍ଗଳବାର ଦିନ ତମାମ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟ ସରଗରମ ହୋଇ ରହିଥିଲା। ପ୍ରସବ ପରେ ମୁଖ୍ୟଚିକିତ୍ସାଳୟରେ ନବଜାତ ଶିଶୁକୁ ବଦଳାଯାଇଥିବା ଅଭିଯୋଗ ଆସିଥିଲା। କବିତା କୁମ୍ଭାରଙ୍କ ଗର୍ଭରୁ ଗୋଟିଏ ଶିଶୁପୁତ୍ର ଜନ୍ମ ନେଇଥିବାବେଳେ ଡାକ୍ତର ମୃତ କନ୍ୟା ସନ୍ତାନ ଜନ୍ମଦେଇଥିବା ଦର୍ଶାଇ ଶିଶୁ ବଦଳି କରିଛନ୍ତି। ଜାଣିସୁଣି ମାଁ ଓ ଶିଶୁକୁ ଅଲଗା ଅଲଗା କରିବାପରେ ଚିକିତ୍ସାବେଳେ ଶିଶୁର ମୃତ୍ୟୁ ଘଟିଥିବାର ରୂପ ଦେଉଛନ୍ତି ବୋଲି କବିତାଙ୍କ ସ୍ୱାମୀ ମାଧବ କୁମ୍ଭାର ଅଭିଯୋଗ ହୋଇଛି। ଖବର ନେବାର ଜଣାପଡିଛିଯେ, ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ କୁମ୍ଭରଶିଳା ଗାଁର ମାଧବ କୁମ୍ଭାର ନିଜର ଗର୍ଭବତୀ ପତ୍ନୀ କବିତାଙ୍କୁ ଚିକିତ୍ସାଳୟରେ ପ୍ରସବ କରାଇବାପାଇଁ ରାୟଗଡା ଜିଲା ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ। ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ପ୍ରଫୁଲ ପାଢ଼ୀ ତଥା ନଥିପତ୍ରରୁ ଜଣାପଡିଛିଯେ ରବିବାର କବିତାଙ୍କୁ ଆଣିଥିବାବେଳେ ତାଙ୍କର ଦେହରେ ହିମଗ୍ଳୋବିନ ପରିମାଣ ମାତ୍ର ୩ଗ୍ରାମ ରହିଥିଲା। ରକ୍ତଚାପ ଅଧିକ ରହିବାସହ ପରିକ୍ଷା ନୀରିକ୍ଷା ବେଳେ ପୁଷ୍ଟିହୀନତା ମଧ୍ୟ ତାଙ୍କଠାରେ ଥିବା ଜଣାପଡିଥିଲା। ସବୁଠାରୁ ବିଡମ୍ବନାର କଥାଯେ କବିତା ଜଣେ ସିକଲିନ ରୋଗୀ ରହିଥିଲେ। ତେଣୁ ତାଙ୍କୁ ଗୋଟିଏ ଗୁରୁତର ସମସ୍ୟା ରହିଥିବା ଗର୍ଭବତୀ ହିସାବରେ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଥିଲା। ଦେହରେ ରକ୍ତର ପରିମାଣ ଖୁବ କମ ରହିଥିବାରୁ ୩ୟୁନିଟ ରକ୍ତମଧ୍ୟ ଚଢ଼ାଯାଇଥିଲା। ତେବେ କବିତାଙ୍କ ସ୍ୱାମୀ ମାଧବଙ୍କ ଅଭିଯୋଗଯେ, ସୋମବାର ରାତିରେ କବିତାଙ୍କ ପ୍ରସୁତି ପୂର୍ବ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କବିତାଙ୍କୁ ପ୍ରସୁତି କକ୍ଷକୁ ନେଇଯାଇଥିବାବେଳେ ସଭିଏଁ ତାଙ୍କଠାରୁ ଦୂରରେ ଥିଲୁ। ପ୍ରସବପରେ ଦାୟୀତ୍ୱରେ ଥିବା ଦିଦିମାନେ ଆସି ଶିଶୁପୁତ୍ର ଟିଏ କବିତା ଜନ୍ମଦେଇଥିବା ସୂଚନା ଦେଇଥିଲେ। ତେବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସଠିକ ନଥିବାରୁ ଏସଏନସିୟୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ନର୍ସମାନେ କହିଥିବା ମାଧବ ଅଭିଯୋଗ କରିଛନ୍ତି। ପରେ କବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କହି ତୁରନ୍ତ କୋରାପୁଟ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ସ ଦେଇଥିଲେ। ଏପରିକି ରାତିପାହିଲେ ନେବାପାଇଁ କହିବାରୁ ମଧ୍ୟ ଡାକ୍ତର ବା ନର୍ସମାନେ କିଛି ଶୁଣିନଥିଲେ। ସେମାନଙ୍କ ପକ୍ଷରୁ ତୁରନ୍ତ ଆମ୍ବୁଲାନ୍ସ ବ୍ୟବସ୍ଥାକରି କବିତାଙ୍କୁ କୋରାପୁଟ ଚିକିତ୍ସାଳୟକୁ ପଠାଇଦେଇଥିଲେ। ତେଣୁ ବାଧ୍ୟହୋଇ ଶିଶୁକୁ ଛାଡି ମୁଁ ଆସିବାକୁ ପଡିଲା ବୋଲି ମାଧବ କହିଛନ୍ତି। ଏହାର ସୁଯୋଗ ନେଇ ଚିକିତ୍ସାଳୟରେ ପୁତ୍ର ସନ୍ତାନକୁ ବଦଳାଇ କନ୍ୟା ସନ୍ତାନ ଜନ୍ମନେଇଥିବା କହୁଛନ୍ତି। ଶିଶୁର ଅବସ୍ଥା ଠିକ ନଥିବାରୁ ମୃତ୍ୟୁ ଘଟିଛି ବୋଲି ଚିକିତ୍ସାଳୟ ପକ୍ଷରୁ ସଫେଇ ଦିଆଯାଉଛି ବୋଲି ମାଧବ ଅଭିଯୋଗ କରିଛନ୍ତି। ଏ ସର୍ମ୍ପକରେ ପ୍ରସବ ବେଳେ ଦାୟୀତ୍ୱରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫୁଲ କୁମାର ପାଢ଼ୀଙ୍କୁ ପଚାରିବାରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ। କବିତା ଗୋଟିଏ କନ୍ୟା ସନ୍ତାନକୁ ଜନ୍ମଦେବାପରେ ମାଁ ଓ ଶିଶୁର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଲା। ତେବେ ଶିଶୁଟି କୋରାପୁଟ ଯିବା ଅବସ୍ଥାରେ ନଥିଲା। ତେଣୁ ଜିଲା ମୁଖ୍ୟଚିକିତ୍ସାଳୟର ଏସଏନସିୟୁ ୱାର୍ଡରେ ରଖି ଚିକିତ୍ସାଳୟର ବ୍ୟବସ୍ଥାରେ କବିତାଙ୍କୁ କୋରାପୁଟ ପଠାଯାଇଥିଲା। ପରେ ଶିଶୁଟିର ମୃତ୍ୟୁ ଘଟିଥିଲା। ୩ଜଣ ଡାକ୍ତରଙ୍କ ଉପସ୍ଥିତିରେ ପ୍ରସବ କରାଯଇଥିଲା। ସେମାନଙ୍କ ଅଭିଯୋଗ ଗୋଟିଏ ମନଗଢ଼ା କଥା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *