ଜିଲା ପୋଷ୍ଟାଲର ବୈମାତୃକ ନୀତି ଚାନ୍ଦବାଲି ମୁଖ୍ୟ ପୋଷ୍ଟ ଅଫିସ୍ରେ ଅଚଳାବସ୍ଥା

ଭଦ୍ରକ, ୧୨ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ବୈମାତୃକ ନୀତି ପାଇଁ ଚାନ୍ଦବାଲି ମୁଖ୍ୟ ପୋଷ୍ଟ ଅଫିସରେ କିଛି ଦିନ ହେବ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ଅଚଂଳର ସର୍ବପୁରାତନ ଏହି ପୋଷ୍ଟ ଅଫିସ୍ ଉପରେ କେବଳ ଯେ ଚାନ୍ଦବାଲି ଅଂଚଳ ଲୋକ ନୁହଁନ୍ତି, ପଡୋଶୀ କେନ୍ଦ୍ରାପଡା ଜିଲାର ଚାନ୍ଦବାଲି ସଂଲଗ୍ନ ରାଜକନିକା ଅଂଚଳର ବହୁ ଲୋକ ଦୀର୍ଘଦିନ ଧରି ଏହା ଉପରେ ନିର୍ଭର କରିଆସୁଛନ୍ତି । ଏହି ସବପୋଷ୍ଟ ଅଫିସ ଅଧୀନରେ ଗୋପାଳପୁର, ବଉଳଯୋଡା, ତେନ୍ତୁଳିଡିହି, ଶୁକ୍ଳେଶ୍ୱର, ଉଗ୍ରତରା, ବିଜୟନଗର, ଓରାସାହି, ବେନ୍ତାଳପୁର, ପାଞ୍ଚପଡା, ବାଲିଗାଁ ଓ ଗୋଲାଡିଆ ମୋଟ ୧୧ ଟି ବ୍ରାଞ୍ଚ ପୋଷ୍ଟ ଅଫିସ୍ କାର୍ଯ୍ୟ କରୁଛି । ଏହାର ସୁପରିଚାଳନା ପାଇଁ ଜଣେ ପୋଷ୍ଟମାଷ୍ଟର, ୩ ଜଣ ପୋଷ୍ଟାଲ ଆସିଷ୍ଟାଣ୍ଡ, ୨ ଜଣ ପୋଷ୍ଟ ମ୍ୟାନ୍, ଜଣେ ପ୍ୟାକର ପଦବୀ ଅନୁମୋଦିତ ଥିବାବେଳେ ପୋଷ୍ଟମାଷ୍ଟର ପଦବୀ ଦୀର୍ଘ ଦିନ ହେବ ଖାଲି ପଡିବା ସହିତ ୪ ଜଣ ପୋଷ୍ଟାଲ ଆସିଷ୍ଟାଣ୍ଡ ସ୍ଥାନରେ ୩ ଜଣ ଅଛନ୍ତି । ତନ୍ମଧ୍ୟରୁ ଜଣଙ୍କୁ ମତୋ ସବପୋଷ୍ଟ ଅଫିସ୍କୁ ଡେପୁଟେସନରେ ଯାଇଥିବାବେଳେ ମାତ୍ର ୨ ଜଣଙ୍କୁ ନେଇ କାମ ଚାଲିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୋଷ୍ଟାଲ ଆସିଷ୍ଟାଣ୍ଡ ଭାରପ୍ରାପ୍ତ ପୋଷ୍ଟମାଷ୍ଟର ଦାୟିତ୍ୱରେ ଅଛନ୍ତି । ୩ଟି କାଉଣ୍ଟରକୁ ଜଣେ ମାତ୍ର କର୍ମଚାରୀ ସମ୍ଭାଳିବାରେ ବିଫଳ ହେଉଛନ୍ତି । ଭାରପ୍ରାପ୍ତ ପୋଷ୍ଟମାଷ୍ଟର ୧୧ଟି ବ୍ରାଞ୍ଚର ଅର୍ଥ ଦେଣ ନେଣ କାର୍ଯ୍ୟ, ବ୍ୟାଙ୍କରେ ଜମା ଓ ଉଠାଣ କାର୍ଯ୍ୟ ସହ ଡିପାର୍ଟମେଣ୍ଟର ଚିଠିପତ୍ର କାର୍ଯ୍ୟରେ ଭାରାକ୍ରାନ୍ତ ହେଉଥିବାବେଳେ ବୋଝ ଉପରେ ନଳିତା ବିଡା ପରି ନୂତନ ଆଧାର ଓ ସଂଶୋଧନ କାର୍ଯ୍ୟରେ ପେଶି ହେଉଛନ୍ତି । ଅପରପକ୍ଷରେ ଜଣେ ପୋଷ୍ଟାଲ ଆସିଷ୍ଟାଣ୍ଡଙ୍କୁ ନେଇ ୩ଟି କାଉଣ୍ଟର ଚାଲିଥିବାରୁ ଦୈନନ୍ଦିନ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏପରିକି ରେଜେଷ୍ଟି୍ର ଚିଠି, ସ୍ପିଡିପୋଷ୍ଟ, ପୋଷ୍ଟାଲ ଲାଇଫ୍ ଇନ୍ସୁ୍ୟରାନ୍ସ ଜମା ପ୍ରଭୃତି ଜରୁରୀ ଆବଶ୍ୟକତା ନିମେନ୍ତ ସାଧାରଣ ଲୋକେ ଦିନ ଦିନ ଧରି ସେବା ନପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ଭାରପ୍ରାପ୍ତ ପୋଷ୍ଟ ମାଷ୍ଟରଙ୍କୁ ପଚାରିବାରୁ ସେ କର୍ମଚାରୀ ଅଭାବ କଥା ଉଲ୍ଲେଖ କରି ଏ ବିଷୟରେ ସୁପରିଟେଣ୍ଡଙ୍କ ଲିଖିତ ଭାବେ ଜଣାଇଛନ୍ତି ବୋଲି କହିଛନ୍ତି । ଏ ପ୍ରକାର ସମସ୍ୟା କାହିଁକି ହେଉଛି ବୋଲି ଜିଲା ମୁଖ୍ୟ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିବାରୁ ସେ ଟ୍ରେନିଂ ଯାଇଥିବା ଏବଂ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ଦାୟିତ୍ୱରେ ଥିବା କହିଥିଲେ । ମୁଖ୍ୟ କିରାଣୀଙ୍କୁ ଏ ପ୍ରସଙ୍ଗରେ ପଚାରିବାରୁ ସେ କହିଲେ ଯେ ମୁଁ କିଛି ଦିନ ହେବ ଛୁଟିରେ ଥିଲି । ଏବେ କାର୍ଯ୍ୟରେ ଯୋଗ ଦେଇଛି । ବାଲେଶ୍ୱରର ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଅଛନ୍ତି, ତାଙ୍କ ସହ ଯୋଗାଯୋଗ କରି ସମସ୍ୟାର ଖୁବଶୀଘ୍ର ସମାଧାନ କରାଇବାକୁ ଚେଷ୍ଟା କରିବି । ଜିଲା ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ଚାନ୍ଦବାଲି ପ୍ରତି ଏପରି ବୈମାତୃକ ମନୋଭାବକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଜନ ଆନେ୍ଦାଳନ ରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *