ବୌଦ୍ଧ, ୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସହୀଦଙ୍କୁ ସମ୍ମାନ ଜଣାଇବା ପାଇଁ ଦୀର୍ଘବର୍ଷ ୮ ବର୍ଷ ପରେ ଜିଲା ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବୌଦ୍ଧବ୍ଲକ ଅନ୍ତର୍ଗତ ତେତେଲେଙ୍ଗା ଗ୍ରାମର ଗୋବିନ୍ଦ ପ୍ରଧାନ ସିଆରପିଏଫରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିବାବେଳେ ୨୦୧୦ ମସିହାରେ ଛତିଶଗଡ ରାଜ୍ୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟରେ ସହୀଦ ହୋଇଥିଲେ। ତାଙ୍କର ପ୍ରତିମୂର୍ତ୍ତି ସେହି ଗ୍ରାମର ବିଦ୍ୟାଳୟ ପରିସରରେ ସ୍ଥାପନ କରାଯିବାକୁ ଜିଲା ପୋଲିସ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଆସନ୍ତା ଅକ୍ଟୋବର ୨୧ ତାରିଖ ଦିନ ସହୀଦ ଦିବସ ପାଳନ ଅବସରରେ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ତେତେଲେଙ୍ଗା ଗ୍ରାମରେ ସହୀଦ ଗୋବିନ୍ଦଙ୍କ ପରିବାର ସହିତ ଆଲୋଚନା କରିଛନ୍ତି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଦ୍ୟାଳୟ ପରିସରରେ ସ୍ଥାନ ନିରୂପଣ କରାଯିବ ବୋଲି ଜଣାଯାଇଛି।
