ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜିଲା ଆଇନସେବା ପ୍ରାଧିକରଣ ଭଦ୍ରକ ଅନୁକୂଲ୍ୟରେ ଏକ ମଣ୍ଡଳ ସ୍ତରୀୟ ରଚନା, ବକ୍ତୃତା, ଚିତ୍ରାଙ୍କନ, କ୍ଷୁଦ୍ର ଶିକ୍ଷଣୀୟ ନାଟକ ପ୍ରତିଯୋଗିତା ଭଦ୍ରକ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଜଜ୍ ଶୋଭନ କୁମାର ଦାଶ ଏହାକୁ ଉଦଘାଟନ କରିଥିଲେ। ୬ଟି ଜିଲାର ବିଭିନ୍ନ ସ୍କୁଲର ଆଇନ ସାକ୍ଷର କ୍ଲବର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଜୋନାଲ(ମଣ୍ଡଳ) ସ୍ତରୀୟ କ୍ଷୁଦ୍ର ଶିକ୍ଷଣୀୟ ନାଟକ ପ୍ରତିଯୋଗିତାରେ କେନ୍ଦୁଝର ଜିଲାର ଜବାହର ନବୋଦୟ ବିଦ୍ୟାଳୟ ପ୍ରଥମ ହୋଇଥିବାବେଳେ ବାଲେଶ୍ୱରର ରସାଳପୁର ହାଇସ୍କୁଲ ଦ୍ୱିତୀୟ ଓ କେନ୍ଦ୍ରାପଡା ସରକାରୀ ବାଳିକା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା। ବକ୍ତୃତାରେ ଆଦର୍ଶ ବିଦ୍ୟାଳୟ ଶାଳପଡା, କେନ୍ଦୁଝରର ଛାତ୍ରୀ ପ୍ରଜ୍ଞା ପ୍ରଗତିକା ନାୟକ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରାପଡାର ଛାତ୍ର ବିଭୂପ୍ରସାଦ ତ୍ରିପାଠୀ ଦ୍ୱିତୀୟ ଓ ବିଡି ହାଇସ୍କୁଲର ଛାତ୍ର ବିଶ୍ୱଜିତ ସାମଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ରଚନା ପ୍ରତିଯୋଗିତାରେ ବାଲେଶ୍ୱର ଜିଲା ସ୍କୁଲର ଛାତ୍ରୀ ଋତୁପର୍ଣ୍ଣା ସାହୁ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ଝୁମ୍ପୁରା କେନ୍ଦୁଝରର ଛାତ୍ରୀ ବର୍ଷାରାଣୀ ମାହାନ୍ତ ଦ୍ୱିତୀୟ ଓ ଜବାହର ନବୋଦୟ ବିଦ୍ୟାଳୟ କେନ୍ଦୁଝର ଛାତ୍ରୀ ଶାଶ୍ୱତି ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚିତ୍ରାଙ୍କନରେ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ କ୍ରିତିକ୍ରୀଷ୍ଣା ପଣ୍ଡା ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରାପଡାର ଛାତ୍ର ସବ୍ୟଶାଚୀ ମହାରଣା ଦ୍ୱିତୀୟ ଓ ବାଲେଶ୍ୱର ଟାଉନ ହାଇସ୍କୁଲର ଛାତ୍ର ଭବେଶ କୁମାର ବିଶ୍ୱାଳ ତୃତୀୟ ସ୍ଥାନ ପାଇଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲା ଆଇନସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର ପରିଚାଳନା କରିଥିଲେ। ଏଥିରେ ଭଦ୍ରକ ସିଜେଏମ ମହଲତ ସ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଜନକ ରାଉତ, ଏସଡିଜେଏମ ଜନ୍ମେଜୟ ଦାସଙ୍କ ସମେତ ଜିଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲା ଆଇନସେବା ପ୍ରାଧିକରଣର କର୍ମୀ ବିଶ୍ୱରଞ୍ଜନ ବାରିକଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *