ଜିଲାପାଳଙ୍କ ସାଟିଫିକେଟ କୋର୍ଟରୁ ଖିଲାପି ଖଣି ସଂସ୍ଥାକୁ ନୋଟିସ ଜାରୀ ହେଲା

କେନ୍ଦୁଝର ୨୪ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି):କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିରେ ବେଆଇନ ଖଣିଜ ପଥର ଉତ୍ତୋଳକୁ ନେଇ ଶାହା କମିଶନଙ୍କ ରିପୋର୍ଟ ପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ କେନ୍ଦୁଝର ଜିଲ୍ଲାର ଖଣିମାଲିକଙ୍କୁ ଜରିମାନା ପାଇଁ ପୂର୍ବରୁ ୨୦୧୮ ମସିହା ମେ ମାସ ୨୪ ତାରିଖରେ ନୋଟିସ କରାଯାଇଥିଲା। ହେଲେ କେନ୍ଦୁଝର ଜିଲ୍ଲାର ୩୧ଟି ଖଣିର ୨୩ଜଣ ଖଣି ମାଲିକଙ୍କୁ ଜରିମାନା ଅର୍ଥ ନଦେବାରୁ ରାଜ୍ୟ ଖଣି ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ମୁତାବକ ଯୋଡା ଖଣି ଉପନିର୍ଦ୍ଦେଶକ ଏବଂ ମାଇନିଂ ଅଫିସର, କେନ୍ଦୁଝର ବେଆଇନ ଖଣି ଉତ୍ତୋଳନ କରିଥିବା ମାଲିକଙ୍କ ସମ୍ପତ୍ତି ଜବତ୍ ପାଇଁ ଜିଲ୍ଲାପାଳଙ୍କ ସାଟିଫିକେଟ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି। ଜିଲ୍ଲାପାଳ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି। ତେବେ ଓଡିଶା ପବ୍ଲିକ ଡିମାଣ୍ଡ ରିକଭରୀ ଆକ୍ଟ (ଓପିଡିଆର ଆକ୍ଟ) ଅନୁଯାୟୀ ଲୌହ ଓ ମାଙ୍ଗାନିଜ ବେଆଇନ ଉତ୍ତୋଳନ କରିଥିବା ମାଲିକଙ୍କ ବିରୁଦ୍ଧରେ ନୋଟିସ କରାଯିବ ବୋଲି ଜଣାପଡିଛି। ଖଣି ବିଭାଗ ନିକଟରେ ଫାଇନ ଦେଇନଥିବା ଖଣି ବିରୁଦ୍ଧରେ ସମ୍ପତ୍ତି ବ୍ୟାଜାପ୍ତି ପାଇଁ ସାର୍ଟିଫିକେଟ କେସ ରୁଜୁ ପରେ ଏଭଳି ନୋଟିସ ଇସୁ୍ୟ କରାଯାଇଥିବା ଜଣାପଡିଛି। ଫାଇନ ଅର୍ଥ ଦେଇନଥିବା ୩୧ଟି ଖଣି କେନ୍ଦୁଝର ଜିଲାରେ ଥିବା ଜଣାପଡିଛି। କେନ୍ଦୁଝର ଜିଲା ଖଣି ଗୁଡିକ ମଧ୍ୟରୁ ମେସର୍ସ ଟିବି ଲାଲର ଜଜାଙ୍ଗ ଲୁହାଖଣି, ମେସର୍ସ ସାରଦା ମାଇନସ ଲି ର ଠାକୁରାଣୀ ବ୍ଲକ ବି ଖଣି, ମାଲା ରାୟ ଆଣ୍ଡ ଅଦର୍ସର ଜଳହରି ଲୁହା ଓ ମାଙ୍ଗାନିଜ ଖଣି, ମେସର୍ସ ଏଚ.ଜି.ପାଣ୍ଡିଆ ଆଣ୍ଡ ଅଦର୍ସ ର ଜଜାଙ୍ଗ ଲୁହା ଓ ମାଙ୍ଗାନିଜ ଖଣି, ମେସର୍ସ ମିଡ ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲି. ର ରୋଇଡା ୧ ଲୁହାଖଣି, ବାସୁଦେବ ଅଗ୍ରଓାଲର ଉରୁମୁଣ୍ଡା ଲୁହା ଖଣି, ଏସ.ସି ପାଢୀର ବାଂଶପାଣି ଲୁହା ଓ ମାଙ୍ଗାନିଜ ଖଣି, ମେସର୍ସ ଅର୍ଜୁନ ଲୋଧାର ବାଲାଗୁଡା ଲୁହା ଓ ମାଙ୍ଗାନିଜ ଖଣି, ଓଏମଡିସିର ଭଦ୍ରାସାହି ଲୁହା ଓ ମାଙ୍ଗାନିଜ ଖଣି, ଗୀତାଞ୍ଜଳୀ ମହାନ୍ତିଙ୍କ ରାଇକେଲା ଲୁହା ଖଣି, ମେସର୍ସ ଟି.ବି.ଲାଲ ଆଣ୍ଡ କମ୍ପାନୀର କାଶିଆ-ବରପଦା ଲୁହାଖଣି, ଡ.ଏସ ପ୍ରଧାନଙ୍କ ବୈ÷ତରଣୀ ଲୁହା ଖଣି ଓ ବଳିତା ଲୁହା ଖଣି, ମେସର୍ସ ଗନ୍ଧମାର୍ଦ୍ଦନ ସ୍ପଞ୍ଜ କାରଖାନାର ପୁତୁଲୁପାଣି ଲୁହା ଖଣି, ମେସର୍ସ ତାରିଣୀ ମିନେରାଲସର ନୂଆଗାଁ ମାଙ୍ଗାନିଜ ଖଣି, ମେସର୍ସ ଓଏମଡିସିର ରୋଇଡା-ଭଦ୍ରାସାହି ଲୁହାଖଣି, ଏସସି ପାଢୀର ଗୁରୁବେଡା ଲୁହାଖଣି, ମେସର୍ସ ବିପିଏମଇଏଲର ଠାକୁରାଣୀ ଲୁହା ଖଣି, ଓଏମଡିସିର ବାଗିଆବୁରୁ ଲୁହାଖଣି, ଓଏମଡିସିର ବେଲକୁଣ୍ଡି ଲୁହା ଓ ମାଙ୍ଗାନିଜ ଖଣି, ଏସ.ଡି ଶର୍ମାର ବେଲକୁଣ୍ଡି ଲୁହା ଓ ମାଙ୍ଗାନିଜ ଖଣି, ଭଞ୍ଜ ମିନେରାଲସର ଇଙ୍ଗାଣୀଝରଣ ଲୁହା ଓ ମାଙ୍ଗାନିଜ ଖଣି, ବିସି ଦେବର ଇଙ୍ଗାଣୀଝରଣ ଲୁହା ଓ ମାଙ୍ଗାନିଜ ଖଣି, ବିପିଏମଏଇଲର କୋହ୍ଲ ରୋଇଡା ଲୁହା ଓ ମାଙ୍ଗାନିଜ ଖଣି, ଏମଆର ଦାସଙ୍କ ଦେଓଝର ଲୁହା ଖଣି, ନାରାୟଣୀ ସନ୍ସର ଲାଉପଦା ଲୁହାଖଣି, ମିନେରାଲ ଟ୍ରେଡିଂ ସିଣ୍ଡିକେଟର ଭୁଲବେଡା ଲୁହାଖଣି, ଫେକରର କାଟାସାହି ମାଙ୍ଗାନିଜ ଖଣି, ନାରାୟଣୀ ଆଣ୍ଡ ସନ୍ସର ସୁରୁଗୁଟୁରିଆ ଲୁହା ଖଣି, ଏସ.ଏନ ଦାସ ମହାପାତ୍ରର କୋହ୍ଲ ରୋଇଡା ମାଙ୍ଗାନିଜ ଖଣି, ବି.ଡି.ପଟ୍ଟନାୟକଙ୍କ କଳାପର୍ବତ ଲୁହା ଖଣି ରହିଛି। ରାଜ୍ୟରେ ୧୩୩ଟି ଖଣିକୁ ୧୯ହଜାର କୋଟି ଟଙ୍କା ଫାଇନ ପାଇଁ ନୋଟିସ କରାଯାଇଥିଲା। ଏଥିପାଇଁ ସୁପ୍ରିମକୋର୍ଟ ୨୦୧୮ ମସିହା ୩୧ ଡିସେମ୍ବର ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ ମଧ୍ୟରେ ଫାଇନ ଦେଇନଥିବା ଖଣି ମାଲିକଙ୍କୁ ରାଜ୍ୟ ସରକାର ଅତିରିକ୍ତ ୨ମାସ ସମୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଦିଆଯାଇଥିବା ସମୟ ଏବଂ ରାଜ୍ୟ ସରକାର ଦେଇଥିବା ସମୟ ମଧ୍ୟରେ ଅବଧି ମଧ୍ୟରେ ରାଜ୍ୟର ୧୩୩ଟି ଖଣି ମଧ୍ୟରୁ ୮୩ଟି ଖଣି ୧୨୮୦୦କୋଟି ଟଙ୍କା ଫାଇନ ଦେଇଥିଲେ। ଏଥି ମଧ୍ୟରୁ ୧୩ଜଣ ଖଣି ମାଲିକ ସମ୍ପୂର୍ଣ୍ଣ ଫାଇନ ଅର୍ଥ ନଦେଇ ଆଶିଂକ ଫାଇନ ଦେଇଥିବା ଜଣାପଡିଛି। ବାକି ଜରିମାନା ଦେଇନଥିବା ୫୨ଟି ଖଣି ୬୨୦୦କୋଟି ଫାଇନ ଦେଇନଥିଲେ। ଫାଇନ ଅର୍ଥ ଦେଇନଥିବା କେନ୍ଦୁଝର ଜିଲ୍ଲାର ୨୩ଜଣ ଖଣିମାଲିକଙ୍କ ୩୧ଟି ଖଣିକୁ ଶନିବାର ଦିନ କେନ୍ଦୁଝର ଜିଲାପାଳଙ୍କ ସାଟିଫିକେଟ କୋର୍ଟ ପକ୍ଷରୁ ନୋଟିସ କରାଯାଇଥିବା ଜଣାପଡିଛି। ଏହା ପରେ ସେମାନେ ଜରିମାନା ନ ଦେଲେ ସମ୍ପତ୍ତି ବ୍ୟାଜାପ୍ତି ହେବ ବୋଲି ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *