ଜୀବନ ସହ ସଂଗ୍ରାମ କରୁଛନ୍ତି ଜରଟି ଷ୍ଟେସନର ଅର୍ଜୁନ; ପାଇଖାନା ଘର ମଧ୍ୟରେ ୭ ବର୍ଷ ହେଲା ଜୀବନ ବିତାଉଛନ୍ତି; ୫ କେଜି ଚାଉଳ ଦେଇ ସରକାର ଚୁପ

କୋରାପୁଟ ୨୪-୦୬-୧୮ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତର ଜରଟି ଷ୍ଟେସନ ଗାଁରେ ଦୁଃଖ କଷ୍ଟରେ ହେଲେ ବି ଅର୍ଜୁନ ହରିଜନ ତାଙ୍କ ସ୍ତ୍ରୀ, ଝିଅ ଓ ପୁତ୍ରକୁ ନେଇ ହସଖୁସିରେ ଜୀବନ ଅତିବାହିତ କରୁଥିଲେ। ୭ ବର୍ଷ ତଳେ ଯେତେବେଳେ ସ୍ତ୍ରୀ ମୋତି ହରିଜନ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କଲେ ତା’ ପରେ ପରେ ଅର୍ଜୁନଙ୍କ ଦୁଃଖ ବଢିବାରେ ଲାଗିଲା। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ କୋରାପୁଟ ଡାକ୍ତରଖାନା ଆସି ଦେଖାଇଲେ କିନ୍ତୁ ରୋଗ ଭଲ ହେଲା ନାହିଁ ତାପରେ ଆରମ୍ଭ ହେଲା ଚେରମୂଳି ମେଡିସିନ ସେଥିରେ ମଧ୍ୟ କିଛି ଭଲ ନ ହେବାରୁ କୋରାପୁଟ ଡାକ୍ତରଖାନାକୁ ପୁର୍ନବାର ଯାଇ ପରୀକ୍ଷା କରିଥିଲା ଓ ଡାକ୍ତର ବ୍ରହ୍ମପୁର ଯିବାକୁ କହିଥିଲେ ବୋଲି ଅର୍ଜୁନ ପ୍ରକାଶ କରିଥିଲେ। ବ୍ରହ୍ମପୁର ଯିବାକୁ ଅର୍ଥ ବାଧକ ସାଜିଥିଲା। ସ୍ୱଛ ଭାରତ ଅଭିଯାନ ତରଫରୁ ନିର୍ମାଣାଧିନ ପାଇଖାନା ଭିତରେ ଏକ କୁଡିଆ ଘରେ ୭ ବର୍ଷ ହେଲା ଜୀବନ ବିତାଉଛନ୍ତି ଅର୍ଜୂନ। ସେହି ସ୍ଥାନରେ ପାଇଖାନା ଓ ରୋଷେଇ ଘର ଥିବା ବେଳେ ସେହିଠାରେ ହିଁ ସେ ଶୋଇଥିବା ନଜର କରାଯାଇଥିଲା। ଉଠିକରି ବସିପାରୁଛନ୍ତି କିନ୍ତୁ ଠିଆ ହୋଇ ପାରୁ ନ ଥିବା ଗ୍ରାମର ସଦା ଟାକ୍ରୀ ପ୍ରକାଶ କରିଥିଲେ। ସରକାର କେବଳ ୫ କେଜି ଚାଉଲ ଦେଉଛନ୍ତି ଆଉ କିଛି ଦେଉ ନ ଥିବା ପଡୋଶୀ ସରୋଜିନୀ ହରିଜନ ସୂଚନା ଦେଇଥିଲେ। ଝିଅ ରାମା ହରିଜନ ଭାଇ ଓ ବାପାଙ୍କ ପାଇଁ ରୋଷେଇ କରି କୁଲି କାମ କରିବାକୁ କୋରାପୁଟ ଯାଆନ୍ତି ଓ ପୁଅ ଧନପତି ହରିଜନ ପାଠ ପଢିବାକୁ କୋରାପୁଟ ଯାଇଥାନ୍ତି। ସେହି କୁଡିଆ ଘରେ କେବଳ ଅର୍ଜୁନ ସାଲ ଘୋଡେଇ ହୋଇ ଶୋଇଥାନ୍ତି ବୋଲି ସରୋଜିନୀ ସୂଚନା ଦେଇଥିଲେ। ରାତ୍ରୀରେ ଝିଅ ଆସିଲେ ବାପାର ସେବା କରିବା ସହ ରାତ୍ରୀ ପାଇଁ ରୋଷେଇ କରିଥାନ୍ତି। ବହୁତ ଦୁଃଖ କଷ୍ଟରେ ପରିବାର ଚଳୁଥିବା ସେ ସୂଚନା ଦେଇଥିଲେ। ପେନସନ ପାଇଁ ଆବେଦନ କରାଯାଇଥିବା ସତ୍ୱେ ପେନସନ ମିଳି ନାହିଁ। ଆମ୍ଭ ପ୍ରତିନିଧିଙ୍କ ଆଗରେ ଅଶ୍ରୁଭରା କଣ୍ଠରେ ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ନିମନ୍ତେ ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ ଅର୍ଜୁନ ସେହି ଯୋଜନାରେ ସାମିଲ ହେଉଛି କି ! ସାଧାରଣରେ ପ୍ରଶ୍ନ ଉଠୁଛି। କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର୍ ଏ ସଂପର୍କରେ ପଚାରିବାରୁ ଏ ବିଷୟ ସେ ଜାଣିନାହାନ୍ତି ଯଦି ପେନସନ ନିମନ୍ତେ ଆବେଦନ କରିଛନ୍ତି ତେବେ କାହିଁକି ଏ ପର୍ଯ୍ୟନ୍ତ ତାହା ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ଝିଅକୁ ଯଦି ୩୦ ବର୍ଷ ହୋଇଥିବ ତେବେ ତାର ମଧ୍ୟ ପେନସନ କରାଯିବ ବୋଲି ସେ ସୂଚନା ଦେଇଥିଲେ। କୋରାପୁଟରେ ୨ ଟି ବୃଦ୍ଧାଶ୍ରମ ରହିଛି ଯଦି ଅର୍ଜୁନ ସେଠାରେ ରହିବାକୁ ଚାହିଁବେ ତେବେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଥିଲେ। ସାମାଜିକ ସୁରକ୍ଷା ବିଭାଗ ତରଫରୁ ଯାହା ଅନୁଦାନ ରହିଛି ସେଗୁଡିକ ଅର୍ଜୁନଙ୍କୁ ପ୍ରଦାନ କରିବାର ସମସ୍ତ ବନ୍ଦୋବସ୍ତ କରାଯିବ ବୋଲି ସେ ଆଶ୍ୱସନା ଦେଇଥିଲେ। ମାନବାର ପଂଚାୟତ ନିର୍ବାହୀ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ଅର୍ଜୁନଙ୍କ ଅବସ୍ଥା କିପରି ଅଛି ଦେଖିବା ସହ ବ୍ଲକ ପ୍ରଶାସନ ତରଫରୁ କଣ କଣ ବ୍ୟବସ୍ଥା କରାଯାଇପାରିବ ତାହା ନିଶ୍ଚିତ ଭାବେ କରାଯିବ ବୋଲି କୋରାପୁଟ ଏବିଡିଓ ସଦାଶିବ ଅଧିକାରୀ ପ୍ରକାଶ କରିଥିଲେ। ଉକ୍ତ ଗ୍ରାମ କୋରାପୁଟଠାରୁ ମାତ୍ର ୧୦ କିମି ଦୂରରେ ଅବସ୍ଥିତ। ଅର୍ଜୂନଙ୍କୁ ପକ୍ଷପାତ ରୋଗ ହୋଇଥିବା ଗ୍ରାମବାସୀ କହୁଥିବା ବେଳେ କଣ ରୋଗ ହୋଇଛି ତାହା ଅର୍ଜୂନ କହିପାରୁ ନାହାନ୍ତି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅର୍ଜୁନ କିପରି କୋରାପୁଟ ହସପିଟାଲ ଆସି ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ପାରିବ ତାହା ସ୍ୱାସ୍ଥ୍ୟ ବିଭାଗ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *