ଓଡ଼ିଶା

ଜିଏମୟୁ କ୍ୟାମ୍ପସରେ ବହୁମୁଖୀ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କୁ ଦିଆଗଲା ପ୍ରସ୍ତାବ

ସମ୍ବଲପୁର, ୨୦/୮ (ଓଡ଼ିଆ ପୁଅ) – ୧୯୪୪ ମସିହାରେ ସମ୍ବଲପୁର କଲେଜ ଭାବେ ସ୍ଥାପିତ ଏବର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୬ ହଜାରରେ ପହଞ୍ଚିଛି। ଆଗକୁ ନୂଆ ନୂଆ ବିଷୟରେ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବା ସକାଶେ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଇତିମଧ୍ୟରେ ଡିଜାଇନ ଓ ବ୍ୟୟ ଅଟକଳ ଚୂଡ଼ାନ୍ତ ହେବା ସହିତ ଏହା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଏହି କ୍ରୀଡ଼ା କମ୍ପ୍ଲେକ୍ସ ପ୍ରକଳ୍ପ ପାଇଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ପ୍ରାୟ ୬ ଏକଡ଼ ଜମି ଚିହ୍ନଟ କରାଯାଇଛି। ସହରର ମଧ୍ୟଭାଗରେ ଥିବା କ୍ୟାମ୍ପସର ୩୮ ଏକଡ଼ ପରିମିତ ଜାଗାରୁ ଉକ୍ତ ଜମି ଉପଯୋଗ କରାଯିବ। ଏହା ମୁଖ୍ୟ କ୍ୟାମ୍ପସର ପଛ ପାର୍ଶ୍ୱରେ ରହିଛି।

କମ୍ପ୍ଲେକ୍ସରେ ହକି ଟର୍ଫ, ବାସ୍କେଟବଲ କୋଟ, ଭଲିବଲ କୋଟ ଓ ଟେନିସ କୋଟ ରହିବ। ଏହାବ୍ୟତୀତ ଦର୍ଶକମାନଙ୍କ ପାଇଁ ଗ୍ୟାଲେରୀ ଓ ଗ୍ୟାଲେରୀ ତଳେ ଇନ୍ଡୋର ଖେଳର ବ୍ୟବସ୍ଥା ରହିବ। ସେହିଭଳି ଏକ ସୁଇମିଂ ପୁଲର ପ୍ରସ୍ତାବ ମଧ୍ୟ ରଖାଯାଇଛି। ଏହି ଜାଗା ସହିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସମ୍ମୁଖରେ ଥିବା ଦୁଇ ପଡ଼ିଆକୁ ମଧ୍ୟ ବ୍ୟବହାର କରାଯିବ। ୪ ଏକଡ଼ ପରିମିତ ଏହି ଜମିରେ ଫୁଟବଲ ଓ ହକି ଖେଳ ପାଇଁ ପୃଥକ ପୃଥକ ଦୁଇଟି ଖେଳ ପଡ଼ିଆ ବିକଶିତ କରାଯିବ। ଏଠାରେ ଫାଟକ ପଟରୁ ଆରମ୍ଭ ହୋଇ ସମ୍ମୁଖ ଭାଗ ପର୍ଯ୍ୟନ୍ତ ‘ଏଲ’ ଶୈଳୀରେ ଗ୍ୟାଲେରୀ ନିର୍ମାଣ କରାଯିବାକୁ ଡିଜାଇନରେ ପ୍ରାବଧାନ ରଖାଯାଇଛି। କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (ସିପିଡବ୍ଲୁଡ଼ି) ଏହି ସମସ୍ତ ଯୋଜନା ପାଇଁ ଡିଜାଇନ ପ୍ରସ୍ତୁତ କରିଛନ୍ତି। ପ୍ରକଳ୍ପ ସକାଶେ ୧୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ପ୍ରକଳ୍ପର ବିସ୍ତୃତ ରିପୋର୍ଟ ବା ଡିପିଆର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏଥିରେ ସରକାର ଅନୁକୂଳ ମନୋଭାବ ପ୍ରଦର୍ଶନ କରିଛନ୍ତି। କଲେଜ ସମୟରୁ ଏହି ପୁରାତନ ଶିକ୍ଷାନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ସନ୍ତରଣ, ଫୁଟବଲ, ହକି, ଭଲିବଲ, ଏଥେଲେଟିକ୍ସ, ଖୋଖୋ ଭଳି ଖେଳରେ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି। ହେଲେ ଭିତ୍ତିଭୂମି ସଂକୁଚିତ ହୋଇଥିବାରୁ ସେହି ଧାରା ବ୍ୟବସ୍ଥିତ ହୋଇପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ସ୍ପୋର୍ଟସ କମ୍ପ୍ଲେକ୍ସର ପରିକଳ୍ପନା କରାଯାଇଥିବା ବିଶ୍ୱବିଦ୍ୟାଳୟ ଉପକୁଳସଚିବ ଡ. ଉମାଚରଣ ପତି ସୂଚନା ଦେଇଛନ୍ତି। ନୂଆ ପ୍ରକଳ୍ପ ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଓ କ୍ରୀଡ଼ା ଦକ୍ଷତା ବିକଶିତ କରିବାରେ ସହାୟକ ହେବ। ସେହିଭଳି ବିଶ୍ୱବିଦ୍ୟାଳୟରେ ଜଣେକରି ପୁରୁଷ ଓ ମହିଳା ଶାରୀରିକ ଶିକ୍ଷାଧିକାରୀଙ୍କୁ ଅବସ୍ଥାପିତ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ସହରର ମହାନଦୀ ଅପର ପାଶ୍ୱର୍ରେ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୫୦ ଏକଡ଼ ଜମିର ବନ୍ଦୋବସ୍ଥ କରାଯାଇଛି। ଏଠାରେ ତଥା ମୂଳ କ୍ୟାମ୍ପସରେ ନୂଆ ଶ୍ରେଣୀ କକ୍ଷ ଖୋଲିବା ପାଇଁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top