ଓଡ଼ିଶା

ଜିଏମୟୁକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଭିଜନ-୨୦୩୦ ଉପସ୍ଥାପିତ

ସମ୍ବଲପୁର, ୨୪/୧୦ (ଓଡ଼ିଆ ପୁଅ) – ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ସ୍ୱରୂପ ଦେବାପାଇଁ ‘ଭିଜନ୍-୨୦୩୦’ ଯୋଜନାର ଉପସ୍ଥାପନା କରିଛନ୍ତି କୁଳପତି ଡ. ଅତନୁ କୁମାର ପତି। ପ୍ରେସକ୍ଲବ ପକ୍ଷରୁ ଆଜି ଆୟୋଜିତ ମିଟ୍ ଦ ପ୍ରେସ କାର୍ୟ୍ୟକ୍ରମରେ ଭାଗ ନେଇ ପାୱାର ପଏଣ୍ଟ ଉପସ୍ଥାପନ ମାଧ୍ୟମରେ ମେହେର ବିଶ୍ୱବିଦ୍ୟାଳୟ ପାଇଁ କରାଯାଇଥିବା ସୁପରିକଳ୍ପିତ ଯୋଜନା ସମ୍ପର୍କରେ ଆଲୋଚନା କରି ଡ. ପତି କହିଛନ୍ତି ଯେ, ପଠନ ଓ ଗବେଷଣାର ଯଥାର୍ଥ ଭିତ୍ତିଭୂମି, ବର୍ତ୍ତମାନ ଏବଂ ଆଗାମୀ ସମୟକୁ ଆଖି ଆଗରେ ରଖି ନୂଆ ନୂଆ ପାଠ୍ୟକ୍ରମ ପ୍ରବର୍ତ୍ତନ ଜରିଆରେ ଏହି ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରାଯାଇ ପାରିବ। ଏହି କ୍ରମରେ ସେ ଡିପାର୍ଟମେଣ୍ଟ ଅଫ ହାପିନେସ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାଇନ୍ସ, ରୁରାଲ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି, ସମ୍ବଲପୁରୀ ଭାଷାରେ ବିଏ ଏବଂ ଏମଏ, ହ୍ୟାଣ୍ଡଲୁମରେ ଡିପ୍ଲୋମା, ଯୋଗ, ବିଦେଶୀ ଭାଷା ଶିକ୍ଷା, ଫିଲ୍ମ ଓ ସିନେମାଟୋଗ୍ରାଫି ସମେତ ବିଭିନ୍ନ ଉପାଦେୟ ବିଷୟ ଉପରେ ବିଭାଗ ଖୋଲିବାର ଯୋଜନା ଥିବା କହିଥିଲେ। ବିଶ୍ୱବିଦ୍ୟାଳୟ କୋଠାରେ ସକାଳ ୮ଟାରୁ ୧୨ଟା ପର୍ୟ୍ୟନ୍ତ ଯୁକ୍ତଦୁଇ କଲେଜର ଶ୍ରେଣୀ ଚାଲିବା, ଯୁକ୍ତ ଦୁଇ କଲେଜର ପରିଚାଳନା ପାଇଁ କାର୍ୟ୍ୟାଳୟ ରହିବା, ଏନସିସି ଏବଂ ଆରଡ଼ି ବିଭାଗର କାର୍ୟ୍ୟାଳୟ ଥିବା ବିଶ୍ୱବିଦ୍ୟାଳୟର ସୁପରିଚାଳନା ତଥା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି। ସେହିଭଳି ବିଶ୍ୱବିଦ୍ୟାଳୟ କୋଠା ଏବଂ ଛାତ୍ରୀ ନିବାସ ମଧ୍ୟରେ ସାଧାରଣ ଲୋକଙ୍କ ଚଳାଚଳ ପାଇଁ ରହିଥିବା ରାସ୍ତା, କ୍ୟାମ୍ପସ ମଧ୍ୟକୁ ଲୋକଙ୍କ ଅବାଧ ପ୍ରବେଶ ସମସ୍ୟା ରୂପେ ଉଭା ହୋଇଛି। ଖୁବ୍ଶୀଘ୍ର ସଫେଇ ଏବଂ ନିରାପତ୍ତା ଦାୟିତ୍ୱ ବାହ୍ୟ ସଂସ୍ଥାକୁ ଦେବାପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ଯୁକ୍ତ ଦୁଇ କଲେଜ ଓ ଅନ୍ୟାନ୍ୟ ବାହ୍ୟ କାର୍ୟ୍ୟାଳୟ ତୁରନ୍ତ ବିଶ୍ୱବିଦ୍ୟାଳୟରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବା, ପରିସର ମଧ୍ୟରେଥିବା ସାଧାରଣ ରାସ୍ତା ବନ୍ଦ ହେବା ଆବଶ୍ୟକ ବୋଲି କହିଥିଲେ। ଛାତ୍ରୀ ନିବାସ ସମ୍ମୁଖରେ ଥିବା ପଡ଼ିଆକୁ ସନ୍ତରଣାଗାର, ଭଲିବଲ, ବାସ୍କେଟବଲ, ଯୋଗ ଆଦି ସକାଶେ ସୁବିଧାସମ୍ପନ୍ନ ଏକ ମିନି ସ୍ପୋର୍ଟସ କମ୍ପ୍ଲେକ୍ସରେ ପରିଣତ କରାଯିବାକୁ ଥିବାବେଳେ ବସନ୍ତପୁରରେ ଉପଲବ୍ଧ ୫୦ ଏକଡ଼ର ଭୂମିରେ ଦ୍ୱିତୀୟ କ୍ୟାମ୍ପସ ଖୋଲାଯାଇ ସେଠାରେ ୮ଟି ବିଭାଗ ତଥା ଫୁଟବଲ ଏବଂ କ୍ରିକେଟ ପଡ଼ିଆ ପ୍ରତିଷ୍ଠା କରାଯିବ। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଉମାଚରଣ ପତି ମଧ୍ୟ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top