ଜିଲ୍ଲା ପରିକ୍ରମା

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟରେ ଗୃହ ହାତେଇ ୭ଜଣଙ୍କ ନାମରେ ମାମଲାରୁଜୁ କଲେ ବାହାନଗା ବିଡ଼ିଓ

ବାହାନଗା/ବାଲେଶ୍ୱର, ୨୩/୦୩(ଓଡ଼ିଆ ପୁଅ/ ଭାରତୀ ଦାସ)- ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗୃହ ହାତେଇ ହିତାଧିକାରୀ ହରଡ଼ ଘଣାରେ ପଡ଼ିଛନ୍ତି। ଯେନତେନ ପ୍ରକାରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଗୃହ ହାତେଇବା ଉଦ୍ୟମ କରି ଶେଷରେ ଆଇନ ପଞ୍ଝା ମଧ୍ୟରେ ଫସିଥିବାର ଜଣାପଡ଼ିଛି। ଏଭଳି ଗୁରୁତର ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଘଟିଛି। ତେବେ ଘଟଣାଟି ବ୍ଲକ ସାରା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଧରପଗଡ଼ ଯୋଗୁଁ ୭ଜଣ ହିତାଧିକାରୀଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ଜାଲ ଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ବାହାନଗା ବ୍ଲକରେ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କେତେକ ହିତାଧିକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିଜ ନାମକୁ ସାମିଲ କରି ଘର ହାତେଇ ଥିଲେ। ସେମାନଙ୍କ ମଧ୍ୟରେ ଭତ୍ତା ପାଇଁ ମଧ୍ୟ କିଛି ଆବେଦନ କରିଥିଲେ। ତେବେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ ବେଳେ ବିଡ଼ିଓଙ୍କର ସନ୍ଦେହ ଉପୁଜି ଥିଲା। ଏଣୁ ବିଡ଼ିଓ ଉମାକାନ୍ତ ନାୟକ ତା୨୬/୧୨/୨୦୧୭ରିଖରେ ଚିଠି ନଂ ୨୯୪୪ ମାଧ୍ୟମରେ ୧୨ଜଣ ହିତାଧିକାରୀଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ଯାଞ୍ଚ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଠାଇ ଥିଲେ। ଜିଲ୍ଲା ମୁଖ୍ୟାଳୟରୁ ଗତ ତା୨୬/୦୨/୨୦୧୮ରିଖରେ ଚିଠି ନଂ ୨୪୪୮ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉକ୍ତ ୧୨ଜଣଙ୍କ ସାର୍ଟିଫିକେଟ ଜାଲ ଓ ଇଣ୍ଟରନେଟରେ ଉପଲବ୍ଧ ନଥିବାର ଜଣାଇଥିଲେ। ଏନେଇ ବିଡ଼ିଓ ଶ୍ରୀ ନାୟକ ଚଳିତ ମାସ ୧୭ତାରିଖରେ ଚିଠି ନଂ ୫୨୫ଦ୍ୱାରା ଖନ୍ତାପଡ଼ା ଥାନାରେ ୭ଜଣ ଭିନ୍ନକ୍ଷମ କସବାଜୟପୁର ପଞ୍ଚାୟତ ଡାଲିଙ୍ଗିଆ ଗ୍ରାମର ସୌଦାମିନ ରାଉତ, ଜିରିତାଳ ଗ୍ରାମର ଜ୍ୟେସ୍ନାରାଣୀ ବିଶ୍ୱାଳ, ବାହାନଗା ପଞ୍ଚାୟତ ଦରଡ଼ିଆ ଗ୍ରାମର ସରସ୍ୱତୀ ସାହୁ, କଲ୍ୟାଣୀ ପଞ୍ଚାୟତ ଦ୍ୱାରିକାର ଉମେଶ ଚନ୍ଦ୍ର ବେହେରା, ସାଉଡ଼ ପଞ୍ଚାୟତ ପୁରାଣ ଗ୍ରାମର ଦ୍ରୌପଦୀ ବାରିକ, ପଣପଣା ପଞ୍ଚାୟତ ବେତଗଡ଼ିଆର ବାଇଧର ମଲ୍ଲିକ ଓ ଖନ୍ତାପଡ଼ା ପଞ୍ଚାୟତ ଖନ୍ତାପଡ଼ା ଗ୍ରାମର ଅନୁଜ କୁମାର ମହାନ୍ତିଙ୍କ ନାମରେ ଲିଖିତ ଅଭିଯୋଗ ଆଣିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ଖନ୍ତାପଡ଼ା ଥାନା ପକ୍ଷରୁ ଚଳିତ ମାସ ୧୯ତାରିଖରେ ଦଫା ୪୨୦, ୪୬୮, ୪୭୧, ୩୪ ଆଇପିସିରେ ୮୮/୧୮ନଂରେ ମାମଲା ରୁଜୁ କରିଥିଲେ। ତେବେ ଆଜି ଖନ୍ତାପଡ଼ା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ବ୍ଳକରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ଜାଲ କାଗଜ ପତ୍ର ବିଭାଗୀୟ କାର୍ଯ୍ୟାଳୟରୁ ଜବଦ କରି ଥିବାର ଜଣାପଡ଼ିଛି। ତେବେ ଏବାବଦରେ ବିଡ଼ିଓ ଶ୍ରୀ ନାୟକଙ୍କୁ ପଚାରିବାରୁ ଜାଲ କାଗଜପତ୍ର ବଳରେ ୫ଜଣ ଗୃହ ଓ ୨ଜଣ ଭତ୍ତା ପାଇଁ ଆବେଦନ କରିଥିଲେ। ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଥିଲା। ତେବେ ଯାଞ୍ଚ ବାବଦରେ ଆଗୁଆ ସୂଚନା ପାଇ ୨ଜଣ ହିତାଧିକାରୀ ନେଇଥିବା ଅର୍ଥ ଫେରାଇଥିଲେ ମଧ୍ୟ ପ୍ରଶାସନ ସହିତ ଠକାମୀ କରିଥିବାରୁ ଅନ୍ୟମାନଙ୍କ ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାକୁ ରିପୋର୍ଟ ଦିଆଯାଇଛି। ଭତ୍ତା ଆବେଦନ କାରୀଙ୍କ ଭତ୍ତା ଏ ପର୍ଯ୍ୟନ୍ତ ମଞ୍ଜୁର କରାଯାଇ ନଥିବାର ସେ ପ୍ରକାଶ କରିଛନ୍ତି। ତେବେ ଆଜିର ଘଟଣା ପରେ ବ୍ଲକ କର୍ମଚାରୀ ତଥା ଜାଲ ହିତାଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାର ଦେଖାଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top