ଜିଲ୍ଲା ପରିକ୍ରମା

ଜାଲ ଛାତ୍ର ଉପସ୍ଥାନର ଗୁମର ଫିଟୁଛି ଆଧାର ଲିଙ୍କ କଟକଣା ଯୋଗୁ ସରକାରୀ ସ୍କୁଲରେ ଉପସ୍ଥାନ ହ୍ରାସ

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାର ଏମ୍ଡିଏମ୍ରେ ଆଧାର ଲିଙ୍କକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଘୋଷଣା କରିବା ପରେ ସରକାରୀ ସ୍କୁଲରେ ଜାଲ୍ ଉପସ୍ଥାନର ଗୁମର ଫିଟୁଛି। ଜିଲାରେ ଆଧାର ଲିଙ୍କ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିଲେ ମଧ୍ୟ ଜାଲ୍ ଉପସ୍ଥାନ ଧରାପଡିଯିବା ଭୟରେ ସ୍କୁଲ ଗୁଡିକ ସେମାନଙ୍କ ବିଦ୍ୟାଳୟର ପ୍ରକୃତ ଛାତ୍ର ଉପସ୍ଥାନ ତଥ୍ୟ ଉପସ୍ଥାପନ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିବା କୁହାଯାଉଛି। ଫଳରେ ଚଳିତବର୍ଷ ଜିଲାରେ ଏମ୍ଡିଏମ୍ ଗ୍ରହଣ କରୁଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ଅନ୍ୟୁନ ୨୯ ହଜାର ହ୍ରାସ ପାଇଛି। ଗତବର୍ଷ ଭଦ୍ରକ ଜିଲାରେ ଥିବା ୧୯୧୮ ଟି ପ୍ରାଇମେରୀ ଏବଂ ଅପର ପ୍ରାଇମେରୀ ସ୍କୁଲରେ ଛାତ୍ର ଉପସ୍ଥାନ ୧ ଲକ୍ଷ ୭୯ ହଜାର ୬୭୪ ରହିଥିବାବେଳେ ଚଳିତ ବର୍ଷ ମିଶ୍ରଣ ଏବଂ ଉଚ୍ଛେଦ ପରେ ଜିଲାରେ ପ୍ରାଇମେରୀ ଏବଂ ଅପର ପ୍ରାଇମେରୀ ସ୍କୁଲ ସଂଖ୍ୟା ୧୬୫୧ କୁ ଖସି ଆସିଛି। ଏହି ସୂଚନା ଅନୁଯାୟୀ ଚଳିତବର୍ଷ ଜିଲାରେ ପ୍ରାଇମେରୀ ଏବଂ ଅପର ପ୍ରାଇମେରୀ ଶ୍ରେଣୀରେ ଛାତ୍ର ଉପସ୍ଥାନ ୧ ଲକ୍ଷ ୪୯ ହଜାର ୮୨୭ କୁ ଖସିଆସିଛି। ଅର୍ଥାତ୍ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଜିଲାରେ ଏମ୍ଡିଏମ୍ ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୮ ହଜାର ୮୪୭ ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ପ୍ରାଇମେରୀ ଏବଂ ଅପର ପ୍ରାଇମେରୀ ଶ୍ରେଣୀରେ ଆଧାର ଲିଙ୍କ କାର୍ଯ୍ୟ ଚୂଡାନ୍ତ ହୋଇନଥିଲେ ମଧ୍ୟ ଚଳିତମାସ ବିଇଓମାନଙ୍କ ଦ୍ୱାରା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିବା ଛାତ୍ର ଉପସ୍ଥାନ ରିପୋର୍ଟରୁ ଏହି କଥା ଜଣାପଡିଛି। ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ୍ ଏବଂ ପୌରପାଳିକାରେ ଥିବା ୩୩୮ ଟି ପ୍ରାଇମେରୀ ଏବଂ ଅପର ପ୍ରାଇମେରୀ ସ୍କୁଲରେ ଛାତ୍ର ଉପସ୍ଥାନ ୩୧ ହଜାର ୩୫୪ ରହିଥିବାବେଳେ ଭଦ୍ରକ ବ୍ଲକ୍ ଏବଂ ଭଦ୍ରକ ପୌରପାଳିକାରେ ଥିବା ୩୨୧ ଟି ସ୍କୁଲରେ ଛାତ୍ର ଉପସ୍ଥାନ ୩୧ ହଜାର ୭୨୧ ରହିଛି। ସେହିଭଳି ଭଣ୍ଡାରିପୋଖରୀ ବ୍ଲକ୍ରେ ଥିବା ୧୭୪ ଟି ସ୍କୁଲରେ ୧୪ ହଜାର ୪୭୬, ବନ୍ତ ବ୍ଲକ୍ରେ ୨୪୫ ଟି ସ୍କୁଲରେ ୧୬ ହଜାର ୭୧୫ ଜଣ, ବନ୍ତ ଆଦର୍ଶ ବିଦ୍ୟାଳୟରେ ୧୬୨ ଜଣ, ଚାନ୍ଦବାଲି ବ୍ଲକ୍ରେ ୩୨୪ ଟି ସ୍କୁଲରେ ୩୧ ହଜାର ୫୯୧ ଜଣ ଏବଂ ତିହିଡି ବ୍ଲକ୍ରେ ୨୫୦ ଟି ସ୍କୁଲରେ ୨୩ ହଜାର ୮୦୮ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରିପୋର୍ଟ ପ୍ରଦାନ କରାଯାଇଛି। ଜିଲାରେ ପ୍ରାଇମେରୀ, ଅପର ପ୍ରାଇମେରୀ ଏବଂ ହାଇସ୍କୁଲ ସ୍ତରରେ ଆଧାର ଲିଙ୍କ କାର୍ଯ୍ୟ ଚୂଡାନ୍ତ ହୋଇନଥିଲେ ମଧ୍ୟ କର୍ତ୍ତୃପକ୍ଷ ସରକାରଙ୍କୁ ବାସୁଦେବପୁର ବ୍ଲକ୍ରେ ୯୪ ପ୍ରତିଶତ, ବାସୁଦେବପୁର ପୌରପାଳିକାରେ ଶହେ ପ୍ରତିଶତ, ଭଦ୍ରକ ବ୍ଲକ୍ରେ ୯୫ ପ୍ରତିଶତ, ଭଦ୍ରକ ପୌରପାଳିକାରେ ୯୮ ପ୍ରତିଶତ, ଭଣ୍ଡାରିପୋଖରୀ ବ୍ଲକ୍ରେ ୯୭ ପ୍ରତିଶତ, ବନ୍ତ ବ୍ଲକ୍ ରେ ୯୩ ପ୍ରତିଶତ, ଚାନ୍ଦବାଲି ବ୍ଲକ୍ ରେ ୯୬ ପ୍ରତିଶତ, ଚାନ୍ଦବାଲି ଏନଏସିରେ ୯୪ ପ୍ରତିଶତ, ଧାମନଗର ବ୍ଲକ୍ ଏବଂ ଏନ୍ଏସିରେ ଶହେ ପ୍ରତିଶତ ଏବଂ ତିହିଡି ବ୍ଲକ୍ରେ ୯୬ ପ୍ରତିଶତ ପିଲାଙ୍କର ଆଧାର ଲିଙ୍କ ସରିଥିବା ତଥ୍ୟ ପ୍ରଦାନ କରିଛନ୍ତି। ତେବେ ଆଧାର ଲିଙ୍କ ଚୂଡାନ୍ତ ହେବା ପରେ ବିଦ୍ୟାଳୟ ମାନଙ୍କରେ ଛାତ୍ର ଉପସ୍ଥାନ ଆହୁରି ହ୍ରାସ ପାଇବେ ବୋଲି କୁହାଯାଉଛି। ସୂଚନା ଯୋଗ୍ୟ ଯେ ସରକାର ଛାତ୍ର ଉପସ୍ଥାନ କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକରେ ଏମ୍ଡିଏମ୍ ଚାଉଳ କୋଟା ଧାର୍ଯ୍ୟ କରିଥାନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top