ଜାମାରୀ ଘରପୋଡି, ପ୍ରବଳ ଥଣ୍ଡାରେ ପଲିଥିନ ତଳେ ୪ ଶିଶୁଙ୍କ ସହ ଅସହାୟ ପରିବାର

ବୌଦ୍ଧ, ୧୨ା୧୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧବ୍ଲକ ଆମ୍ବଝରୀ ପଂଚାୟତ ଅନ୍ତର୍ଗତ ବିଜାମାରୀ ଗ୍ରାମରେ ଗତ ୭ ତାରିଖ ଦିନ ହୋଇଥିବା ଘରପୋଡି ଘଟଣାକୁ ଦୀର୍ଘ ୪ ଦିନ ବିତିଯାଇଥିଲେ ମଧ୍ୟ ଅସହାୟ ପରିବାରକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିପାରିନାହିଁ। ବର୍ତ୍ତମାନ ୪ ଶିଶୁଙ୍କ ସହ ଅସହାୟ ପରିବାର ଘରପୋଡି ପରଦିନ ରାଜସ୍ୱ ନିରୀକ୍ଷକ ଦେଇଥିବା ଜରିପାଲ ତଳେ ପ୍ରବଳ ଥଣ୍ଡାରେ ପଡି ରହିଛନ୍ତି। ଗ୍ରାମର ଜୟ ମଲିକ ଏବଂ ତାଙ୍କ ସ୍ତ୍ରୀ ଘରେ ନଥିବାବେଳେ ହଠାତ୍ ଅଗ୍ନିକାଣ୍ଡ ଘଟି ତାଙ୍କ ଘର ସଂପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବାବେଳେ ତାଙ୍କର ୪ ଜଣ ଶିଶୁ ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଥିଲେ। ଅଂଚଳର କିଛି ବଦାନ୍ୟ ବ୍ୟକ୍ତିବିଶେଷ ଅସହାୟ ପରିବାରଙ୍କ ଦୁଃଖ ସହିନପାରି କିଛିଦିନ ପାଇଁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖଣ୍ଡିଏ ଜରିପାଲ ବ୍ୟତୀତ ଅନ୍ୟ କୌଣସି ସହାୟତା ମିଳିପାରିନଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲାରେ ଥଣ୍ଡାର ପ୍ରକୋପ ବଢି ଚାଲିଥିବାବେଳେ ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *