ଜାଭଡ଼େକରଙ୍କର ବକ୍ତବ୍ୟ ଉପରେ ବିଜେଡ଼ିର ମତ

ଭୁବନେଶ୍ୱର ୧୪-୮ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକରଙ୍କର ବକ୍ତବ୍ୟ ଉପରେ ମତ ରଖି ବିଜୁ ଜନତା ଦଳ ତାଙ୍କର ଆକ୍ଷେପକୁ ସଂପୂର୍ଣ୍ଣ ଭାବରେ ଭିତ୍ତିହୀନ, ହାସ୍ୟାସ୍ପଦ ଏବଂ ଅପ୍ରାସଂଗିକ ବୋଲି ମତ ରଖିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକଶିତ ହେଉଛି ଏବଂ ଏହି ବିକାଶ ତନ୍ତ୍ରକୁ ଦେଖି ବିଜେପିର କେନ୍ଦ୍ରମନ୍ତ୍ରୀ ଭୟଭୀତ ହେଉଛନ୍ତି। ହତାଶା ଯୋଗୁ ଏ ପ୍ରକାରର ଅବାନ୍ତର ଆକ୍ଷେପ ଆଣୁଛନ୍ତି। ବିଜେଡି ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ଅନେକ ପ୍ରସଂଶା ଏବଂ ପୁରସ୍କାରରେ ସମ୍ମାନିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କ ମତ କେବଳ ରାଜନୀତି ଦ୍ୱାରା ପ୍ରାୟୋଜିତ ବୋଲି ଜଣାପଡୁଛି। ଦକ୍ଷତା ବିକାଶ କ୍ଷେତ୍ରରେ ୯ଲକ୍ଷ ଯୁବକ-ଯୁବତୀଙ୍କ ଦକ୍ଷତା ବୃଦ୍ଧି କରି ଓଡ଼ିଶା ଭାରତବର୍ଷର ଏକ ନମ୍ବର ରାଜ୍ୟ ଭାବରେ ପରିଗଣିତ ହୋଇଛି। ଗ୍ରାମୀଣ ରାସ୍ତା ନିର୍ମାଣ କ୍ଷେତ୍ରରେ ବିଜେଡି ସରକାର ୧୦ବର୍ଷ ମଧ୍ୟରେ ୪୧ ହଜାର କିମି ନିର୍ମାଣ କରିଥିବା ବେଳେ ଭାରତବର୍ଷର ଏକ ଶୀର୍ଷ ରାଜ୍ୟ ଭାବରେ ନିଜେ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରି ପୁରସ୍କୃତ କରିଛନ୍ତି। ଆହୁରି ଅନେକ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ କେନ୍ଦ୍ର ଏବଂ ଆନ୍ତର୍ଜାତିକ ସ୍ତରରେ ଉଚ୍ଛ୍ୱସିତ ପ୍ରସଂଶା ମିଳୁଥିଲା ବେଳେ ଗୁରୁପ୍ରିୟା ସେତୁ ନିର୍ମାଣ ବିକାଶର ଆଉ ଏକ ମାଇଲ୍‌ଖୁଣ୍ଟ ଭାବରେ ପରିଗଣିତ ହୋଇଛି। ଓଡ଼ିଶାର ଏହି ବିକାଶ ଧାରାକୁ ବିଜେପିର କେନ୍ଦ୍ରମନ୍ତ୍ରୀ ସହ୍ୟ କରିପାରୁ ନାହାନ୍ତି ଏବଂ ନିଜ ଦଳର ଦୟନୀୟ ସ୍ଥିତିକୁ ଦେଖି ଉଦ୍ଦେଶ୍ୟମୂଳକ ଭାବରେ ଏ ପ୍ରକାରର ଅଭିଯୋଗ ବିଜେଡି ବିରୋଧରେ ଆଣୁଛନ୍ତି। ଯେଉଁ ଗଞ୍ଜାମ ଜିଲ୍ଲାର ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକର ଅଛନ୍ତି, ସେଠାରେ ବିଜେଡିର କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ସେହି ହତ୍ୟାରେ ସଂପୃକ୍ତ ଥିବାରୁ ଯେଉଁମାନେ ଆଜି ଜେଲ୍‌ରେ ଅଛନ୍ତି, ସେମାନେ ବିଜେପିରେ ଏ ହତ୍ୟାକାଣ୍ଡର ଦୁଇମାସ ପୂର୍ବରୁ ମିଶିଥିଲେ। ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାରୀମାନେ କାହାର ଛତ୍ରଛାୟାରେ ରହୁଥିଲେ, ଏହା ଓଡ଼ିଶାର ଜନସାଧାରଣ ଭଲଭାବରେ ଜାଣିଛନ୍ତି। ଅପରାଧିକ ଗତିବିଧି ବିଜେପି ନେତାମାନଙ୍କ ଠାରେ ବାରମ୍ବାର ଦେଖାଯାଇଥିଲା ବେଳେ ଶ୍ରୀ ଜାଭଡ଼େକର ଅପରାଧ ବଢ଼ୁଛି ବୋଲି କହିବା ନିଜ ଦଳର ନେତାମାନଙ୍କ ପାଇଁ ବୋଧେ ଉଦ୍ଦିଷ୍ଟ। ଶ୍ରୀ ଜାଭଡ଼େକରଙ୍କ ଗସ୍ତ ଏବଂ ବକ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଓଡ଼ିଶାରେ ବିଜେପି ବର୍ତ୍ତମାନ ହତାଶ ଏବଂ ନିରାଶ ଅବସ୍ଥାରେ ପହଞ୍ଚିଛି। ଯେଉଁ ବିଜେପି ନେତାମାନେ ୧୨୦+ର ନାରା ଦେଉଥିଲେ, ସେମାନଙ୍କ ବାହାସ୍ପୋଟ ଫସର ଫାଟିଯାଇଛି। ଶ୍ରୀ ଜାଭଡ଼େକର ତାଙ୍କ ଦଳର ଦୋଦୂଲ୍ୟମାନ ଅବସ୍ଥା ଦେଖି ବୋଧେ ଏ ପ୍ରକାର ବିଚଳିତ ମନ୍ତବ୍ୟ ଦେଇଛନ୍ତି ବୋଲି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *