ଜାତୀୟ ରାଜପଥ-୧୪୩: ଦ୍ରୁତ ଗତି ଆଣୁଛି ମହାବିପତି!

ରାଉରକେଲା ୯ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଜାତୀୟ ରାଜପଥ-୧୪୩ ପାଲଟିଛି ମୃତ୍ୟୁର ସୌଦାଗର। ପ୍ରତିବର୍ଷ ଏହି ଜାତୀୟ ରାଜପଥ ଉପରେ ଛୋଟ ବଡ ଦୁର୍ଘଟଣା ଘଟି ଅକାଳରେ ବହୁ ଜୀବନ ଝଡ଼ିପଡ଼ୁଥିବାର ନଜିର ରହିଛି। ଅପରପକ୍ଷରେ ପ୍ରଶାସନିକ ସ୍ତରରେ ଦୁର୍ଘଟଣା ହାର ହ୍ରାସ କରିବା ପାଇଁ ସମୟୋଚିତ ପଦକ୍ଷେପ ନିଆନଯିବା କାରଣରୁ ଦିନକୁ ଦିନ ଏହି ରାଜପଥ ବିପଦସଙ୍କୁଳ ହୋଇ ପଡ଼ିଛି। ବେଦବ୍ୟାସ ଠାରୁ ବାରକୋଟ ପର୍ଯ୍ୟନ୍ତ ଲମ୍ବିଛି ଜାତୀୟ ରାଜପଥ-୧୪୩। ପ୍ରତିଦିନ ଶହଶହ ସଂଖ୍ୟାରେ ଭାରିଯାନ ଗୁଡ଼ିକ ଏହି ଜାତୀୟ ରାଜପଥ ଦେଇ ବେଦବ୍ୟାସ ଠାରୁ ଲାଠିକଟା, ବଣାଇଁ, କୋଇଡ଼ା, ବାରକୋଟ ଆଦି ଅଂଚଳ ଚଳାଚଳ କରିଥାଏ। ମୁଖ୍ୟତଃ ବିଭିନ୍ନ କଳାକାରଖାନାକୁ ଲୁହାପଥର ଫାଇନ୍ସ, ବାଲି, ଚିପ୍ସ ଆଦି ଡମ୍ପର, ଟ୍ରଲର, ଟ୍ରକ ଦ୍ୱାରା ନିୟମିତ ପରିବହନ ହୋଇଥାଏ। ମାତ୍ର କିଛି ଭାରିଯାନ ଚାଳକ ମାନଙ୍କ ଦ୍ୱାରା ଗାଡ଼ି ଚାଳନା କରିବା ସମୟରେ ଗାଡ଼ିର ଗତିରେ ନିୟନ୍ତ୍ରଣ ରକ୍ଷା କରା ନଯାଇ ଅଧିକ ବେଗରେ ଗାଡ଼ି ଚାଳନା ଯୋଗୁ ବିଗତ କିଛି ବର୍ଷ ହେଲା ମାସେକାଳ ଅନ୍ତରାଳରେ ଜାତୀୟ ରାଜପଥ-୧୪୩ରେ ଦୁର୍ଘଟଣାର ହାର ବଢିବାରେ ଲାଗିଛି। ଫଳରେ ଦୁର୍ଘଟଣା ଘଟି ଅକାଳରେ ବହୁ ଜୀବନ ଝଡ଼ି ପଡ଼ୁଥିବା ବେଳେ, ଅନେକ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଗୋଡ, ହାତ ହରାଇ ପଙ୍ଗୁ ହୋଇ ବସି ରହିବା ସାର ହେଉଛି। ଗତ ୬ ମାସ ମଧ୍ୟରେ ୫ ଜଣଙ୍କ ଏନଏଚ୍ ରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ହୋଇ ସାରିଥିବା ବେଳେ, ୧୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ନଜିର ରହିଛି। ଦୁର୍ଘଟଣା ବିଭିନ୍ନ କାରଣ ଯୋଗୁ ଘଟୁଥିଲେ ମଧ୍ୟ, ଅପରପକ୍ଷରେ ଜାତୀୟ ରାଜପଥ-୧୪୩ର ତରକେରା ଛକ, ଦେଓଗାଁ ଛକ, ନୂତନ ହଟଷ୍ଟ୍ରୀପ ମିଲ ଛକ, ଫେଟକଲ ପେଟ୍ରୋଲପମ୍ପ ଛକ, ରଙ୍ଗିଲା ଛକ, ଜଲଦା ସି ବ୍ଲକ ଛକ, ପ୍ରିୟଦର୍ଶନୀ ମହିଳା କଲେଜ ଛକ ଆଦିରେ ଅଦ୍ୟାବଧି ଧଳା ମାର୍କିଙ୍ଗ ପିଲ୍ ର କିମ୍ବା ହମ୍ପସ ନିର୍ମାଣ କରାଯାଇନଥିବାରୁ ଭାରୀଯାନ ଚାଳକ ମାନେ ଖୁଲମଖୁଲା ଭାବେ ଦ୍ରୁତ ଗତିରେ ଏହି ସବୁ ଛକ ଦେଇ ଗାଡ଼ି ପାର କରାଉଥିବା ଦେଖିବାକୁ ମିଳୁଛି। ଯାହାକି ପରବର୍ତ୍ତୀ ଅବସ୍ଥାରେ ଦୁର୍ଘଟଣାର ଏକ କାରଣ ପାଲୁଟୁଛି। ଏସବୁ ଛକ ଗୁଡ଼ିକରେ ଧଳା ମାର୍କିଙ୍ଗ ପିଲ୍ ର ସଙ୍କେତ ମଧ୍ୟ ଦିଆଯାଇ ନାହିଁ, ଯାହାକି ବିଡମ୍ବନାର ବିଷୟ। ସାଧାରଣତଃ ଜାତୀୟ ରାଜପଥ-୧୪୩ ଦକ୍ଷିଣ ରାଉରକେଲା ବାସିନ୍ଦାଙ୍କ ପାଇଁ ଏକ ନିତିଦିନିଆ ବ୍ୟସ୍ତବହୁଳ ରାସ୍ତା। ସାରନଗରୀ ସମେତ, ଦେଓଗାଁ, ଜଲଦା ଆଦି ଅଂଚଳର ବାସିନ୍ଦା ମାନେ ଏହି ରାସ୍ତାଦେଇ ରାଉରକେଲାର ବିଭିନ୍ନ ଅଂଚଳ ଯେପରି ପାନପୋଷ, ବେଦବ୍ୟାସ, ସେକ୍ଟର, ଛେଣ୍ଡ ଆଦି ଅଂଚଳ ବିଭିନ୍ନ ପ୍ରକାର କାର୍ଯ୍ୟନେଇ ଯିବା ଆସିବା କରିଥାନ୍ତି। ରାଉରକେଲା ସରକାରୀ ହସ୍ପିଟାଲ, କୋର୍ଟ ଆଦି ଗୁରୁତ୍ୱପୁର୍ଣ୍ଣ ଜାଗାକୁ ଯିବାକୁ ହେଲେ ଜାତୀୟ ରାଜପଥ ଦେଇ ଯିବାକୁ ପଡେ। ମାତ୍ର ଏହି ରାସ୍ତା ଏବେ ବିପଦସଙ୍କୁଳ ହୋଇ ପଡ଼ିବା ଯୋଗୁ ଯାତ୍ରୀ ମହଲରେ ଭୟ ସଂଚାର ହୋଇଛି ବୋଲି କେତେକ ଯାତ୍ରୀ ମତ ଦିଅନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ, ଜାତୀୟ ରାଜପଥ-୧୪୩ରେ ଦିନକୁ ହାରାହାରି ୫ଶହରୁ ଉର୍ଦ୍ଧ ଦୁଇଚକିଆ ଯାନ, ୨୦୦ରୁ ଉର୍ଦ୍ଧ ତିନିଚକିଆ ଯାନ ଓ ୧୦୦ରୁ ଉର୍ଦ୍ଧ ଭାରୀଯାନ ଚଳାଚଳ କରିଥାଏ। ଅପରପକ୍ଷରେ ହାଲୁକା ଯାନ ଅପେକ୍ଷା ଭାରୀଯାନ ଗୁଡିକ ନିୟମ ଭଙ୍ଗ କରି ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା ଯୋଗୁ ଦୁର୍ଘଟଣାର ଏକ ପ୍ରମୁଖ କାରଣ ପାଲଟିଥାଏ! ଜାତୀୟ ରାଜପଥରେ ହମ୍ପସ ନଥିବା କାରଣରୁ ଚାଳକ ମାନେ ନିର୍ବିଘରେ ଗାଡ଼ି ଚାଳନା କରୁଥିବାରୁ ଏହା ଅନ୍ୟ ଯାତ୍ରୀଙ୍କ ଜୀବନ ପ୍ରତି ଏକ ନିଶ୍ଚିତ ବିପଦକୁ ଆମନ୍ତ୍ରଣ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବାରମ୍ବାର ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ସାରିଥିଲେ ସୁଦ୍ଧା ଏନ୍ ଏଚ୍ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏନ୍ ଏଚ୍ ର ବିଭିନ୍ନ ଛକରେ ଧଳା ମାର୍କିଙ୍ଗ ବ୍ୟବସ୍ଥା, ଦୁର୍ଘଟଣା ପ୍ରବଣ ଅଂଚଳ ସାଇନବୋର୍ଡ ସ୍ଥାପନ, ହମ୍ପସ ନିର୍ମାଣ କରିବା ପାଇଁ କ’ଣ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି, ଏହା ନିହାତି ଭାବେ ତଦନ୍ତ ସାପେକ୍ଷ। ଏଣୁ ଜାତୀୟ ରାଜପଥ-୧୪୩ରେ ଏକାଧିକ ହମ୍ପସ ବିଭିନ୍ନ ଛକରେ ନିର୍ମାଣ ସହ ଧଳା ମାର୍କିଙ୍ଗ ପିଲ୍ ର ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *