ଜାତୀୟ ରାଜପଥରେ ସୂଚନା ଫଳକ ନାହିଁ, ଅଡୁଆରେ ଯାତ୍ରୀ ଓ ଚାଳକ

ଯାଜପୁର, ୧୭/୫ (ଓଡିଆ ପୁଅ/ମାନସ ରାଉତ) ଯାତାୟତରେ ସୁବିଧା ନିମନ୍ତେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବା ପାଇଁ ବିଧିବଦ୍ଧ ଭାବେ ନିୟମ ରହିଛି। ମାତ୍ର ବହୁସ୍ଥାନରେ ସୂଚନା ଫଳକ ଲଗାଯାଇନଥିବାରୁ ଏହା ଦୂରଦୂରନ୍ତରାରୁ ଯାତାୟତ କରୁଥିବା ଗାଡି ଚାଳକ ଏବଂ ଯାତ୍ରୀ ମାନଙ୍କୁ ଅଡୁଆରେ ପକାଉଥିବା ଦେଖାଯାଇଛି। ତିନିଗୋଟି ଜାତୀୟ ରାଜପଥର ସଂଯୋଗସ୍ଥଳ ଚଣ୍ଡିଖୋଲ ଛକ ଦେଇ ଜାତୀୟ ରାଜପଥ ୧୬ନମ୍ବର, ୫(କ), ଏବଂ ୫୩ନମ୍ବର ଯାଇଅଛି। ଏହି ଛକ କୋର୍ଟ ପାଖ ବାଇପାସ୍ ରାସ୍ତାରେ ସୂଚନା ଫଳକ ଲଗାଯାଇନଥିବାରୁ ଚାଳକ ମାନେ ସଠିକ୍ ରାସ୍ତା ଜାଣି ନପାରି ଭୂଲ ରାସ୍ତାରେ ଯାଇଥାନ୍ତି। ଫଳରେ ବିଭିନ୍ନ ସମୟରେ ଅନେକ ଛୋଟ ବଡ ଦୃର୍ଘଟଣା ମାନ ଘଟୁଥିବାର ନଜରୀ ରହିଛି। ଏହି ୫୩ନମ୍ବର ଜାତୀୟ ରାଜପଥର ବାଇପାସ ଦେଇ ଡୁବୁରୀରୁ ଆସୁଥିବା ଗାଡି ଡୁବୁରୀ-ପାରାଦୀପ କିମ୍ଭା ଚଣ୍ଡିଖୋଲ ଛକକୁ ଆସୁଥିବା ବେଳେ କଟକ-ଡୁବୁରୀରୁ ଆସୁଥିବା କିଛି ଗାଡିି ଏହି ବାଇପାସ ଠାରେ ରାସ୍ତା ଜାଣିପାରନ୍ତି ନାହିଁ। ଫଳରେ ଯେଉଁ ଗାଡି ଯୁଆଡେ ପାରିଲା ଯିବା ଆସିବା କରିବା ଫଳରେ ଦୃର୍ଘଟଣାର ସମ୍ମୁଖୀନ ହେବା ସହିତ ଅନ୍ୟ ଦିଗକୁ ଯାଇ ମଧ୍ୟ ଅଡୁଆରେ ପଡିବା ସାର ହେଉଛି। ସେହିପରି ସୁଙ୍ଗୁଡା ବାଇପାସ ଠାରେ ମଧ୍ୟ ସୂଚନା ଫଳକ ନଥିବାରୁ ଯାତ୍ରୀ ଏବଂ ଚାଳକ ମାନେ ରାସ୍ତା ନଜାଣିପାରି ଅନ୍ୟ ଦିଗକୁ ଯାଇ ଦୃର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବରେ ରାତ୍ରୀ ସମୟରେ ଭାରୀଯାନ ଚାଳକ ମାନେ ଏଭଳି ଭୂଲ ରାସ୍ତାରେ ଯାଇ ଦୃଘଟଣାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ଦୂର ସ୍ଥାନରୁ ଆସୁଥିବା ମଟରସାଇକେଲ ଯାତ୍ରୀ ମାନେ ମଧ୍ୟ ଫଳକ ନଥିବାରୁ ରାସ୍ତା ଜାଣିବାରେ ଅସୁବିଧା ହେବା ସହିତ ଅନ୍ୟ ଦିଗକୁ ପଳାଇ ଅଡୁଆରେ ପଡୁଥିବାର ଦେଖାଯାଇଛି। ଖାଲି ବାଇପାସ ନୁହେଁ ବରଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଏଭଳି ଯାତ୍ରୀଙ୍କ ସୁବିଧାଦାୟକ ସୂଚନା ଫଳକ ନଥିବାରୁ ଯାତ୍ରୀ ଅଡୁଆରେ ପଡି ହନ୍ତସନ୍ତ ହେଉଥିବାର ଅଭିଯୋଗ ହେଉଛି। ଏପରକି ଜାତୀୟ ରାଜପଥ କଡରେ ଅବସ୍ଥିତ ଥିବା ଗ୍ରାମ ଏବଂ ବିଭିନ୍ନ ପ୍ରର୍ଯ୍ୟଟନସ୍ଥଳ ମାନଙ୍କର ସ୍ଥାନମାନଙ୍କର ସୂଚନା ଫଳକ ଲଗାଯାଇନଥିବାରୁ ତାହା ମଧ୍ୟ ଯାତ୍ରୀଙ୍କୁ ଅଡୁଆରେ ପକାଉଥିବା ଲକ୍ଷ୍ୟ କରାଯାଇଛି। ଏହା ଉପରେ ଜାତୀୟ ରାଜପଥ ପ୍ରାଧିକରଣ ସଂସା୍ଥର ଉଚ୍ଚଅଧିକାରୀ ମାନେ ଦୃଷ୍ଟି ଦେବା ପାଇଁ ସାଧରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *