ଜାତୀୟ ମାନବାଧିକାର କମିଶନ କ୍ଷୁବ୍ଧ: ବର୍ଷାବାତ୍ୟା ପରେ କ୍ଷତିଗ୍ରସ୍ତଙ୍କ କଥା ଭୁଲିଯାନ୍ତି ସରକାର

ଭୁବନେଶ୍ୱର ୭-୧୨ (ଓଡ଼ିଆ ପୁଅ) ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ବାତ୍ୟାର ସୂଚନା ମିଳିଲେ ସରକାର ତତ୍ପର ହୋଇଉଠନ୍ତି। ଘନ ଘନ ବୈଠକ ଚାଲେ। ଗଣମାଧ୍ୟମରେ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଖବର ପ୍ରଚାର ଓ ପ୍ରସାର ହୁଏ। କିନ୍ତୁ ବର୍ଷା ଓ ବାତ୍ୟା ପରେ କ୍ଷତିପୂରଣ ମିଳିବ ବୋଲି ମଧ୍ୟ ଘୋଷଣା ହୁଏ। କିନ୍ତୁ ବର୍ଷ ପରେ ବର୍ଷ ଲୋକ ଅସୁବିଧା ଭୋଗ କରିଚାଲନ୍ତି। ସେମାନଙ୍କୁ କ୍ଷତିପୂରଣ ଦେବାରେ ସରକାରୀ ଅଧିକାରୀମାନେ ଅବହେଳା କରିଥାନ୍ତି। ୨୦୧୩ ବର୍ଷା ଓ ୨୦୧୪ ହୁଡ୍ହୁଡ୍ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଏପର୍ଯ୍ୟନ୍ତ ସହାୟତା ମିଳିନି। ଏହାକୁ ନେଇ ଜାତୀୟ ମାନବାଧିକାର କମିଶନ ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ପୂର୍ଣାଂଗ କ୍ଷତିପୂରଣ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୩ ଜୁନ୍ ୧୩ ଓ ୧୪ ତାରିଖରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଥିରେ ୫୦ ହଜାର ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ୧୦୦୦ରୁ ଅଧିକ ଘର ଭାଙ୍ଗିଥିଲା। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମିଶନ ମୁଖ୍ୟ ଶାସନ ସଚିବଙ୍କୁ ବାରମ୍ବାର ନୋଟିସ୍ ଜାରି କରିଥିଲେ ମଧ୍ୟ କ୍ଷତିଗ୍ରସ୍ତମାନଙ୍କୁ କଣ କ୍ଷତିପୂରଣ ମିଳିଛି, ତାର ରିପୋର୍ଟ ମୁଖ୍ୟ ଶାସନ ସଚିବ ଦାଖଲ କରିପାରିନାହାନ୍ତି। ଫଳରେ କମିଶନ ଅତ୍ୟନ୍ତ ବିରକ୍ତି ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତଙ୍କ ଥଇଥାନ, ଗୃହ ନିର୍ମାଣ, ଖାଦ୍ୟଶସ୍ୟ ନଷ୍ଟର ଭରଣା, ଆର୍ଥିକ ସହାୟତା ଆଦି ବିଷୟରେ ସବିଶେଷ ରିପୋର୍ଟ ଦାଖଲ ପାଇଁ କମିଶନ ପୁଣି ଥରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୨୦୧୪ ଅକ୍ଟୋବର ୧୨ରେ ହୋଇଥିବା ହୁଡହୁଡ୍ ବାତ୍ୟାର ତିନିବର୍ଷ ପୁରିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଘର ଓ କୃଷକମାନଙ୍କୁ ସହାୟତା ଯୋଗାଇଦେବାରେ ସରକାର ବିଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *