ଜିଲ୍ଲା ପରିକ୍ରମା

ଜାଗରରେ ବାବା ମଣିଙ୍କ ପୀଠକୁ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଫେରିଘାଟ ବନ୍ଦକୁ ନେଇ ଅସନ୍ତୋଷ ତେଜିଲା ପୁନର୍ବିଚାର ପାଇଁ ଦାବି

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆସନ୍ତା ଫେବୃଆରୀ ୧୪ ତାରିଖ ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ସମୟରେ ସୁରକ୍ଷା ଆଳରେ ଜିଲ୍ଲା ପ୍ରଶାସନ ସୂର୍ଯ୍ୟାସ୍ତ ଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଫେରିଘାଟ ବନ୍ଦ କରିବା ନିଷ୍ପତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଅସନ୍ତୋଷ ପ୍ରକଟ କରି ଆରଡି ଜୋନ୍ର ପୂର୍ବତନ ଜିଲ୍ଳାପରିଷଦ ସଭ୍ୟ ଅଜୟ ନାୟକ ଏହି ନିଷ୍ପତିର ପୁନର୍ବିଚାର କରିବାକୁ ପ୍ରେସ ବିଜ୍ଞପ୍ତି ଯୋଗେ ଦାବି ଜଣାଇଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଆବେଗକୁ ଆଖି ଆଗରେ ରଖି ପ୍ରଶାସନ ଏ ସମ୍ପର୍କରେ ପୁନର୍ବିଚାର ପାଇଁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି। ଆରଡି ପୀଠକୁ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ଭକ୍ତମାନେ ମାନସିକ ପୂରଣ ନିମନ୍ତେ ପୂଜା କରିବାକୁ ଆସିଥାନ୍ତି। ହଜାର ହଜାର ଭକ୍ତ ଏହି ରାତ୍ରିରେ ବାବା ମଣିଙ୍କ ମହାଦୀପ ଉଠିବା ବେଳେ ଦୀପ ଜାଳି ମାନସିକ ପୂରଣ କରିଥାନ୍ତି। ଏହା ବ୍ୟତୀତ ବାବାଙ୍କ ସୁନାବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ପୀଠକୁ ଆସିଥାନ୍ତି। ମହାଦୀପ ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ଉଠିଥାଏ। ଏହି ଦୃଶ୍ୟକୁ ଦର୍ଶନ କରିବା ପାଇଁ ମୁଖ୍ୟତଃ ଭକ୍ତମାନେ ରାତିରେ ନିତ୍ୟନୈମିତିକ କାର୍ଯ୍ୟ ଶେଷ କରିବା ପରେ ପୀଠକୁ ଆସିଥାନ୍ତି। ଭଦ୍ରକ ଜିଲ୍ଲାର ଧାମରା ଅଞ୍ଚଳ ସମେତ ବାଲିଗାଁ, ତେନ୍ତୁଲିଡିହି, ଭୁଇଁବୃତ୍ତି ଇତ୍ୟାଦି ଅଞ୍ଚଳର ଲୋକଙ୍କ ପାଇଁ ତିନତର ଘାଟ ହେଉଛି ମୁଖ୍ୟ ଫେରିଘାଟ। ଏହି ଘାଟ ଦେଇ ହଜାର ହଜାର ଭକ୍ତ ବାବାଙ୍କ ପୀଠକୁ ଆସିଥାନ୍ତି। ସେହିପରି ମତୋ, ମାଧପୁର, ମଉସୁଦା, ନଳଗୋହିରା, ଘଟପୁର, ନାଲଗୁଣ୍ଡା ଆଦି ପଞ୍ଚାୟତର ଲୋକେ ଧାନକଣିଆ ଘାଟ ଦେଇ ପୀଠକୁ ଆସନ୍ତି। ଏହା ଛଡା କେନ୍ଦ୍ରାପଡା ଜିଲ୍ଲାର ଭକ୍ତମାନେ ମୁଆଁ ଘାଟ ଦେଇ ପୀଠକୁ ଆସିଥାନ୍ତି। ବିଗତ ବର୍ଷ ମାନଙ୍କରେ ପ୍ରଶାସନ ପକ୍ଷରୁ ଉକ୍ତ ଫେରିଘାଟମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ବ୍ୟବସ୍ଥା କରିବା ସହିତ ଓଡ୍ରାଫ ପକ୍ଷରୁ ଉଦ୍ଧାରକାରୀ ଦଳ ଓ ସୁରକ୍ଷାକର୍ମୀକୁ ମଧ୍ୟ ମୁତୟନ କରିଥାନ୍ତି। ମାତ୍ର ଚଳିତ ବର୍ଷ ପ୍ରଶାସନ ତାହା ନ କରି ସନ୍ଧ୍ୟା ୬ଟା ଠାରୁ ଫେରିଘାଟ ବନ୍ଦ କଲେ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ କରିବାରୁ ବଞ୍ଚିତ ହେବେ। ଯାହା ସେମାନଙ୍କ ମାନସିକ ପୂରଣରେ ବାଧା ସୃଷ୍ଟି ହେବ। ପ୍ରଶାସନର କାର୍ଯ୍ୟ ଫେରିଘାଟରେ ସୁରକ୍ଷା ଯୋଗାଇବା। ମାତ୍ର ପ୍ରଶାସନ ତାହା ନ କରି ଘାଟ ବନ୍ଦ କରିବା ନିହାତି ଦୁଃଖଦ ବିଷୟ। ପ୍ରଶାସନ ପକ୍ଷରୁ ଫେରିଘାଟ ଠାରେ ଶୃଙ୍ଖଳିତ ଭାବେ ନିର୍ଦ୍ଦିଷ୍ଟ ସଂଖ୍ୟକ ଯାତ୍ରୀଙ୍କୁ ଭୁଟ୍ଭୁଟିରେ ଚଢାଇ ନିରାପଦ ଯାତାୟତର ବନ୍ଦୋବସ୍ତ କରାଗଲେ ଏ ସମସ୍ୟା ରହିବ ନାହିଁ। ଭକ୍ତମାନେ ସୂଚାରୁ ଭାବେ ମହାଦୀପ ଦର୍ଶନ କରି ପାରିବେ। ତେଣୁ ତୁରନ୍ତ ଏ ନିଷ୍ପତିର ପୁନର୍ବିଚାର କରା ନ ଗଲେ ଏହା ଭକ୍ତଙ୍କ ପାଇଁ କୁଠାରଘାତ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top