ଜହ୍ନରାତି

ଯୋଗାନନ୍ଦ ସାହୁ

ଶହେ ବରଷ ଆୟୁଷ ସଜନୀ ତୋହର,
ତୋ କଥା ଭାବୁଛି, ଆସି ହେଲୁ ତୁ ହାଜର ।।୦।।

ଭାବୁଥିଲି ମୋତେ ଛାଡ଼ି କେମିତି ଜିଇଁଛୁ,
ବିରହର ଚିରା କାନି କେମିତି ସିଉଁଛୁ
ଭାବିଲା ବେଳକୁ ଆସି ହେଲୁ ତୁ ହାଜ଼ର ।।୧।।

ଶେଯରେ ମୋ ପଡିଥିଲା କଣ୍ଟାର ଚାଦର,
ଉପହାସ କରୁଥିଲା ବହଳ ଅନ୍ଧାର
ତୁ ଆସିଲୁ, ଜହ୍ନରାତି ହୋଇଲା ହାଜର ।।୨।।

ଘର ସାରା ଝୁଲିଥିଲା ଲୁହର ଓହଳ,
ଅଗଣାରେ ଉଡୁଥିଲା କୋହର ଭଅଁର
ତୁ ଆସିଲୁ, ସୁଧାଝର ହୋଇଲା ହାଜର ।।୩।।

ଛଅ ଋତୁ ଭାଙ୍ଗି ମୋ’ର କଲି ଦୁଇ ଋତୁ,
ନିଦାଘର ରାହୁ ଆଉ ବରଷାର କେତୁ
(ମୋତେ)ଗିଲିଲା ବେଳକୁ ଆସି ହେଲୁ ତୁ ହାଜର ।।୪।।

ପୁରୁଣା ଏ ଦୁନିଆରେ ନୂଆ ମରୁଭୂମି,
ଯାଉଥିଲା ଯୋଗାନନ୍ଦ-ପାଦ ତଳେ ଜମି
ତୁ ଆସିଲୁ,ମଧୁ ମାସ ହୋଇଲା ହାଜର ।।୫।।

ଆକାଶବାଣୀ ଗୀତିକାର
ଜନିକା,
ଡ୍ୟୁପ୍ଲେକ୍ସ ନଂ.୭୩,
କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ
ଜାଗମରା
ଭୁବନେଶ୍ୱର-୭୫୧୦୩୦
ଓଡ଼ିଶା

Leave a Reply

Your email address will not be published. Required fields are marked *