ଜଳ ଓ ମଶା ବାହିତ ରୋଗ ନିରାକରଣରେ ଉଲ୍ଲେଖନୀୟ ଅଗ୍ରଗତି

– ମ୍ୟାଲେରିଆ ୮୮% ଭାଗ, ଡେ଼ଙ୍ଗୁ ୫୦% ଭାଗ ଏବଂ ଜାପାନୀ ଜ୍ୱରରେ ୬୭% ହ୍ରାସ।
– ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।
– ସଂପୃକ୍ତ ବିଭାଗମାନଙ୍କର କ୍ଷେତ୍ରସ୍ତରୀୟ ସମନ୍ୱୟ ଉପରେ ଗୁରୁତ୍ୱ ଆରୋପ।

ଭୁବନେଶ୍ୱର ୧୬ ମଇ (ଓଡ଼ିଆ ପୁଅ) ରାଜ୍ୟରେ ଜଳ ଓ ମଶା ବାହିତ ରୋଗ ନିରାକରଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆନ୍ତଃବିଭାଗୀୟ ସମନ୍ୱୟ କମିଟି ବୈଠକରୁ ଏହା ଜଣାପଡିଛି। ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମେହେର୍ଦ୍ଦା ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ସ୍ଥିତିର ସମୀକ୍ଷା କରି ସଚେତନତା ଓ ନିରାକରଣ କାର୍ଯ୍ୟକୁ ବ୍ୟାପକ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ଋତୁରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତୃଣମୂଳ ସ୍ତରରେ ସଂପୃକ୍ତ ବିଭାଗମାନେ ସମନ୍ୱିତଭାବେ ଏକ ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ନିରାକରଣ କାର୍ଯ୍ୟ ନିମନ୍ତେ ଗୃହ ଓ ନଗର ଉନ୍ନୟନ, ପୁର୍ତ୍ତ, ପ୍ରତ୍ୟେକ ସହରାଞ୍ଚଳ, ଶିଳ୍ପ, ଇସ୍ପାତ୍ ଓ ଖଣି, ପଂଚାୟତି ରାଜ ମହିଳା ଓ ଶିଶୁ ବିକାଶ, ଗ୍ରାମ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ଜଳ ସଂପଦ, ମସ୍ୟ ଓ ପଶୁ ସଂପଦ ଏବଂ ଜଙ୍ଗଲ ଓ ପରିବେଶ ଆଦି ବିଭାଗ ମାନେ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କୁ ନୋଡାଲ୍ ଅଫିସର ଭାବେ ନାମିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀ ମେହେର୍ଦ୍ଦା ଜଣାଇଥିଲେ ଯେ ରାଜ୍ୟରେ ମ୍ୟାଲେରିଆ, ଡେ଼ଙ୍ଗୁ, ଜାପାନୀ ଜ୍ୱର, ଡ଼ାଇରିଆ ଏବଂ ଜଣ୍ଡିସ୍ ଆଦି ମଶା ଓ ଜଳ ବାହିତ ରୋଗ ନିୟନ୍ତ୍ରଣରେ ୨୦୧୭ ଓ ୨୦୧୮ ମସିହାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ୨୦୧୭ ମସିହା ଜୁଲାଇ ମାସଠାରୁ ୨୦୧୮ ମସିହା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଙ୍ଖ୍ୟା ‘୦’କୁ ହ୍ରାସ ପାଇଛି।

୨୦୧୭ ମସିହା ଜାନୁଆରୀ ମାସରୁ ମାର୍ଚ୍ଚ ଶେଷସୁଦ୍ଧା ରାଜ୍ୟରେ ସମୁଦାୟ ୧, ୦୭, ୭୨୩ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ ମସିହାର ଏହି ସମୟ ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଙ୍ଖ୍ୟା ୧୯ ହଜାରକୁ କମି ଆସିଛି ଏବଂ ମୃତ୍ୟୁ ସଂଙ୍ଖ୍ୟା ‘୦’ ରହିଛି। ବିଗତ ବର୍ଷର ମାସଓ୍ୱାରୀ ସ୍ଥିତିର ତୁଳନାତ୍ମକ ସମୀକ୍ଷାରୁ ଜଣାପଡିଛି ଯେ ୨୦୧୮ ମସିହା ଏପ୍ରିଲ୍ ମାସ ଶେଷସୁଦ୍ଧା ମ୍ୟାଲେରିଆ ଆକ୍ରମଣରେ ୮୮% ଭାଗ ହ୍ରାସ ଘଟିଛି।

ସେହିପରି ୨୦୧୬ ବର୍ଷରେ ସମୁଦାୟ ୮, ୩୮୦ ଜଣ ଲୋକ ଡେ଼ଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ ମସିହାରେ ଡେ଼ଙ୍ଗୁ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଙ୍ଖ୍ୟା ଯଥାକ୍ରମେ ୪୧୫୮ ଏବଂ ୬ କୁ କମାଯାଇ ପାରିଥିଲା। ଏହାଫଳରେ ରାଜ୍ୟରେ ଡେ଼ଙ୍ଗୁ ସ୍ଥିତିରେ ୫୦% ଭାଗ ହ୍ରାସ ଘଟିଥିଲା। ଚଳିତ ବର୍ଷ ଏହି ସ୍ଥିତିରେ ଅଧିକ ସୁଧାର ହାସଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଜାପାନୀ ଜ୍ୱର କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି। ୨୦୧୬ ବର୍ଷରେ ୨୪୨ ଜଣ ଏହି ଜ୍ୱର ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କର ପ୍ରାଣହାନୀ ଘଟିଥିଲା। ୨୦୧୭ ମସିହାରେ ଆକ୍ରାନ୍ତଙ୍କ ସଂଙ୍ଖ୍ୟା ୭୯ ଏବଂ ମୃତ୍ୟୁ ସଂଙ୍ଖ୍ୟା ‘୦’କୁ କମାଯାଇ ପାରିଥିଲା। ଚଳିତ ବର୍ଷ ମୃତ୍ୟୁ ସଂଙ୍ଖ୍ୟା ମଧ୍ୟ ‘୦’ରହିଛି।

ଡ଼ାଇରିଆ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ସଫଳତା ମିଳିଛି। ୨୦୧୭ ମସିହା ଏପ୍ରିଲ୍ ମାସ ଶେଷସୁଦ୍ଧା ସମୁଦାୟ ୬୪୪ ଲୋକ ଡ଼ାଇରିଆ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଏପ୍ରିଲ୍ ମାସ ଶେଷସୁଦ୍ଧା ଆକ୍ରାନ୍ତଙ୍କ ସଂଙ୍ଖ୍ୟା ୨୯୧ ଏବଂ ମୃତ୍ୟୁ ସଂଙ୍ଖ୍ୟା ‘୦’କୁ କମାଯାଇପାରିଛି। ସୂଚନାଯୋଗ୍ୟ, ୨୦୧୭ ମସିହାରେ ରାଜ୍ୟରେ ୧୭, ୩୬୭ ଲୋକ ଡ଼ାଇରିଆରେ ଆକ୍ରାନ୍ତ ହୋଇଥିଲେ ଯେଉଁମାନଙ୍କ ମଧ୍ୟରୁ ୪୫୨ ଜଣଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ସଚେତନତା, ତ୍ୱରିତ ଡ଼ାକ୍ତରୀ ସେବା ଏବଂ ସଘନ ପ୍ରତିରୋଧକ ମୂଳକ ପଦକ୍ଷେପ ହେତୁ ସ୍ଥିତିରେ ଦ୍ରୁତ ଅଗ୍ରଗତି ହାସଲ ହୋିଛି। ଆକ୍ରାନ୍ତ ଓ ମୃତକଙ୍କ ସଂଙ୍ଖ୍ୟାରେ ପ୍ରତି ବର୍ଷ ଲଗାତର ଭାବେ ହ୍ରାସ ଘଟିଛି। ୨୦୧୭ ମସିହାରେ ସମଗ୍ର ରାଜ୍ୟରେ ସମୁଦାୟ ୧, ୬୩୬ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ମୃତ୍ୟୁ ସଂଙ୍ଖ୍ୟା ୧୩ ରେ ସିମିତ ଥିଲା। ଚଳିତ ବର୍ଷ ଏପ୍ରିଲ୍ ମାସ ଶେଷସୁଦ୍ଧା ସମୁଦାୟ ୨୯୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସମୟୋପଯୋଗୀ ଚିକିତ୍ସା ଯୋଗୁ ମୃତ୍ୟୁ ସଂଙ୍ଖ୍ୟାକୁ ‘୦’କରାଯାଇ ପାରିଛି।

ହେପାଟାଇଟିସ୍ ରୋଗ ନିୟନ୍ତ୍ରଣରେ ମଧ୍ୟ ଲଗାତର ସଫଳତା ମିଳିଛି। ୨୦୧୬ ବର୍ଷ ଠାରୁ ଚଳିତ ବର୍ଷ ଏପ୍ରିଲ୍ ମାସ ୋଷ ପର୍ଯ୍ୟନ୍ତ ୩ ବର୍ଷ ଧରି ରାଜ୍ୟରେ ହେପାଟାଇଟିସ୍ ଜନିତ ମୃତ୍ୟୁ ‘୦’ରହିଛି। ୨୦୧୫ ମସିହାରେ ହେପାଟାଇଟିସ୍ ଆକ୍ରାନ୍ତ ସଂଙ୍ଖ୍ୟା ୧, ୭୭୭ ଥିଲା। ୨୦୧୬ ମସିହାରେ ଏହା ହ୍ରାସ ପାଇ ୮୩୩ ଏବଂ ୨୦୧୭ ରେ ୭୯୦ ରେ ପହଞ୍ଚିଥିଲା। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଙ୍ଖ୍ୟା ୨୫୪ ରହିଛି।

ସାର୍ବଜନୀନ ଟିକାଦାନ, ଶିଶୁ ମାନଙ୍କୁ ରୋଟାଭାଇରସ୍ ଟିକା କରଣ, ହେପାଟାଇଟିସ୍ ଟିକାକରଣ, ମଶା ନିରୋଧକ ମଶାରୀ ବଣ୍ଟନ, ଓ.ଆର.ଏସ୍. ଏବଂ ଜଳ ବିଶୋଧକ ବଟିକା ବଣ୍ଟନ ଏବଂ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁ ଏହି ସଫଳତା ସମ୍ଭବ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଥିଲେ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୦ଟି ଅଧିକ ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ୧.୧୩ କୋଟି ମଶା ନିରୋଧକ (ଏଲ୍.ଏଲ୍.ଏନ୍) ମଶାରୀ ବଣ୍ଟନ କରାଯାଇଛି। ଚଳିତ ବର୍ଷ ଅଧିକ ୫୦ ଲକ୍ଷ ଏହି ମଶାରୀ ବଣ୍ଟନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦମନ କାର୍ଯ୍ୟକ୍ରମରେ ଏପ୍ରିଲ୍ – ମେ ମାସ ମଧ୍ୟରେ ୪୧୫୫ ଟି ସାର୍ବଜନୀନ ମ୍ୟାଲେରିଆ କ୍ୟାମ୍ପ କରାଯାଇ ୭ ଲକ୍ଷ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ପରିବେଶ ଓ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ବିଭାଗ ଶାସନ ସଚିବ ଶ୍ରୀ ଜି.ମାଥିଭାଥ୍ନନ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମେହେର୍ଦ୍ଦା, ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଶାସନ ସଚିବ ଶ୍ରୀ ବିଶାଳ ଗଗନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *