ଜିଲ୍ଲା ପରିକ୍ରମା

ଜଳସେଚନ ଯୋଜନା ଅଲୋଡା

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ସାଳନ୍ଦୀ ଏବଂ ଉଠା ଜଳସେଚନ ବ୍ୟବସ୍ଥା ପରେ କ୍ଷୁଦ୍ର ଜଳସେଚନ ଏକ ପ୍ରଭାବୀ ତଥା ଉପାଦେୟ ଜଳସଚେନ ବ୍ୟବସ୍ଥା ଭାବେ ପରିଗଣିତ ହେଉଥିଲେ ମଧ୍ୟ କୃଷି ବିଭାଗ ଅବହେଳା ଯୋଗୁଁ ଚାଷୀଙ୍କ ପାଇଁ ଜଳସେଚନ ଯୋଜନା ଅଲୋଡା ହୋଇପଡୁଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ଯୋଜନାରେ ନଦୀନାଳ ମାନଙ୍କରେ ଚେକ୍ଡ୍ୟାମ ନିର୍ମାଣ କରି କୃଷିକ୍ଷେତ୍ରକୁ ଜଳ ଯୋଗାଇବାର ବ୍ୟବସ୍ଥା କରୁଥିଲେ ମଧ୍ୟ ତାହା ଚାଷୀଙ୍କ କାମରେ ଆସୁନାହିଁ। ଖରାଦିନେ ନଦୀ ନାଳ ଶୁଖିଲା ପଡିଥିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା ଚେକ୍ଡ୍ୟାମ ଗୁଡିକ ଅଚଳ ପଡୁଥିବାବେଳେ ବର୍ଷାଦିନରେ ଏହା ଜଳସେଚନ ପରିବର୍ତ୍ତେ ବନ୍ୟା ନିୟନ୍ତ୍ରଣରେ ବିନିଯୋଗ ହେଉଛି। ତେବେ ଖରାଦିନେ ନଦୀ-ନାଳ ଶୁଖିଲା ପଡିବା ସତ୍ୱେ ଚେକ୍ଡ୍ୟାମ୍ରେ ଯେତିକି ଜଳ ମହଜୁଦ ରହୁଛି, କୃଷି ବିଭାଗ ଅଦୂରଦର୍ଶିତା ଯୋଗୁଁ ସେତକ ମଧ୍ୟ ଠିକ୍ ଭାବେ ବିନିଯୋଗ ହୋଇପାରୁନାହିଁ। ବିଭାଗୀୟ ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ଏବେ ପ୍ରାୟ ଶହେ ପାଖାପାଖି ଚେକ୍ଡ୍ୟାମ୍ ରହିଛି। ଭଦ୍ରକ ଜିଲାରେ ପ୍ରବାହିତ ସାଳନ୍ଦୀ ଏବଂ ବୈତରଣୀ ନଦୀର ବିଭିନ୍ନ ଶାଖା ଓ ଉପଶାଖା ନଦୀ ଓ ନାଳ ମାନଙ୍କରେ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚେକ୍ଡ୍ୟାମ୍ ନିର୍ମାଣ କରାଯାଇ ଡ୍ୟାମ୍ ପାଖା ପାଖି ପ୍ରାୟ ୨୦ ରୁ ୩୦ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଯେଉଁଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସ୍ୱଳ୍ପ ଜଳ ଆବଶ୍ୟକ ପଡୁଥିବା ପନିପରିବା, ଡାଲି ଜାତୀୟ ଅଥବା, ତୈଳବୀଜ ଜାତୀୟ ଫସଲ କରି ଉପକୃତ ହୋଇପାରନ୍ତେ। ଏଥିସକାଶେ ଜିଲା କୃଷି ବିଭାଗ ପ୍ରତି ଚେକ୍ଡ୍ୟାମ୍ ଆଇକଟ୍ ଅଂଚଳରେ କୃଷି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସହିତ ଚାଷୀଙ୍କୁ ଏଥିସକାଶେ ଉତ୍ସାହିତ କରିବା ଜରୁରୀ ହୋଇଥିଲେ ମଧ୍ୟ ଖରାଟିଆ ଚାଷରେ ଏହି ଜଳସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ କୃଷି ଅନୁପଯୋଗୀ ଦର୍ଶାଇ ଏହି ଆନିକଟ ଏରିଆରେ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରୁନାହାଁନ୍ତି। ଫଳରେ କ୍ଷୁଦ୍ର ଜଳସେଚିତ ଆଇକଟ୍ ଏରିଆରେ କୃଷି କାର୍ଯ୍ୟ କରାଯିବାର ଭିତ୍ତିଭୂମି ଥାଇ ମଧ୍ୟ ଜମି ପଡିଆ ପଡୁଛି। ଏଥି ସକାଶେ କୃଷି ବିଭାଗ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବା ଆବଶ୍ୟକ ବୋଲି ଭଦ୍ରକ କ୍ଷୁଦ୍ର ଜଳସେଚନ ଡିଭିଜନ ଏସ୍ଡିଓ ଜେ.କେ. ସାହୁ କହିଛନ୍ତି। ବିଭାଗୀୟ ଏସ୍ଡିଓଙ୍କ କହିବା ମୁତାବକ ଭଦ୍ରକ ଜିଲାରେ କ୍ଷୁଦ୍ର ଜଳସେଚନ ଯୋଜନାରେ ଜିଲାରେ ପ୍ରାୟ ୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବାର ସୁବିଧା ରହିଛି। ଏହାଛଡା ଧାମନଗର ବ୍ଲକ୍ର ଶ୍ରୀଗଙ୍ଗା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୮ ଶହ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ତେବେ ଏହି ଜଳସେଚନ ବ୍ୟବସ୍ଥାର ସଦ୍ବିନିଯୋଗ ସକାଶେ ଜିଲା କୃଷି ବିଭାଗ ଚାଷୀଙ୍କ ପାଇଁ ଅର୍ଥକାରୀ ଫସଲ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସହିତ ଚାଷୀଙ୍କ ରିହାତି ଦରରେ ବିହନ ଓ ସାର ଯୋଗାଇ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top