ଜଳସଙ୍କଟ ଦୂର ପାଇଁ ଯୁବ କଂଗ୍ରେସର ଦାବିପତ୍ର

ପୁରୀ:୨୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦିନକୁ ଦିନ ପୁରୀ ସଦର ଓ ସହରରେ ପାନୀୟଜଳ ସଙ୍କଟ ବଢ଼ିବାରେ ଲାଗିଛି। ସହରରୁ ପାନୀୟଜଳ ସଙ୍କଟ ଦୂର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଯୁବ କଂଗ୍ରେସ। ଯୁବ କଂଗ୍ରେସ ନେତା ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ବିଧାନସଭା ଯୁବ କଂଗ୍ରେସ ସଭାପତି ପ୍ରେମ୍ଜିତ ମହାନ୍ତି, ଲୋକସଭା ଯୁବକଂଗ୍ରେସ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା, ଅମିତ୍ କୁମାର ମହାପାତ୍ର, ସ୍ମୃତି ରଞ୍ଜନ ପତିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ ଏହାର ନିରାକରଣ ପାଇଁ ଦାବି ଜଣାଇଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି ଯେ ସହରର ଅନେକ ସ୍ଥାନକୁ ଆଦୌ ପାନୀୟଜଳ ଆସୁନାହିଁ। ଅନେକ ସ୍ଥାନରେ ଗୋଳିଆ ତଥା ମଇଳା ପାଣି ଉପଲବ୍ଧ ହେଉଛି। ଘରୋଇ ପାନୀୟଜଳ ସଂଯୋଗକାରୀ ପାଣି ପାଉନଥିବା ବେଳେ ସେମାନଙ୍କୁ ଜଳକର ଦେବାକୁ ପଡୁଛି। ସହରର ଅନେକ ସ୍ଥାନକୁ ଏବେ ସୁଦ୍ଧା ପାନୀୟଜଳ ସଂଯୋଗୀକରଣ କରାଯାଇନାହିଁ। ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଯୁବ କଂଗ୍ରେସ ଦାବି କରିଛି।

Leave a Reply

Your email address will not be published. Required fields are marked *