ଜଳଛାୟା ଏବଂ ମାଇକ୍ରୋ ଇରିଗେସନ୍ ନିମନ୍ତେ ୪୩୯ କୋଟିର ବାର୍ଷିକ କାର୍ଯ୍ୟଯୋଜନା ଅନୁମୋଦିତ

– ଜଳର ସର୍ବାଧିକ ବ୍ୟବହାର ଏବଂ ଉତ୍ପାଦକୀୟତା ବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର, ୨-୬-୧୮ (ଓଡ଼ିଆ ପୁଅ) ରାଜ୍ୟରେ ଜଳସେଚନର ବିକାଶ ନିମନ୍ତେ ଚଳିତ ଆର୍ଥିକ ବର୍ଷ (୨୦୧୮-୧୯) ପାଇଁ ଜଳଛାୟା ଓ ମାଇକ୍ରୋ ଇରିଗେସନ୍ ଯୋଜନାରେ ପ୍ରାୟ ୪୪୦ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟଯୋଜନା ଅନୁମୋଦିତ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ( ଷ୍ଟେଟ୍ ଲେଭେଲ୍ ସ୍ୟାଙ୍କ୍ସନିଂ କମିଟି ) ବୈଠକରେ ଏହି ବାର୍ଷିକ କାର୍ଯ୍ୟଯୋଜନା ଗୁଡିକୁ ଅନୁମୋଦନ କରାଯାଇଛି।

ଯୋଜନା ଗୁଡିକୁ ଅନୁମୋଦନ କରି ସେସବୁର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ସଠିକ୍ ସମୟରେ ଚାଷ ପାଇଁ ଜଳ ଯୋଗାଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱଆରୋପ କରିଥିଲେ। ଜଳର ସର୍ବାଧିକ ବ୍ୟବହାର ଏବଂ ଫସଲ ଯୋଜନା ବିଷୟରେ ଚାଷୀମାନଙ୍କୁ ପରାମର୍ଶ ଦେଇ ଜମିର ଉତ୍ପାଦକୀୟତା ବୃଦ୍ଧି କରିବା ଲକ୍ଷ୍ୟରେ ସମନ୍ୱିତଭାବେ କାର୍ଯ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କୃଷି ଓ ଜଳ ସଂପଦ ବିଭାଗ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ ବିଭିନ୍ନ ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ପ୍ରଶାସନିକ, ଆଥିର୍କ ଏବଂ ବୈଷୟିକ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବୈଠକରେ ମୁଖ୍ୟତଃ ଜଳଛାୟା, ପ୍ରତି ବୁନ୍ଦା ଜଳରୁ ଅଧିକ ଉତ୍ପାଦ ( ପର ଡ୍ରପ୍ ମୋର କ୍ରପ୍ ) ଏବଂ ମାଇକ୍ରୋ ଇରିଗେସନ୍ ଆଦି ଯୋଜନାରେ ଜଳସେଚନ ନିମନ୍ତେ ବାର୍ଷିକ କାର୍ଯ୍ୟଯୋଜନାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଅନୁମୋଦନ କରିଥିଲେ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ‘‘ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାଦଦ ଅନ୍ତର୍ଗତ ଜଳଛାୟା ପ୍ରକଳ୍ପରେ ୨୦୧୮-୧୯ ଆଥିର୍କ ବର୍ଷ ପାଇଁ ୨୫୦ ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି। ଏଥି ମଧ୍ୟରୁ କେନ୍ଦ୍ର ସରକାର ପ୍ରାୟ ୯୮.୪୪ କୋଟି ଟଙ୍କା ଯୋଗାଇବେ ଏବଂ ଅବଶିଷ୍ଟ ୧୫୧.୫୬ କୋଟି ଟଙ୍କା ରାଜ୍ୟ ସରକାର ଯୋଗାଇବେ। ସେହିପରି ‘ପର୍ ଡ୍ରପ୍ ମୋର କ୍ରପ୍ଦ ଯୋଜନାରେ ୮୮.୯୫ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟଯୋଜନା ଅନୁମୋଦନ ହୋଇଛି ଯେଉଁଥିରେ ପ୍ରାୟ ୪୦ କୋଟିର କେନ୍ଦ୍ରୀୟ ସହାୟତା ମିଳିବ ଏବଂ ଅବଶିଷ୍ଟ ୪୮.୯୫ କୋଟି ଟଙ୍କା ରାଜ୍ୟ ସରକାର ବିନିଯୋଗ କରିବେ। ଏଥିରେ ପ୍ରାୟ ୨୩୪୫ଟି ଜଳସେଚନୟୁନିଟ୍ ମାଧ୍ୟମରେ ଏବଂ ୫୬୯୫ ହେକଫର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି ମାଇକ୍ରୋ ଇରିଗେସନ୍ ବାବଦରେ ସମୁଦାୟ ୮୭.୯୭ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦିତ ହୋଇଛି। ଏଥିରେ ‘‘ଡ୍ରିପ୍ ଇରିଗେସନ୍ଦଦ ଓ ‘‘ସ୍ପିଙ୍କ୍ଲର ଇରିଗେସନ୍ଦଦ ଆଦିରେ ୨୦୫୪୬ ଜଣ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅନୁମୋଦିତ ୮୭.୯୭ କୋଟି ଟଙ୍କାରୁ କେନ୍ଦ୍ର ସରକାର ପ୍ରାୟ ୩୦ କୋଟି, ରାଜ୍ୟ ସରକାର ୩୭.୫୯ କୋଟି ଟଙ୍କାର ଅଂଶଧନ ଦେବେ। ଅବଶିଷ୍ଟ ୨୦.୩୮ କୋଟି ଟଙ୍କା ଚାଷୀମାନେ ନିଜର ଅଂଶଧନ ଭାବେ ବିନିଯୋଗ କରିବେ। ଶଶ୍ୟର ପ୍ରକାର, ଘନତା ଏବଂ ଉତ୍ପାଦନ ଚକ୍ର ଭିତ୍ତିରେ ହେକଫର ପିଛା ଚାଷୀ ଅଂଶଧନ ସ୍ଥିର ହେବ।

ଜଳଛାୟା ଅଂଚଳରେ ଜଳଯୋଜନା, ମୁର୍ତ୍ତିକା ସଂରକ୍ଷଣ, ଉଦ୍ୟାନଚାଷ ଭିତ୍ତିକ ଚାଷ ନମୁନା, ଗବେଷଣା ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟ ପାଇଁ ମଧ୍ୟ ୧୨.୬୫ କୋଟି ଟଙ୍କାର କାର୍ଯ୍ୟଯୋଜନା ଅନୁମୋଦନ କରାଯାଇଛି।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ତୁହିନକାନ୍ତ ପାଣ୍ଡେ, ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଏବଂ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *