ଓଡ଼ିଶା

ଜରିମାନା ଅର୍ଥ ନଦେବାରୁ ଖଣି ଖୋଲିବାରେ ଅନିଶ୍ଚିତତା, ଶହ ଶହ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧାରରେ

କେନ୍ଦୁଝର, ୧୨ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଜରିମାନା ଅର୍ଥ ନଦେବାରୁ ଜିଲ୍ଲାରେ ଅନେକ ଖଣି ଚାଲିବାର ସନ୍ଦେହ ସୃଷ୍ଟି ହୋଇଛି। ଏହି ଖଣି ଗୁଡିକରେ କାର୍ଯ୍ୟରତ ଶହ ଶହ ଶ୍ରମିକମାନଙ୍କର ଭବିଷ୍ୟତ ତଥା ସେମାନଙ୍କର ଦୀର୍ଘଦିନର ପ୍ରାପ୍ୟ ପାଇବାରେ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଜିଲ୍ଲାର ଚାଲୁଥିବା ଖଣି ମଧ୍ୟରୁ ଟଣ୍ଟୋସ୍ଥିତ ମେସ୍କୋ ଖଣି, ପୁତୁଲପାଣିସ୍ଥିତ ଗନ୍ଧମାର୍ଦ୍ଦନ ଖଣି, ଜୁରୁଡିସ୍ଥିତ ଆଇଟିସି, ଏଚ୍ ଜି ପାଣ୍ଡ୍ୟା ଲୌହ ଖଣି, ଦେଓଝରସ୍ଥିତ ଶାରଦା ଖଣିର ଜରିମାନା ଅର୍ଥ ସରକାରଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ଜମା କରାଯାଇନାହିଁ। ନିୟମ ଅନୁସାରେ ଏହି ଖଣିର ଲିଜ ବାତିଲ କରାଯାଇ ଟେଣ୍ଡର ମଧ୍ୟରେ ଖଣି ହସ୍ତାନ୍ତର ହୋଇ ଚାଲୁ ହେବା କଥା। କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଲିଜ୍ ବାତିଲ ନିଷ୍ପତ୍ତି ନେଇ ନାହାଁନ୍ତି ଏବଂ ଖଣିମାଲିକମାନେ ସରକାରଙ୍କ ନୋଟିସକୁ ବିିଭିନ୍ନ କୋର୍ଟରେ ଚାଲେଞ୍ଜ କରି ଅଧିକ ସମୟ ନେବା ପାଇଁ ଚେଷ୍ଟା କରୁଛନ୍ତି। ଦୀର୍ଘଦିନ ଧରି କାମ କରୁଥିବା ଶହ ଶହ ଶ୍ରମିକ ସେମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ପାଉଣା ପାଇବା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଖଣି ଖୋଲିବାର ଅନିଶ୍ଚିତତା ପାଇଁ ସେମାନଙ୍କ ପରିବାର ମଧ୍ୟରେ ହତାଶ ଭାବ ଦେଖା ଦେଇଛି। ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବାରୁ ନିଜ ନିଜର ପିଲାମାନଙ୍କ ଆଡମିଶନ, ରିଆଡମିଶନ ପାଇଁ ଅର୍ଥାଭାବର ଚିନ୍ତାରେ ରହିଥିବାବେଳେ ଅନେକ ଆଦିବାସୀ ଶ୍ରମିକ ଭୋକ ଉପାସରେ ଅଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ ଖଣି ଚାଲୁ କରିବା ଓ ଶ୍ରମିକମାନଙ୍କ ପୁନଃ ନିଯୁକ୍ତି ସହ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଏଆଇଟିୟୁସିର ଜିଲ୍ଲା ସାଧାରଣ ସଂପାଦକ ମହେଶ୍ୱର ରାଉତ ଦାବି ଜଣାଇଛନ୍ତି। ନହେଲେ ବାଧ୍ୟ ହୋଇ ଶ୍ରମିକ ଓ ତାଙ୍କର ପରିବାରବର୍ଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top