ଜମି ଉଚ୍ଛେଦ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାରୀ ଜମିରେ ଘର କରି ରହିଥିବା ଏକ ପରିବାରକୁ ସେଠାରୁ ହଟାଇ ଦିଆଯିବା ପରେ କ୍ଷତିଗ୍ରସ୍ତ ପରିବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ବନ୍ତ ତହସିଲ ଅନ୍ତର୍ଗତ ଟିଲୋ ତରାପୁର ଗ୍ରାମର ଗଙ୍ଗାଧର ଜେନାଙ୍କ ପରିବାର ଦୀର୍ଘ ବର୍ଷ ଧରି ଉକ୍ତ ମୌଜାର ସରକାରୀ ଜମି ୯୪୮ଖାତା, ପ୍ଲଟ ନଂ- ୬୭୭୦/୭୪୮୮ରେ ଘର କରି ରହୁଥିଲେ। ଉକ୍ତ ସରକାରୀ ପ୍ଲଟଟି ତାଙ୍କ ନିଜସ୍ୱ ସଂପତ୍ତି ୩୪୫ଖାତା, ପ୍ଲଟ ନଂ ୬୭୭୦ ସହିତ ମିଶି ରହିଥିବା ଶ୍ରୀ ଜେନା କହିଛନ୍ତି। ବନ୍ତ ତହସିଲ ପକ୍ଷରୁ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଲାଗି ମକଦ୍ଦମା ନଂ ୬୩୬/୦୪ ମୂଳେ ଏକ ନୋଟିସ ଜାରି କରାଯାଇଥିଲା। ଶ୍ରୀ ଯେନା ଏହାକୁ ବିରୋଧ କରି ଭଦ୍ରକ ସିଭିଲ ଜଜ୍ କୋର୍ଟରେ ସି.ଏସ୍ ନଂ୨୩୪/୦୪ରେ ମାମଲା ଆଗତ କରିଥିଲେ। ଯାହା ଏବେ ପର୍ଯ୍ୟନ୍ତ ବିଚାରାଧୀନ ରହିଛି ଏବଂ ଏହାର ଏକ ଶୁଣାଣି ତାରିଖ ଆସନ୍ତା ୧୫ ତାରିଖକୁ ରହିଛି। ମାତ୍ର ବନ୍ତ ତହସିଲ ପକ୍ଷରୁ ଗତ ୨୦୧୬ ଜୁଲାଇ ୩୦ରେ ଜମି ଖାଲି କରିବାକୁ ଶ୍ରୀ ଯେନାଙ୍କୁ ପୁଣି ନୋଟିସ କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀ ଜେନାଙ୍କ ପକ୍ଷରୁ ହାଇକୋର୍ଟରେ ଡବ୍ଲ୍ୟୁ ପି (ସି) ୧୩୬୮୯/୧୬ ଅନୁସାରେ ମାମଲା ଦାୟର କରାଯାଇଥିଲା। ଏହି ମାମଲା ବିଚାର ହୋଇ ଏହାର ନ୍ୟାୟ ପ୍ରଦାନ ନିମନ୍ତେ ଉପଜିଲାପାଳ ଭଦ୍ରକଙ୍କୁ ଆଦେଶ ହୋଇଥିଲା। ଉପଜିଲାପାଳ ଏହାର ବିଚାର କରି ୩୦.୭.୨୦୧୬ରେ ଉକ୍ତ ଗୃହ ଉଚ୍ଛେଦ ପାଇଁ ନିର୍ଦେଶ ଦେଇଥିଲେ। ତେବେ ବନ୍ତ ତହସିଲ କର୍ତ୍ତୃପକ୍ଷ ବିନା ନୋଟିସରେ ଗତ ୨୭.୧୨.୨୦୧୬ରେ ଶ୍ରୀ ଯେନାଙ୍କ ଘର ଭାଙ୍ଗି ଦେଇଥିଲେ। ପୁଣି ଗତ ୨ ତାରିଖରେ ତହସିଲ ପକ୍ଷରୁ ଏହି ଜମିରେ ଥିବା ବିଭିନ୍ନ ଗଛ ସବୁ କାଟି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଶ୍ରୀ ଜେନାଙ୍କ ପରିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଏ ବାବଦରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଧାରଣ ପ୍ରତ୍ୟାହାର ହୋଇଥିଲା।

Leave a Reply

Your email address will not be published. Required fields are marked *