ଜିଲ୍ଲା ପରିକ୍ରମା

ଜବରଦଖଲରେ ଦେବୋତ୍ତର ସଂପତ୍ତି, ଅର୍ଥାଭାବ ଯୋଗୁଁ ମନ୍ଦିରର ନୀତି ବିପନ୍ନ

ଭଦ୍ରକ ୨୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଈଶ୍ୱର ବଡ ଅସୁରକ୍ଷିତ ଏଠି। ଶହ ଶହ ଏକର ସଂପତ୍ତିର ମାଲିକ ହୋଇ ମଧ୍ୟ ତାଙ୍କୁ ଆର୍ଥିକ ସଂକଟ ଘାରୁଛି। ଦେବାଳୟଗୁଡିକରେ କେବେ ପୂଜା ପାଇଁ ଭୋଗର ଅଭାବ ଘଟୁଛି ତ କେବେ ଦୀପ ସୁଦ୍ଧା ଜଳିପାରୁନି। ଭଦ୍ରକ ଜିଲାର ବିଭିନ୍ନ ମଠ ମନ୍ଦିରରେ ସଂପତ୍ତିଗତ ବିବାଦ ଲାଗି ରହିଛି। ରାଜସ୍ୱ ବିଭାଗର ନ୍ୟସ୍ତ ସ୍ୱାର୍ଥବାଦୀ କେତେକ କର୍ମଚାରୀଙ୍କ ଜାଲିଆତି ପୂର୍ଣ୍ଣ କାର୍ଯ୍ୟ ଓ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଉଦାସୀନତା ଯୋଗୁଁ ଭଦ୍ରକ ଜିଲାରେ ବହୁ ମଠ ଓ ମନ୍ଦିର ଏହି ସଂକଟର ସମ୍ମୁଖୀନ ହୋଇଛି। ଭଦ୍ରକର ଇତିହାସ ପ୍ରସିଦ୍ଧ ସଦାବ୍ରତ ମଠ, ଶ୍ରୀ ଶ୍ରୀ ଦାମୋଦର ଜୀଉ ଖେମସାଗର ମଠ, ଏମ୍ଆର ମଠ, ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମନ୍ଦିର, ରାନ୍ଦିଆସ୍ଥ ଗୌଡୀୟ ମଠ, ନୂଆ ଶାସନ ସ୍ଥିତ କୁମାରେଶ୍ୱର ମନ୍ଦିର, ଆରଡିର ଆଖଣ୍ଡଳମଣି ମନ୍ଦିର, ଛତ୍ରପଦାରେ ଥିବା ପୁରୁଣା ମଠ, ନରେନ୍ଦ୍ରପୁରରେ ଥିବା ପାଟଣମଙ୍ଗଳା ମନ୍ଦିର, ଧାମରାଇ ମନ୍ଦିର ତଥା ଅନ୍ୟାନ୍ୟ ବହୁ ଛୋଟ ବଡ ମନ୍ଦିରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି। ଏହାର ସୁରକ୍ଷା ଦିଗରେ ସରକାରୀ ସ୍ତରରେ କୌଣସି ନିଷ୍ଠାପର ଉଦ୍ୟମ ନହେବା ଚିନ୍ତାର ବିଷୟ। ପ୍ରାପ୍ତ ସୂଚନା ଅନୁଯାୟୀ ଶହେ ଏକର ସଂପତ୍ତିର ମାଲିକ କୁହାଯାଉଥିବା ଭଦ୍ରକ ପୁରୁଣା ବଜାରସ୍ଥିତ ଖେମସାଗର ମଠର ବର୍ତ୍ତମାନ ବାର୍ଷିକ ଆୟ ମାତ୍ର ପାଞ୍ଚ ବସ୍ତା ଧାନ। ତିରିଶି ସାଲ ବନ୍ଦୋବସ୍ତ ଆଗରୁ ମଠର ଏହି ବିପୁଳ ସଂପତ୍ତି ସଂପର୍କରେ ସୂଚନା ଥିଲା ଶହେ ଏକର। ମାତ୍ର ବର୍ତ୍ତମାନ ଦୈନିକ ମନ୍ଦିରର ନୀତି ପାଇଁ ପାଞ୍ଚ କିଲୋ ଚାଉଳ ଯୋଗାଡ ହୋଇପାରୁନି। ବିଗତ ମହାବାତ୍ୟା ବେଳେ କ୍ଷତିଗ୍ରସ୍ତ ମଠ, ମନ୍ଦିର ଓ ଦେବଗୃହ ଆଦି ମରାମତି ଦିଗରେ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ଉଦ୍ୟମ ହେଉନି। ଏହି ହିସାବରୁ ଜଣାଯାଇଛି ଯେ ଜିଲାରେ ୨୯୦ ଟି ମନ୍ଦିର ଓ ମଠ ରହିଛି। ମାତ୍ର ଏଥିପାଇଁ ସରକାରୀ ଅନୁଦାନ ଦିଆଯାଇଛି, ମାତ୍ର ପାଞ୍ଚଲକ୍ଷ ଟଙ୍କା ମାତ୍ର। ଏହି ଅନୁଦାନରେ ଏତେ ସଂଖ୍ୟକ ଦେବାଦେବୀ ମନ୍ଦିର ଓ ମଠ କିଭଳି ଚଳିବ, ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି ମନରେ। ମଠ ଓ ମନ୍ଦିର ଗୁଡିକ ବିଜେସ୍ଥଳୀ ବେବନ୍ଦୋବସ୍ତୀ ରହିଥିବାବେଳେ ଏହାର ଅଚଳାଚଳ ସଂପତ୍ତିକୁ କୁଚକ୍ରୀମାନେ ନିଜ ନାମରେ ରେକର୍ଡ କରି ନେଇଛନ୍ତି। ଏ କ୍ଷେତ୍ରରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟଗୁଡିକ କୁଚକ୍ରୀମାନଙ୍କ ସହ ହାତ ମିଳାଇଛନ୍ତି। ଦେବୋତ୍ତର ସଂପତ୍ତିକୁ ସେମାନେ କାଗଜ କଲମରେ ବିକ୍ରି କରିବାକୁ ଆରମ୍ଭ କରିଦେଇଛନ୍ତି। କେତେକ ମଠ ଟ୍ରଷ୍ଟିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗରଦପୁର, କୁଆଁସ, ମଠସାହି, ଭଦ୍ରକ ସହର, ସରମଙ୍ଗା, ରହଣିଆ, ଛତ୍ରପଦା ଓ କୋରଣ୍ଟ ଆଦି ମୌଜାରେ ରହିଥିବା ଏହି ମଠର ବହୁ ଜମିକୁ କେତେକ ଖଳ ପ୍ରକୃତିର ବ୍ୟକ୍ତି ହଡପ କରି ରଖିଛନ୍ତି। ଏପରିକି ମଠର ପ୍ରାୟ ୩ ଏକର ଭୂସଂପତ୍ତିକୁ ରାନ୍ଦିଆସ୍ଥିତ ଏକ କଂପାନୀ ଜବର ଦଖଲରେ ରଖିଥିବା ବିଷୟ ଟ୍ରଷ୍ଟିମାନଙ୍କ ପକ୍ଷରୁ ଦର୍ଶାଯାଇଛି। ସର୍ବୋପରି ସରକାରୀ ଉଦାସୀନତାରୁ ମଠର ବହୁମୂଲ୍ୟ ସଂପତ୍ତିକୁ କୁଚକ୍ରୀମାନେ ବେଆଇନ୍ ଭାବେ ଶାଗ ମାଛ ଭଳି କ୍ରୟ ବିକ୍ରୟ କରି ମାଲାମାଲ ହେଉଥିବା ବେଳେ ଅଭାବ ଅନଟନ ଯୋଗୁଁ ମଠ ପରିଚାଳନାରେ ଘୋର ତୃଟି ପରିଲକ୍ଷିତ ହେଉଛି। ସେହିଭଳି ଘୋର ଆର୍ଥିକ ସଂକଟ ମଧ୍ୟରେ ରହିଛି ସଦାବ୍ରତ ମଠ। ଭଦ୍ରକର ପୁରୁଣା ବଜାର ଠାରେ ଅବସ୍ଥିତ ଏହି ମଠ ସପ୍ତଦଶ ଶତାବ୍ଦୀରେ ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ବାହାର ରାଜ୍ୟର ଭକ୍ତମାନେ ଶ୍ରୀକ୍ଷେତ୍ର (ପୁରୀ) ଯାଉଥିବା ବାଟରେ ଏହି ମଠରେ ରାତି କଟାଉଥିଲେ। ଏଠାରେ ପଥଚାରୀ ଭକ୍ତମାନଙ୍କ ପାଇଁ ମାଗଣାରେ ରହିବା ଓ ଖାଇବାର ବ୍ୟବସ୍ଥା ଥିଲା। ମାତ୍ର ପ୍ରାଚୀନ ମଠଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ମଠ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ମଠର ବହୁ ମୂଲ୍ୟବାନ ଭୂସଂପତ୍ତି ବହୁଦରଡା, ସାବରଙ୍ଗ, ମଠସାହି, କୁଆଁସ, ଗରଦପୁର, ଭଦ୍ରକାଳୀ ସାହି, ବାଲିପାଟଣା, ବନ୍ତ, ଧାମନଗର, ଯାଜପୁର ଆଦି ଅଂଚଳରେ ରହିଛି। ମାତ୍ର ଏହି ସଂପତ୍ତି ସବୁକୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ହଡପ କରି ରଖିବା ଯୋଗୁଁ ମଠ ଘୋର ଆର୍ଥିକ ସଂକଟ ମଧ୍ୟରେ ରହିଛି। ଏକଦା ଲକ୍ଷ ଲକ୍ଷ ଲୋକଙ୍କୁ ମାଗଣାରେ ଅନ୍ନଦାନ କରୁଥିବା ଏହି ମଠର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଗୋପାଳଜୀଉଙ୍କ ନୀତି ପାଇଁ କର୍ତ୍ତୃପକ୍ଷଙ୍କ ଭିକ୍ଷାଥାଳ ଧରିବାକୁ ପଡୁଛି। ମଠ ଓ ମନ୍ଦିରର କର୍ମକର୍ତ୍ତାଙ୍କ ସାହାସୀ ପଦକ୍ଷେପ ପାଇଁ ଏଗୁଡିକ ବଂଚି ରହିଛି। କିନ୍ତୁ ଦଲାଲମାନେ ଏହାକୁ ବରବାଦ କରିବାରେ ଲାଗିଛନ୍ତି। ଖାଲି ସେତିକି ନୁହେଁ, ଓଡ଼ିଶାର ଦ୍ୱିତୀୟ କୋଣାର୍କ ଭାବେ ଖ୍ୟାତ ବିରଞ୍ଚି ନାରାୟଣ ମନ୍ଦିର ଅର୍ଥାଭାବରୁ ଚରମ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ନରେନ୍ଦ୍ରପୁର ଠାରେ ଥିବା ମା’ ପାଟଣା ମଙ୍ଗଳା ମନ୍ଦିରରେ ଅବ୍ୟବସ୍ଥା ଲାଗି ରହିଛି। କନିକା ରାଜାଙ୍କ ପ୍ରତିନିଧି ଓ ସ୍ଥାନୀୟ ଗ୍ରାମବାସୀ ଓ ମନ୍ଦିର କମିଟି ମଧ୍ୟରେ ସନ୍ତୋଷ ଜନକ ବାତାବରଣ ଆସୁନି। ଏହି ସବୁ ମଠ ମନ୍ଦିରଗୁଡିକ ସୁରକ୍ଷା ଓ ଏଠାରେ ଅଧିଷ୍ଠିତ ଦେବାଦେବୀଙ୍କ ଆର୍ଥିକ ସଂକଟ ଦୂର କରିବା ଦିଗରେ ସରକାର ତଥା ତାଙ୍କ ଦେବୋତ୍ତର ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top