ଜନନୀ ସୁରକ୍ଷା ଯୋଜନା ବାଟବଣା

କରଞ୍ଜିଆ ୦୮/୦୮ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ଜନନୀ ସୁରକ୍ଷା ଯୋଜନା ବିଫଳ। ବେପରୁଆ ପରିଚାଳନା ପାଇଁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ଅସହାୟା ହିତାଧିକାରୀ। ଖବର ଦେଲେବି ଆସୁନି ୧୦୨ କି ୧୦୮ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ସଠିକ ସମୟରେ ନ ମିଳିବା ଯୋଗୁଁ ଡାକ୍ତରୀ ସେବା ଅଭାବରୁ ସଦ୍ୟଜାତ ଶିଶୁସନ୍ତାନ ମୃତ୍ୟୁ ମୁଖରେ ପଡୁଥିବା ବେଳେ ପ୍ରସୂତୀ ମାଆମାନଙ୍କ ଜୀବନ ସଙ୍କଟାପନ୍ନ ହେଉଛି। ଯାହା ରାଜ୍ୟ ସରକାର ମା’ ଏବଂ ଛୁଆଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ବି ତାହା ସମ୍ପୁର୍ଣ୍ଣ ବିଫଳ ହଇଥିବା ଏକ ନଗ୍ନ ଚିତ୍ର ଆଜି ଦେଖିବାକୁ ମିଳିଛି କରଞ୍ଜିଆ ବ୍ଲକ ଅନ୍ତର୍ଗତ ପାଟବିଲ ଗ୍ରାମ ପଞ୍ଚାୟତ ବାଲିଭୋଳ ଗ୍ରାମରେ। ଗ୍ରାମର ବାସନ୍ତୀ ଦିଗି ନାମକ ମହିଳାଙ୍କ ଆଜି ସକାଳ ୭ ଘଟିକା ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରଥମେ ଆଶା ଦିଦିଙ୍କ ଜରିଆରେ ଆମ୍ବୁଲାନ୍ସ ସେବା ପାଇଁ୧୦୨ ଏବଂ ପରେ ୧୦୮ କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ଘରେ ହିଁ ଦୁଇଟି ଛୁଆଙ୍କୁ ଦିନ ୧୦.୩୦ମି ସମୟରେ ଜନ୍ମ ଦେଇଥିଲେ। ତେବେ ସେତେବେଳେ ପର୍ଯ୍ୟନ୍ତ କୌଣସି ଆମ୍ବୁଲାନ୍ସ ନ ଆସିବା ଏବଂ ଦିନ ଗୋଟାଏ ପାଖାପାଖି ସମୟରେ ୧୦୮ ଯାଇ ମା’ ଏବଂ ଛୁଆଙ୍କୁ ଆଣୁଥିବା ରାସ୍ତାରେ ଉଭୟ ସଦ୍ୟ ଜାତ ଛୁଆଙ୍କ ମୃତ୍ୟୁ ହୋଇଥିଲା। ତେବେ ଉପଖଣ୍ଡ ଚିକିତ୍ସାଲୟରେ ଡାକ୍ତର ମା’ ସୁସ୍ଥ ଥିବା ସୂଚନା ଦେଇ କୁହନ୍ତି। ସେହିପରି ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ସଦସ୍ୟ ଗ୍ରାମବାସୀଙ୍କ ନେତୃତ୍ୱ ନେଇ ଉପଖଣ୍ଡ ଚିକିତ୍ସାଲୟ ସମ୍ମୁଖରେ ମୃତ୍ୟୁ ଛୁଆଙ୍କୁ ଧରି ଆନ୍ଦୋଳନ ଆରମ୍ଭ କରିଥିଲେ। ୧୦୮ ଏବଂ ୧୦୨ ଆମ୍ବୁଲାନ୍ସରେ କାର୍ଯ୍ୟ ରତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିବା ବେଳେ ସାଧାରଣରେ ସରକାରଙ୍କ ଚାଲୁ ଥିବା ଜନ କଲ୍ୟାଣକାରୀ ଯୋଜନା ଏଠାରେ ସମ୍ପୂର୍ଣ୍ଣ ବିଫଳ ହଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆଜିର ଏହି ଦୁଃଖଦ ଘଟଣା ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ ଦେଖିବାକୁ ବାକି ରହିଲା ଦାୟିତ୍ୱ ପାଳନରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୋଧରେ ରାଜ୍ୟସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *