ଜଟିଳ ହେଉଛି ରେଳ ଷ୍ଟେସନ ସମ୍ମୁଖ ଜାଗା ଦଖଲ ବିବାଦ ଶ୍ରମିକ ସଂଗଠନ ସମନ୍ୱୟ ସମିତିର ଆନ୍ଦୋଳନ ନିଷ୍ପତି

ବାଲେଶ୍ୱର,୧/୬ (ଓଡ଼ିଆ ପୁଅ/ଅଜିତ ମହାନ୍ତି) : ବାଲେଶ୍ୱର ରେଳ ଷ୍ଟେସନ ସମ୍ମୁଖ ଖାଲି ଜାଗା ନିଲାମଧାରୀଙ୍କୁ ଦଖଲ ପ୍ରଦାନକୁ ନେଇ ରେଳ କର୍ତ୍ତୃପକ୍ଷ ଓ ଆଟୋ-ଟ୍ୟାକ୍ସି ଚାଳକ ସଂଘ ମଧ୍ୟରେ ଚାଲିଥିବା ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ଗତକାଲି ଅଟୋରିକ୍ସା, ଟ୍ୟାକ୍ସି ଚାଳକଙ୍କ ସମେତ ଦୋକାନୀମାନଙ୍କ ମିଳିତ ବିରୋଧ ଯୋଗୁଁ ଶେଷରେ ରେଳ କର୍ତ୍ତୃପକ୍ଷ ଦଖଲ କାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଅଟୋରିକ୍ସା-ଟ୍ୟାକ୍ସି ଚାଳକ ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଆଜି ସଂଧ୍ୟାରେ ସମ୍ପୃକ୍ତ ଜାଗାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ନେତା ରାଧାରମଣ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ବିଧାୟକ ଅରୁଣ ଦେ, ପ୍ରଦୀପ୍ତ ପଣ୍ଡା, ଶ୍ରମିକ ନେତା ଭାଗବତ ପ୍ରତିହାରୀ, ନିର୍ମଳ ନାୟକ, ଶାନ୍ତନୁ ଦାସ, ରଂଜନ ବାଗ, ନିକୁଞ୍ଜ ବସନ୍ତ ରାୟ ପ୍ରମୁଖ ଏଥିରେ ଯୋଗଦେଇ ରେଳ କର୍ତ୍ତୃପକ୍ଷଙ୍କ ଅମାନବିକ କାର୍ଯ୍ୟକୁ ନେଇ ତୀବ୍ର ନିନ୍ଦା କରିଥିଲେ। ଟ୍ରେନ୍ ଯାତ୍ରୀଙ୍କ ପାଇଁ ଅଟୋରିକ୍ସା ଓ ଟ୍ୟାକ୍ସି ଏକାନ୍ତ ଆବଶ୍ୟକ ଥିବା ବେଳେ କର୍ତ୍ତୃପକ୍ଷ ସେମାନଙ୍କୁ ଷ୍ଟେସନ ନିକଟରୁ ଉଚ୍ଛେଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରମିକନେତାମାନେ ପ୍ରକାଶ କରିଥିଲେ। ସମଗ୍ର ଦେଶରେ ପ୍ରମୁଖ ରେଳଷ୍ଟେସନ ନିକଟରେ ଟ୍ୟାକ୍ସି ଓ ଅଟୋରିକ୍ସା ଷ୍ଟାଣ୍ଡ ରହିଥିବା ବେଳେ ବାଲେଶ୍ୱରରେ ଏହାର ଉଚ୍ଛେଦ କରିବା ଅଭିପ୍ରାୟ ବାସ୍ତବିକ ଅପରିଣାମଦର୍ଶୀ କାର୍ଯ୍ୟ। ଏନେଇ କର୍ତ୍ତୃପକ୍ଷ ପୁନର୍ବିଚାର ନ କଲେ ଆଗାମୀ ଦିନରେ ଶ୍ରମିକ ସଂଗଠନ ସମନ୍ୱୟ ସମିତି ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ବିଶ୍ୱଜିତ୍ ମହାପାତ୍ର, ଉମାକାନ୍ତ ପାତ୍ର, ରାଜକିଶୋର ଲେଙ୍କା, ଲୋକନାଥ ପାତ୍ର, ଲକ୍ଷ୍ମୀକାନ୍ତ ପରିଡ଼ା, ପ୍ରକାଶ ମୁର୍ମୁ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଟୋରିକ୍ସା ଓ ଟ୍ୟାକ୍ସି ଚାଳକ ସଂଘର କର୍ମକର୍ତ୍ତା ସଦସ୍ୟଙ୍କ ସମେତ ଷ୍ଟେସନ ରୋଡ଼ର ବହୁ ଦୋକାନୀ ଏହି ପ୍ରତିବାଦ ସଭାରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *