ଜଗନ୍ନାଥ କଲୋନୀ-ସାକ୍ଷୀପଡ଼ା ସବ୍ୱେ ଡିସେମ୍ବରରେ କାର୍ଯ୍ୟକ୍ଷମ ହେବ

ସମ୍ବଲପୁର, ୨୧/୯ (ଓଡ଼ିଆ ପୁଅ) – କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ଜାନବାହନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରିବା ପାଇଁ ଏକ ବିକଳ୍ପ ରାସ୍ତା ସକାଶେ ଜଗନ୍ନାଥ ମନ୍ଦିର କଲୋନୀରୁ ସାକ୍ଷୀଗୋପୀନାଥପଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ନିର୍ମାଣାଧୀନ ସବ୍ୱେ ବା ଅଣ୍ଡରପାସ ଆଗାମୀ ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସମ୍ବଲପୁର ରେଳବାଇ ଡିଭିଜନ ସବ୍ୱେ ନିର୍ମାଣ କରୁଥିବା ବେଳେ ସ୍ଥାନୀୟ ପୂର୍ତ୍ତ ବିଭାଗ ଏହାର ଦୁଇ ପାଶ୍ୱର୍ର ସଂଯୋଗକାରୀ ରାସ୍ତା ନିର୍ମାଣ କରୁଛି। ସବ୍ୱେ ପାଇଁ କଂକ୍ରିଟ କାମ ସମ୍ପୂର୍ଣ୍ଣ ହୋଇଛି। କଂକ୍ରିଟ ଢ଼ାଞ୍ଚାଗୁଡ଼ିକୁ ରେଳ ଲାଇନ ତଳେ ଖଞ୍ଜିବା ସକାଶେ କାର୍ଯ୍ୟ ଆରମ୍ଭ ହୋଇଛି। ୩.୨୫୦ ମିଟର ଉଚ୍ଚ ଏବଂ ୬ ମିଟର ଚଉଡ଼ାର ଏହି ସବ୍ୱେର ଲମ୍ବ ୩୦ ମିଟର ବିଶିଷ୍ଟ ହେବ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସବ୍ୱେକୁ ସାକ୍ଷୀଗୋପୀନାଥ ପଡ଼ାରୁ ୧୦୦ ମିଟର ଏବଂ ଜଗନ୍ନାଥ କଲୋନୀ ପଟରୁ ୮୦ ମିଟର ରାସ୍ତା ନିର୍ମାଣ କରାଯାଉଛି। ଏହାକୁ ଗତବର୍ଷ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜମି ସମସ୍ୟା ଏବଂ ପାଣି ଜମି ରହିବାରୁ ଏଥିରେ ବିଳମ୍ବ ହୋଇଥିବା କୁହାଯାଉଛି। ସବ୍ୱେର ଦୁଇ ପାଶ୍ୱର୍ର ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଏହାବାଦ ସବ୍ୱେ ପାଇଁ କଂକ୍ରିଟ ବକ୍ସ ଖଞ୍ଜାଯିବ ବୋଲି ସମ୍ବଲପୁର ପୂର୍ତ୍ତ ଡିଭିଜନ -୧ର ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ ସୂଚନା ଦେଇଛନ୍ତି। ଏହି ସବ୍ୱେ ନିର୍ମାଣ ହେଲେ ବୁଢ଼ାରଜା ମୁଖ୍ୟ ରାସ୍ତା ଅଞ୍ଚଳରୁ ସାକ୍ଷୀଗୋପୀନାଥ ପଡ଼ା, ବ୍ରୁକ୍ସହିଲ, ଧନକଉଡ଼ା, ସିଟି ରେଲୱେ ଷ୍ଟେସନ ପ୍ରଭୃତି ସ୍ଥାନକୁ ଦୂରତା ହ୍ରାସ ପାଇବ। ଏବେ ଏଥିପାଇଁ ପ୍ରାୟ ୫ କିଲୋମିଟର ରାସ୍ତା ପଡ଼ୁଛି।

Leave a Reply

Your email address will not be published. Required fields are marked *