ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ରେ ୨୦୦ ଶଯ୍ୟା ଡାକ୍ତରଖାନା, ପାରାଦ୍ୱୀପ ଓ ଧାମରାରେ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି : ସମାଜବାଦୀ ପାର୍ଟି

ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ବୈପ୍ଳବିକ ପଦକ୍ଷେପକୁ ସ୍ୱାଗତ
ଭୁବନେଶ୍ୱର, ୨୩ା୬ (ଓଡ଼ିଆ ପୁଅ) : ରାଜ୍ୟସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ମାଧ୍ୟମରେ ୭୦ଲକ୍ଷ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇବାର ପଦକ୍ଷେପ ନିଆଯିବା ପରେ ୨୦ଟି ଜିଲ୍ଲା ସଦର ହସ୍ପିଟାଲ୍କୁ ଉନ୍ନିତ କରାଯାଇ ଯେଉଁ ୨୭୦୦ ନୂଆ ଶଯ୍ୟା ପାଇଁ ଗତକାଲି ଘୋଷଣା କରାଯାଇଛି, ତାହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ଏହି ବୈପ୍ଳବିକ ପଦକ୍ଷେପକୁ ସ୍ୱାଗତ କରିବା ସଂଗେସଂଗେ ଜଗତସିଂହପୁର ଜିଲ୍ଲା ସଦର ହସ୍ପିଟାଲ, ଖୋର୍ଦ୍ଧା ସଦର ହସ୍ପିଟାଲ୍ ଓ ନୟାଗଡ଼ ସଦର ହସ୍ପିଟାଲ୍କୁ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି। ଏହାବ୍ୟତୀତ କଟକ, ଭୁବନେଶ୍ୱର, ବୁର୍ଲା ଓ ବ୍ରହ୍ମପୁର ମେଡ଼ିକାଲ କଲେଜ ଓ ଏମସ୍କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କର ଆଟେଣ୍ଡାଣ୍ଟମାନଙ୍କ ପାଇଁ ଶସ୍ତା ଓ ସୁଲଭ ମୂଲ୍ୟରେ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ସେ ଅନୁରୋଧ କରିଛନ୍ତି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ପାଇଁ ଭୁବନେଶ୍ୱରଠାରେ ପ୍ରସ୍ତାବିତ ତୃଣମୂଳସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରସ୍ତାବିତ ମେଡିକାଲ୍ କଲେଜ ସ୍ଥାପନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଭାରତ ସରକାରଙ୍କର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ୨୦୧୪ ମସିହାରେ ସ୍ଥାପିତ ହେବାକୁ ଥିବା ଇ.ଏସ୍.ଆଇ. ମେଡିକାଲ୍ କଲେଜ କାମକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାରଙ୍କ ଉପରେ ଚାପ ପକାଇବାକୁ ମଧ୍ୟ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାବ୍ୟତୀ ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ, ପାରାଦ୍ୱୀପ ଓ ଧାମରା ବନ୍ଦର ଆଗାମୀ ଦିନରେ ବିକାଶର କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି। ସେଠାରେ ଏହି ଦୁଇଟି ଯାଗାରେ ଦୁଇଟି ସୁପର ସ୍ପେସାଲିଷ୍ଟ ହସ୍ପିଟାଲ୍ର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ଏହାକୁ ଆଖି ଆଗରେ ରଖି ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଓ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ଦୁଇଟି ଯାଗାରେ ତାଙ୍କର ସାମାଜିକ କଲ୍ୟାଣପାଣ୍ଠି ସହାୟତାରେ ଦୁଇଟି ଅତ୍ୟାଧୁନିକ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେହେରା ଦର୍ଶାଇଛନ୍ତି। ଏହି ପଦକ୍ଷେପ ନିଆଗଲେ ଓଡ଼ିଶା ଭାରତ ବର୍ଷର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବା ସଂଗେସଂଗେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡଃ ରାମମନୋହର ଲୋହିଆ ଦେଖିଥିବା ସ୍ୱପ୍ନ ‘ମୁକ୍ତ ସ୍ୱାସ୍ଥ୍ୟସେବା ସମସ୍ତଙ୍କର ଏକ ଅଧିକାର, ବାସ୍ତବରେ ପରିଣତ ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *