ଜଂଗଲ ଜମିରେ ଚିଙ୍ଗୁଡି ଘେରି

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ଏବେ ଚିଙ୍ଗୁଡି ଘେରି ବଢି ଚାଲିଛି। ଅର୍ଥକାରୀ ମାଛ ଚାଷ ଭାବେ ମତ୍ସ୍ୟ ବିଭାଗ ପକ୍ଷରୁ ଚିଙ୍ଗୁଡି ଚାଷକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ଚାଷୀମାନେ ଏଥିପାଇଁ ନିଜର ଜମିରେ ପୋଖରୀ ଖୋଳି ଚିଙ୍ଗୁଡି ଚାଷ କରୁଛନ୍ତି। ମାତ୍ର କିଛି ଚାଷୀ ସରକାରୀ ଜମି ଉପରେ ଜୋର ଜବରଦସ୍ତ ଚିଙ୍ଗୁଡି ଘେରି କରି ଆସୁଛନ୍ତି। ଏଇ ଘଟଣା ଆଜିର ନୁହେଁ, ଭଦ୍ରକ ଜିଲାରେ ବର୍ଷବର୍ଷ ଧରି ଏଇ ବେଆଇନ୍ ମାଛ ଚାଷ ଚାଲି ଆସିଛି। ଏଥିପାଇଁ ସବୁ ଘଟଣା ରାଜସ୍ୱ ବିଭାଗର କର୍ମଚାରୀ ଜାଣୁଛନ୍ତି। ସେମାନଙ୍କ ଜାଣତରେ ସବୁ କିଛି ବେଆଇନ୍ କାର୍ଯ୍ୟ ଚାଲୁଥିବାବେଳେ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପ୍ରକାଶ ଯେ ଭଦ୍ରକ ଜିଲା ଧାମରା ଅଂଚଳରେ ଶହ ଶହ ଏକର ଜଂଗଲ କିସମ ଜମି ଉପରେ ବେଆଇନ୍ ଭାବେ ଚିଙ୍ଗୁଡି ଘେରି କରାଯିବା ନେଇ ଏବେ ପ୍ରତିବାଦର ସ୍ୱର ଉଠିଛି। ଜଂଗଲ କିସମ ଜମିରେ ଚିଙ୍ଗୁଡି ଚାଷ କରାଯାଉଛି ବୋଲି ଲୋକମାନେ ପ୍ରତିବାଦ କରି ଆସୁଥିବାବେଳେ ଏଇସବୁ ଜମିରେ ମାଛ ଚାଷ ନକରି ଜଂଗଲ ସୃଷ୍ଟି କରି ପରିବେଶକୁ ସୁରକ୍ଷିତ ରଖିବାକୁ ଅଂଚଳବାସୀ ଦାବି କରୁଛନ୍ତି। କିଛି ଚିଙ୍ଗୁଡି ମାଫିଆ ପୁଲିସ୍ ଓ ରାଜସ୍ୱ କର୍ମଚାରୀଙ୍କ ହାତ କରି ବର୍ଷ ବର୍ଷ ଧରି ଏ ପକ୍ରାର ବେଆଇନ୍ କାର୍ଯ୍ୟ କରି ଚାଲିଛନ୍ତି। ଏଥିରୁ ବି ସେମାନେ ପ୍ରଚୁର ଲାଭ ଉଠାଉଛନ୍ତି। ଧାମରା ଅଂଚଳର କିଛି ଚିଙ୍ଗୁଡି ମାଫିଆ ଏଭଳି ଜଂଗଲ ଜମିକୁ କରାୟତ କରି ଚିଙ୍ଗୁଡି ଚାଷ କରୁଛନ୍ତି। ଚିଙ୍ଗୁଡି ଚାଷ କରିବା ପାଇଁ ଏଇ ମାଫିଆମାନେ ପ୍ରଥମେ ସ୍ଥାନୀୟ ଆରଆଇଙ୍କୁ ହାତକରି ନେଉଛନ୍ତି। ଆଗ ଜମିକୁ ଜବରଦଖଲ ଦେଖାଇ ଦେଉଛନ୍ତି। କିଛିଦିନ ଜବରଦଖଲ କରିବା ପରେ ଏଇ ଜମିରେ ମାଫିଆମାନେ ଚିଙ୍ଗୁଡି ପୋଖରୀ କାଟି ମାଛ ଚାଷ କରି ମାଲେମାଲ ହେଉଛନ୍ତି। ଗୋଟିଏ ଗୋଟିଏ ଚିଙ୍ଗୁଡି ଘେରିରୁ ଜଣେ ଜଣେ ଚିଙ୍ଗୁଡି ଚାଷୀ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏଇ ଚିଙ୍ଗୁଡି ଚାଷୀଙ୍କ ଠାରୁ ଡିଏଫଓ ଭଦ୍ରକ ଠାରୁ ଆରମ୍ଭ କରି ରେଂଜନ ଓ ଫରେଷ୍ଟମାନେ ବେଶ୍ ମୁନାଫା ଉଠାଇ ନିରବରେ ରହିଯାଉଛନ୍ତି। ଜଂଗଲ କିସମ ଜମିରେ ଚିଙ୍ଗୁଡି ଘେରି କରିବାକୁ ହେଲେ ପ୍ରଥମେ ଭଦ୍ରକ ଡିଏଫ୍ଓଙ୍କ ଅନୁମତି ଆଣିବାର ଆବଶ୍ୟକତା ରହିଛି। ମାତ୍ର ଭଦ୍ରକ ଡିଏଫ୍ଓ ଅଫିସର କିଛି କର୍ମଚାରୀ ଏଇ ଚିଙ୍ଗୁଡି ମାଫିଆଙ୍କ ସହ ହାତ ମିଳାଇ ଏଭଳି କାମ କରୁଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ଭଦ୍ରକ ଡିଏଫ୍ଓ ଅଫିସର ଗାର୍ଡ ହୁଅନ୍ତୁ କି ରେଂଜର ହୁଅନ୍ତୁ ସେମାନେ କେବଳ କାଠ ମାଫିଆଙ୍କ ସହ ହାତ ମିଳାଇ ବେଆଇନ୍ କାଠ କଟା ଠାରୁ ଆରମ୍ଭ କରି ବେଆଇନ୍ କରତ କଳ ପର୍ଯ୍ୟନ୍ତ ଚଳାଇବାର ଯେଭଳି ଅନୁମତି ଦେଉଛନ୍ତି। ସେହିଭଳି ଜଂଗଲ ଜମିରେ ଜଂଗଲ ସୃଷ୍ଟି ନକରି, ସେଇ ଜମିରେ ବେଆଇନ୍ ଭାବେ କିଛି ଚିଙ୍ଗୁଡି ଚାଷୀଙ୍କ ସହ ହାତ ମେଳାଇ ଏଭଳି ବେଆଇନ୍ କାର୍ଯ୍ୟ ଚାଲୁ ରଖିଛନ୍ତି। ଏଥିପାଇଁ ଜିଲାର ଜଂଗଲ ସଂପଦ ନଷ୍ଟ ହେଉଥିବା ବେଳେ ନୂଆ ଜଂଗଲ ସଂପଦ ସୃଷ୍ଟି ହୋଇପାରୁନାହିଁ। କେବଳ ସେତିକି ନୁହେଁ, ଏଇ ଚିଙ୍ଗୁଡି ଚାଷ ଯୋଗୁଁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ଜିଲାର ଏଭଳି ବେଆଇନ୍ ଚିଙ୍ଗୁଡି ଚାଷ ଖୁଲମଖୋଲା ଭାବେ ଚାଲିଥିବାବେଳେ ଏ ସମସ୍ତ ବିଷୟରେ ଭଦ୍ରକ ଡିଏଫ୍ଓ ଜାଣି ମଧ୍ୟ ନ ଜାଣିବା ପରି ରହୁଛନ୍ତି। ଡିଏଫ୍ଓଙ୍କ ପରେ ଡିଏଫ୍ଓ ବଦଳି ଯାଉଛନ୍ତି। ମାତ୍ର ବଦଳି ପାରୁନାହିଁ ବେଆଇନ୍ ଭାବେ କରାଯାଉଥିବା ଚିଙ୍ଗୁଡି ଚାଷର ଚିତ୍ର। ଚିଙ୍ଗୁଡି ଘେରି କରାଯିବା ଦ୍ୱାରା ଏ ଅଂଚଳରେ ପରିବେଶ ନଷ୍ଟ ହେଉଛି। ଲୋକମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହେଉଚି। ମାତ୍ର ପରିବେଶ ଦୂଷିତ ପ୍ରତି ବନ ବିଭାଗ ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି। ଧାମରା ଅଂଚଳର ଚିଙ୍ଗୁଡି ମାଫିଆମାନେ ପୁଲିସ୍୍, ଆରଆଇ, ବନ ବିଭାଗକୁ ହାତ କରି ଏପରି ବେଆଇନ୍ କାରବାର ଚଳାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଜଂଗଲ ଜମିରୁ ଚିଙ୍ଗୁଡି ଘେରି ହଟାଇବାକୁ ସ୍ଥାନୀୟ ଲୋକମାନେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବିପ୍ରତି ଅଣଦେଖା କରାଯାଉଛି। ଆଗାମୀ ଦିନରେ ଏଇ ବେଆଇନ୍ ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରତିବାଦରେ ଚାନ୍ଦବାଲି ତହସିଲ ଅଫିସ୍ ଓ ଡିଏଫ୍ଓ ଅଫିସ୍ ଘେରାଉ କରାଯିବ ବୋଲି ଧାମରାବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *