ଛୁଟି ଆରମ୍ଭ : ଦର୍ଶନୀୟ ସ୍ଥାନମାନଙ୍କରେ ଶହ ଶହ ପିକ୍ନିକ୍ ଦଳଙ୍କ ସମାଗମ

ସମ୍ବଲପୁର, ୨୮/୧୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଏବେ ଡିସେମ୍ବର ଛୁଟି ସହିତ ସରକାରୀ ଅଫିସ ମାନଙ୍କରେ ମଧ୍ୟ ଲଗାୟତ୍ ଦୁଇଦିନିଆ ଛୁଟି ସାଙ୍ଗକୁ ରବିବାର ଓ ବଡ଼ଦିନ ଯୋଗୁଁ ସମ୍ବଲପୁର ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ଜାଗା ମାନଙ୍କରେ ଆଜି ବଣଭୋଜି ପାଇଁ ଅସଂଖ୍ୟ ଦଳ ପହଞ୍ଚିଛନ୍ତି। ସମ୍ବଲପୁରକୁ ଆସୁଥିବା ଓ ଏହି ରାସ୍ତା ଦେଇ ଯାଉଥିବା ରାଜ୍ୟ ଓ ରାଜ୍ୟବାହାରର ହଜାର ହଜାର ତୀର୍ଥଯାତ୍ରୀ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିରକୁ ଆସୁଛନ୍ତି। ଏଥିସହିତ ସହରର ଡିଅରପାର୍କ, ବୁର୍ଲାର ପ୍ଲାନେଟୋରିୟ ଓ ସାଇନ୍ସ ପାର୍କରେ ନାହିଁ ନଥିବା ଜନସମାଗମ ଦେଖିବାକୁ ମିଳିଛି। ଛଟି ସତ୍ତ୍ୱେ ଆଜି ସୋମବାର ଦିନ ବୁର୍ଲା ସାଇନ୍ସ ପାର୍କକୁ ମହାନଗର ନିଗମ ପକ୍ଷରୁ ଖୋଲା ଯାଇଛି। ନୂଆବର୍ଷ ଦିନ ପ୍ଲାନେଟୋରିୟମ ସହିତ ସାଇନ୍ସ ପାର୍କକୁ ଖୋଲା ରଖିବା ପାଇଁ ଜିଲ୍ଲା ପ୍ରଶାସନ ବିଚାର କରୁଥିବା ଜଣାପଡ଼ିଛି। ଜିଲ୍ଲାର ପ୍ରାକୃତିକ ଓ ଦର୍ଶନୀୟ ସ୍ଥାନମାନଙ୍କରେ ଜିଲ୍ଲା ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କ ଆଗମନ ଯୋଗୁଁ ବହୁ ମାସ ଧରି ଶୂନଶାନ୍ ଥିବା ଜାଗାଗୁଡ଼ିକ ହଠାତ୍ ଚଳଚଞ୍ଚଳ ହୋଇଉଠିଛି। ଜିଲ୍ଲାର ଚିପିଲିମା ମହାନଦୀ କୂଳ, ହୀରାକୁଦ ଡ୍ୟାମର ରାଇଟ ଡାଇକ୍, ଜିରୋ ପଏଣ୍ଟ, ଡେବ୍ରୀଗଡ଼ ଏବଂ ଲେଫ୍ଟେ ଡାଇକର ଜମାଦାରପାଲି, ପିତାପାଲି, ସପ୍ନେ ପ୍ରଭୃତି ନଦୀକୂଳିଆ ଅଞ୍ଚଳ ଏହି ପିକନିକ୍ ସ୍ପଟ ତାଲିକାରେ ରହିଛି। ସେହିଭଳି ସମ୍ବଲପୁର ସହରର ବୁର୍ଲା ପାଖରେ ଥିବା ପାୱାର ଚ୍ୟାନେଲର ଅଠରହଜାର, ସହରର ମୋତିଝରଣ ଡିଅର ପାର୍କ, ଶାସନ ଅନ୍ତର୍ଗତ ସଢ଼ାସିଂହା, ସିନ୍ଦୁରପଙ୍କ ନିକଟସ୍ଥ ବାଉଁଶବୁଦା, ଧମା ରୋଡ଼ର ମହାନଦୀ କୂଳ, ଧମା ନିକଟସ୍ଥ ଲରାସରା, ଡ୍ୟାମକଟା, ମାନେଶ୍ୱର ନିକଟସ୍ଥ ବଲାଲଙ୍ଗା ଝରଣା ଏବଂ ଯୁଯୁମୁରା ନିକଟସ୍ଥ ଦେଓଝରଣ ଝରଣା ଓ କ୍ଷୁଦ୍ର ଜଳାଶୟରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିଭଳି କୁଚିଣ୍ଡାର ଗୁଦଗୁଦା ଜଳପ୍ରପାତ, ଜମନକିରାର ବଡ଼ରମା ପ୍ରଭୃତି ସ୍ଥାନ ମଧ୍ୟ ବଣଭୋଜି ପାଇଁ ଆକର୍ଷଣର ସ୍ଥଳ ପାଲଟିଛି। ସମ୍ବଲପୁର ସହର ମହାନଦୀ ଅପରପାଶ୍ୱର୍ରେ ମଧ୍ୟ ବିଶେଷ କରି ସ୍କୁଳ ଓ କଲେଜ ଛାତ୍ରଛାତ୍ରୀମାନେ ବଣଭୋଜି ପାଇଁ ପହଞ୍ଚିଛନ୍ତି।

ପିକନିକ୍ ଋତୁକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଖାସକରି ହୀରାକୁଦ ଡ୍ୟାମର ରାଇଟ୍ ଡାଇକ ଅଞ୍ଚଳରେ ପିକ୍ନିକ୍ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମଦକୁ ନିଷେଧ କରାଯିବା ସହିତ ପୋଲିସ ପେଟ୍ରୋଲିଂକୁ ବ୍ୟାପକ କରାଯାଇଥିବା ଜଣାପଡ଼ିଛି। ବୁର୍ଲାଦେଇ ହୀରାକୁଦ ଡ୍ୟାମ ଅଞ୍ଚଳକୁ ଯାଉଥିବା ଯାନବାହନଗୁଡ଼ିକୁ ପୋଲିସ ପକ୍ଷରୁ ଯାଞ୍ଚ କରାଯିବାକୁ ସ୍ଥିର କରାଯାଇଛି। ସମ୍ବଲପୁର ଜିଲ୍ଲାରେ ଥିବା କେତେକ ଆକର୍ଷଣୀୟ ସ୍ଥଳ ପର୍ଯ୍ୟଟନ କେନ୍ଦ୍ର ତାଲିକାରେ ରହିଥିବାରୁ ସେ ସ୍ଥାନମାନଙ୍କରେ ବଣଭୋଜି ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ମୌଳିକ ସୁବିଧା କରାଯାଇଛି। ତେବେ ହଜାର ହଜାର ପର୍ଯ୍ୟଟକ ଆସୁଥିବା ଅନ୍ୟ ପ୍ରାକୃତିକ ସ୍ଥଳ ମାନଙ୍କରେ ମଧ୍ୟ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହିତ ସମଲେଶ୍ୱରୀ, ବୁଢ଼ାରଜା, ମାନେଶ୍ୱର, ହୁମାର ବିମଳେଶ୍ୱର, ଚିପିଲିମାର ଘଣ୍ଟେଶ୍ୱରୀ, ବଡ଼ରମା, ହୀରାକୁଦ ଡ୍ୟାମର ନେହେରୁ ମିନାର, ଗାନ୍ଧି ମିନାର, ଜବାହାର ଉଦ୍ୟାନ ପ୍ରଭୃତି ସ୍ଥାନକୁ ଆସୁଥିବା ଦର୍ଶକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *