ଜିଲ୍ଲା ପରିକ୍ରମା

ଚୋରା କୋଇଲା ବ୍ୟବସାୟକୁ ରୋକିପାରୁନି ପୁଲିସ କୋର୍ଟରେ ଜାମିନ ଆବେଦନ କରିଦେଇ ପୂର୍ବପରି କୋଇଲା ଚୋରି, ୬୦ ବସ୍ତା କୋଇଲା ବୋଝେଇ ପିକ୍ଅପ ସମେତ ବାଇକ ଜବତ

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚୋରା କୋଇଲା ବ୍ୟବସାୟକୁ ନେଇ ଚାଲିଛି ଚୋର ପୁଲିସ ଖେଳ। ପୁଲିସ ଖବର ପାଇ ଚଢଉ କରୁଛି। ମାମଲା ରୁଜୁ କରୁଛି। ଅପରପକ୍ଷରେ କୋର୍ଟରେ ବେଲ୍ ପାଇଁ ଦରଖାସ୍ତ କରି ପୁଲିସକୁ ଚକ୍ମା ଦେଇ ଲୁଚିବୁଲୁଥିବା ଚୋରା କୋଇଲା ମାଫିଆମାନେ ପୂର୍ବପରି କୋଇଲା ଚାଲାଣ କରୁଛନ୍ତି। ତିହିଡି ପୁଲିସ ପୁଣି ଏକ କୋଇଲା ବୋଝେଇ ପିକ୍ଅପ ସମେତ ଏକ ବାଇକକୁ ଜବତ କରିଛି। ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ତିହିଡି ପୁଲିସ ନୂଆନନ୍ଦ ଓ ସେରପୁର ଅଞ୍ଚଳରେ ଚଢଉ କରିଥିଲା। ତେବେ ଦୁଇଟି କୋଇଲା ବୋଝେଇ ପିକ୍ଅପ ଖସିଯାଇଥିବା ବେଳେ ଗୋଟିଏ ପିକ୍ଅପ କିନ୍ତୁ ଯାଇପାରିନଥିଲା। ପୁଲିସ ସଂପୃକ୍ତ ପିକ୍ଅପ ଓ ଏହା ନିକଟରେ ଥିବା ଏକ ବାଇକକୁ ଘଟଣା ସ୍ଥଳରେ ଜବତ କରିଥିଲା। ପିକ୍ଅପରେ ୬୦ ବସ୍ତା ଚୋରା କୋଇଲା ଭର୍ତ୍ତି ହୋଇଥିଲା। ପ୍ରତି ବସ୍ତାରେ ୬୦ କିଲୋଗ୍ରାମ କୋଇଲା ରହିଛି। ତେବେ ସଂପୃକ୍ତ ପିକ୍ଅପଟି ଖରାପ ହୋଇଯିବା ଫଳରେ ପୁଲିସ ଦିନଭରି ଏଠାରେ ଗାଡିଟିକୁ ଜଗିରହି ରାତିରେ ଏକ ଟ୍ରାକ୍ଟର ସାହାଯ୍ୟରେ ଟାଣିଟାଣି ଥାନାକୁ ଆଣିଛି। ଏ ନେଇ ଏକ ମାମଲା ରୁଜୁ ହୋଇଛି। ସୂଚନା ଯୋଗ୍ୟ, ତିହିଡିର ନୂଆନନ୍ଦ, ଜିଝାରପୁର ଓ ସେରପୁର ଆଦି ଅଞ୍ଚଳରେ ଚଳନ୍ତା ଟ୍ରେନରୁ କୋଇଲା କଢାଯିବା ଘଟଣା ପୂର୍ବପରି ଚାଲୁରହିଛି। କିଛି ମାଫିଆ ସ୍ଥାନୀୟ ନାବାଳକ ଓ ଯୁବକମାନଙ୍କୁ ଏହି ବେଆଇନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ସେମାନେ କୋଇଲା କାଢିବା ପରେ ଏହି ମାଫିଆମାନେ ସେମାନଙ୍କ ନିକଟରୁ କୋଇଲା କିଣିକରି ପିକ୍ଅପ, ଟ୍ରକ ଆଦିରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top