ଜିଲ୍ଲା ପରିକ୍ରମା

ଚୋରା କୋଇଲା ଚାଲାଣକୁ ରୋକିବ କିଏ!

ଭଦ୍ରକ,୧୬ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଦିନ ଥିଲା ଘରେ ଚୁଲି ଜଳୁ ନଥିଲା, ଦୁଇ ଓଳି ଖାଇବା ଓ ପରିବାର ପ୍ରତିପୋଷଣ ଥିଲା କଷ୍ଟକର ବେପାର । ଏବେ ସମୟ ବଦଳିଛି, ସେହି ଘର ଆଗରେ ଏବେ ଅତ୍ୟାଧୁନିକ ମଟରଗାଡି ଠିଆ ହେଉଛି । ଭଦ୍ରକ- ଧାମରା ରେଳପଥ ପାଶ୍ୱର୍ସ୍ଥ ଗ୍ରାମଗୁଡିକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ୭ ବର୍ଷ ଧରି ଏହି ଅଞ୍ଚଳରେ ଚୋରା କୋଇଲା କାରବାର ଏବେ ସମସ୍ତ ସୀମା ଟପି ଯାଇଛି । ରେଳପଥ ପାଶ୍ୱର୍ସ୍ଥ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ଖୁଣ୍ଟି ଉପରକୁ ଚଢି ଆଙ୍କୁଡା ସାହାଯ୍ୟରେ ମାଲବାହୀ ଟ୍ରେନରୁ କୋଇଲା ଚୋରି ଘଟଣା ପଲ୍ଲୀରୁ ଯାଇ ଦିଲ୍ଲୀରେ ପହଞ୍ଚିଲାଣି । ମାତ୍ର ପୁଲିସ ସାମାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏବେ ନିରବ ବସିଛି । ଫଳରେ ଏହି ଚୋରା କୋଇଲା ବେପାର ମହାମାରୀ ପରି ବ୍ୟାପିଲାଣି । ସନ୍ଧ୍ୟା ପରେ ରେଳପଥ ପାଶ୍ୱର୍ରେ ଜନଗହଳି ଦେଖିବାକୁ ମିଳେ । ପିକ୍ଅପ ଏବଂ ଏବେ ଦଶ ଚକିଆ ଟ୍ରକରେ ନିଦ୍ୱର୍ନ୍ଦ୍ୱରେ ଏହି ଚୋରା କୋଇଲା କାରବାର ଚାଲୁଛି । ଫଳରେ ଗ୍ରାମାଞ୍ଚଳରେ ଏବେ ଦିନ ମଜୁରିଆ ମିଳିବା କଷ୍ଟକର ବେପାର ହୋଇପଡିଛି । ବିଦ୍ୟାଳୟକୁ ପିଲାମାନେ ନଯାଇ ଏହି କୋଇଲା ଗୋଟାଇବାରେ ବ୍ୟସ୍ତ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି କୋଇଲା ମାଫିଆଙ୍କ ପଛରେ ସ୍ଥାନୀୟ ପୁଲିସ ସହିତ କେତେକ ପଞ୍ଚାୟତ ସ୍ତରୀୟ ନେତାଙ୍କ ହାତ ଥିବା ଅଭିଯୋଗ ହୋଇଛି । ବନ୍ଦର ତରଫରୁ ନିଯୋଜିତ ସୁରକ୍ଷାକର୍ମୀମାନେ ମଧ୍ୟ ସବୁ ଦେଖି ନଦେଖିଲା ଭଳି ଅଭିନୟ କରୁଛନ୍ତି । କେବଳ ସେତିକି ନୁହେଁ ମାଲବାହୀ ଟ୍ରେନର ଡ୍ରାଇଭରମାନେ ମଧ୍ୟ ଏଥିରେ ସଂପୃକ୍ତ ଥିବା ଅଭିଯୋଗ ଉଠୁଛି । କେବଳ ସ୍ଥଳପଥ ନୁହେଁ, ଜଳ ପଥରେ ମଧ୍ୟ ଏହି କୋଇଲା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ଏହି ଅଞ୍ଚଳରେ ପ୍ରବାହିତ ମନ୍ତେଇ, ବୈତରଣୀ ଓ ସାଳନ୍ଦୀ ନଦୀର ବିଭିନ୍ନ ଘାଟମାନଙ୍କରେ ବିଳମ୍ବିତ ରାତିରେ ଭୁଟ୍ଭୁଟିରେ ବେଧଡକ ଚୋରା କାରବାର ଚାଲୁଛି । ଅଭିଯୋଗ ହେଲେ ପୁଲିସ ଚଢଉ କରି ମାମଲା ରୁଜୁ କରେ । ପରେ ଯଥା ପୂର୍ବଂ, ତଥା ପରଂ । କୌତୁହଳର କଥା ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବିଭିନ୍ନ ସ୍ଥାନରେ ତନଖି ଫାଟକ ପ୍ରତିଷ୍ଠା ହୋଇଛି । ଏମାନଙ୍କ କାମ ହେଉଛି ମାଲବାହୀ ଗାଡିରୁ ଚାଲାଣ କାଟିବା । ମାତ୍ର ଏହି ଫାଟକ କର୍ମଚାରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଉଠିଛି । ନିକଟରେ ଧାମରା ବନ୍ଦର ପରିବେଶ ଜନିତ ଜନଶୁଣାଣି ଶିବିରରେ ଉପସ୍ଥିତ ଥିବା ଭଦ୍ରକ ଜିଲାପାଳଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳରେ କିଛି ବୁଦ୍ଧିଜୀବୀ ଏହି ଚୋରା କୋଇଲା ଚାଲାଣକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଏହି ଚୋରା କୋଇଲା କାରବାରର ଅନ୍ତ କେବେ ହେବ ତାହା ସମୟ ହିଁ କହିବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top