ଚିଲିକାର ଡଙ୍ଗା ଲାଇସେନ୍ସ ନ ଦେଇ ରାଜ୍ୟ ସରକାର ଗରୀବ ପେଟକୁ ଗୋଇଠା ମାରୁଛନ୍ତି : ବିଜେପି

– ଚିଲିକାରେ ଏଭଳି ଅଚଳାବସ୍ଥା ତୁରନ୍ତ ଦୁର କରିବା ପାଇଁ ପରିବହନ ବିଭାଗ, ଚିଲିକା ଉନ୍ନୟନ ପରିଷଦ (ସିଡିଏ), ଜିଲ୍ଲା ପ୍ରଶାସନ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଉଛି
– ଏକ ସପ୍ତାହ ଭିତରେ କୈାଣସି ପଦକ୍ଷେପ ନ ନିଆଯାଏ, ତେବେ ଡଙ୍ଗା ମାଲିକ ଓ ଚାଳକମାନଙ୍କର ଆନ୍ଦୋଳନରେ ଭାରତୀୟ ଜନତା ପାର୍ଟି ସାମିଲ ହେବ

ଭୁବନେଶ୍ୱର, ୨୯/୦୮(ଓଡ଼ିଆ ପୁଅ): ଚିଲିକା ଡଙ୍ଗା ଦୁର୍ଘଟଣା ଆଳରେ ଡଙ୍ଗା ମାଲିକ ଏବଂ ଚାଳକଙ୍କ ଜୀବନ ଜୀବିକାକୁ କୈାଣସି ମତେ ଧ୍ୱଂସ କରିବାକୁ ଦିଆଯିବ ନାହିଁ ବୋଲି ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

ଚିଲିକାରେ ଡଙ୍ଗା ଦୁର୍ଘଟଣା ହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ଗହନ ନିଦରେ ଶୋଇଥିଲେ ଏବଂ ଦୁର୍ଘଟଣା ଘଟିବା ପରେ ନିଜ ଅପାରଗତାକୁ ଲୁଚାଇବା ପାଇଁ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ଚିଲିକାରେ ବୋଟ ଓ ଡଙ୍ଗା ଚଳାଚଳ ସଂପୂର୍ଣ୍ଣ ବନ୍ଦ କରି ଦେଇ ଦୈନିକ ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରାଉଛନ୍ତି। ଏପରିକି ବୋଟ ମାଲିକ ଏବଂ ବୋଟ ଚାଳକମାନଙ୍କର ଜୀବନ ଜୀବିକାକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଅନ୍ୟ ପଟେ ବୋଟଗୁଡିକୁ ଫିଟନେସ ଲାଇସେନ୍ସ ଦେବା ଆଳରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଯାଇଛନ୍ତି। ଆଇ.ଡବ୍ଲ୍ୟୁ.ଏ.ଆଇ ତରଫରୁ ଫିଟନେସ୍ ସାର୍ଟିଫିକେଟ ଦେବା ପାଇଁ ତୁରନ୍ତ କୈଣସି ସଂସ୍ଥାକୁ ଦାୟୀତ୍ୱ ଦେବାକୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚିଠି ଲେଖାଯଅଇଥିଲେ ସୁଦ୍ଧା ଜିଲ୍ଲାପାଳ ଏବଂ ଅନ୍ୟମାନଙ୍କର ଅପାରଗତା କାରଣରୁ ବର୍ତମାନ ପର୍ଯ୍ୟନ୍ତ ଡଙ୍ଗାମାନଙ୍କୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇପାରିନାହିଁ। ଏହା ଦ୍ୱାରା କେବଳ ଚିଲିକା ଉପରେ ନିର୍ଭର କରୁଥିବା ବହୁ ଲୋକଙ୍କୁ ହତୋତ୍ସାହିତ ଓ ନିରାଶ କରିନାହିଁ ବରଂ ତତ୍ ସହିତ ବିଭିନ୍ନ ଅଂଚଳରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ହତାଶ କରିଛି। ଚିଲିକାର ଡଙ୍ଗା ଲାଇସେନ୍ସ ନଦେଇ ରାଜ୍ୟ ସରକାର ଗରୀବ ପେଟକୁ ଗୋଇଠା ମାରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଚିଲିକାରେ ଏଭଳି ଅଚଳାବସ୍ଥା ତୁରନ୍ତ ଦୁର କରିବା ପାଇଁ ପରିବହନ ବିଭାଗ, ଚିଲିକା ଉନ୍ନୟନ ପରିଷଦ (ସିଡିଏ), ଜିଲ୍ଲା ପ୍ରଶାସନ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଉଛି ଏବଂ ଯଦି ଆସନ୍ତା ଏକ ସପ୍ତାହ ଭିତରେ କୈାଣସି ପଦକ୍ଷେପ ନ ନିଆଯାଏ, ତେବେ ଡଙ୍ଗା ମାଲିକ ଓ ଚାଳକମାନଙ୍କର ଆନ୍ଦୋଳନରେ ଭାରତୀୟ ଜନତା ପାର୍ଟି ସାମିଲ ହେବ ଘୋଷଣ କରିବା ସହ ଉଭୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏହାର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *