ଚିପ୍ସ ଯାଞ୍ଚ: ୬ ପେଟ୍ରୋଲ ପମ୍ପ୍ ରେ ଚଢ଼ଉ

ସମ୍ବଲପୁର, ୩/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ପେଟ୍ରୋଲ ପମ୍ପଗୁଡିକରେ ଗ୍ରାହକଙ୍କୁ ବିଭିନ୍ନ ଭାବରେ ଠକେଇ ହେବା ଓ ଚିପ୍ସ ବ୍ୟବହାର କରି ଗ୍ରାହକଙ୍କୁ କମ୍ ପରିମାଣର ପେଟ୍ରୋଲ ଦେବା ନେଇ ଅନେକ ଅଭିଯୋଗ ରହିଛି। ଏଭଳି ଘଟଣାକୁ ରୋକିବା ପାଇଁ ଆଜି ଏସ୍ପି ସଞ୍ଜୀବ ଅରୋରାଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ମିହିର ପଣ୍ଡାଙ୍କ ନେତୃତ୍ୱରେ ଦୁଇଟି ଦଳ ସହରର ବିଭିନ୍ନ ସ୍ଥାନରେ ଥିବା ୬ଟି ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରି ଯାଞ୍ଚ କରିଛନ୍ତି। ଚଢ଼ଉ ବେଳେ ସମସ୍ତ ପେଟ୍ରୋଲ ପମ୍ପରେ କୌଣସି ଅନିୟମିତତା ହୋଇନଥିବା ଏସ୍ଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ସମୟରେ ବିଭିନ୍ନ ସ୍ଥାନରେ ଏହି ଚଢ଼ଉ ହୋଇଥିଲା। ଚଢ଼ଉବେଳେ ଉପସ୍ଥିତ ଥିବା ଯୋଗାଣ ବିଭାଗର ଏସିଏସ୍ଓ ଶିଶିର କୁମାର ଦାଶଙ୍କ ସୂଚନା ଅନୁଯାୟୀ ବିଭାଗ ପକ୍ଷରୁ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠିକ୍ ମାପରେ ପେଟ୍ରୋଲ ଦିଆଯାଉଛି କି ନାହିଁ ତାହା ତଦାରଖ କରାଯାଇଥିଲା। ପେଟ୍ରୋଲ କମ୍ପାନୀ ପକ୍ଷରୁ ଆସିଥିବା ଅଧିକାରୀ ପମ୍ପରେ କୌଣସି ପ୍ରକାର ଚିପ୍ସ୍ ବ୍ୟବହାର କରିଛନ୍ତି କି ନାହିଁ ତାହା ତଦାରଖ କରୁଛନ୍ତି। ଓଜନ ଓ ମାପ ବିଭାଗ ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀଙ୍କ ସୂଚନା ଅନୁଯାୟୀ କମ୍ପାନୀ ପକ୍ଷରୁ ପେଟ୍ରୋଲ ପମ୍ପରେ ଲଗାଯାଇଥିବା ସିଲ ଓ ଚିପ୍ସଗୁଡିକ ଠିକ ଅଛିକି ନାହିଁ ତଦାରଖ କରୁଛୁ। ଯାଞ୍ଚ ପରେ କମ୍ପାନୀ ଚିପ୍ସ୍ରେ କୌଣସି ଟାମ୍ପରିଂ କିମ୍ବା ବଦଳ କରାଯାଇ ନାହିଁ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ଯୋଗାଣ ଭିଜିଲାନ୍ସ ବିଭାଗ, ପେଟ୍ରୋଲ ଯୋଗାଣକାରୀ ସଂସ୍ଥା ଆଓସିଏଲ୍ ଓ ବିପିସିଏଲର ଅଧିକାରୀ ଉପସ୍ଥିତ ଥିଲେ। ପୋଲିସ ସୂଚନା ଅନୁଯାୟୀ ଜେଲଖାନା ଛକ ନିକଟ, ମୁଦିପଡାଛକ, ସିନ୍ଦୁରପଙ୍କ, ଗୋବିନ୍ଦତୋଲା, କେନଘାଟି ଏବଂ ଦୁର୍ଗାପାଲିସ୍ଥିତ ପେଟ୍ରୋଲ ପମ୍ପରେ ଏହି ଚଢ଼ଉ ହୋଇଥିଲା। ଆଗକୁ ମଧ୍ୟ ଅଚାନକ ଭାବେ ଅନ୍ୟାନ୍ୟ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ ଅବ୍ୟାହତ ରହିବ।

Leave a Reply

Your email address will not be published. Required fields are marked *