ଖୋର୍ଦ୍ଧା

“ଚିନ୍ମୟ ବିଚାର ମନ୍ଥନ” ର ଆୟୋଜନ

ଭୁବନେଶ୍ୱର, ତା ୪ା୫ (ଓଡ଼ିଆ ପୁଅ): ଚିନ୍ମୟ ମିଶନର ପ୍ରତିଷ୍ଠାତା ଗୁରୁଦେବ ପରମପୂଜ୍ୟ ସ୍ୱାମୀ ଚିନ୍ମୟାନନ୍ଦଙ୍କର ୧୦୨ତମ ଜୟନ୍ତୀ ପାଳନ ଅବସରରେ ଚିନ୍ମୟ ମିଶନ, ଭୁବନେଶ୍ୱର ତରଫରୁ ରବିନ୍ଦ୍ରମଣ୍ଡପ ଭୁବନେଶ୍ୱରଠାରେ ମଇ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୭ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ୩ଦିବସୀୟ ଆଧ୍ୟାତ୍ମିକ ଆଲୋଚନାଚକ୍ର “ଚିନ୍ମୟ ବିଚାର ମନ୍ଥନ”ର ଆୟୋଜନ କରାଯାଇଛି। ଯାହାର ବିଷୟବସ୍ତୁ ହେଲା – ‘ପ୍ରାଚୀନ ଜ୍ଞାନ ଓ ଆଧୁନିକ ଜୀବନ’। ବାଇବେଲ୍, ଗୀତା, କୋରାନ୍ ରେ ବର୍ଣ୍ଣିତ କର୍ମ, ଭକ୍ତି ଓ ଜ୍ଞାନ ସମ୍ପର୍କରେ ବିଶିଷ୍ଟ ବକ୍ତାଙ୍କର ପ୍ରବଚନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ମଇ ୬ ତାରିଖ ପ୍ରଥମ ସନ୍ଧ୍ୟାରେ ଆଲୋଚ୍ୟ ବିଷୟ ହେଲା, ‘କର୍ମ’ (ସେବା)। ବକ୍ତାମାନେ, ଗୀତା, ବାଇବେଲ୍ ଓ କୋରାନ୍ ବର୍ଣ୍ଣିତ ‘କର୍ମ’ ସମ୍ବନ୍ଧରେ ସେମାନଙ୍କର ମତାମତ ଓ ଅଭିଜ୍ଞତା ଶ୍ରୋତାମଣ୍ଡଳୀଙ୍କୁ ଜଣାଇବେ। ପ୍ରଥମ ସନ୍ଧ୍ୟାରେ ବକ୍ତାମାନେ ହେଲେ ରାମକୃଷ୍ଣ ମିଶନ, ଭୁବନେଶ୍ୱରର ସମ୍ପାଦକ ସ୍ୱାମୀ ଆତ୍ମପ୍ରଭା ନନ୍ଦ, ମିସ୍ ନାରୀଜ୍ ଅଫ୍ ଚାରିଟି, ମଦରଟେରେସା, ଭୁବନେଶ୍ୱରର ସିଷ୍ଟର ଓଲିଭେଟ୍ ଓ ଇକ୍ରା ରିସର୍ଚ୍ଚ ଏକାଡେମୀ, କଟକର ସକିଲ୍ ଅହମ୍ମଦ। ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମ ପରିଚାଳନା କରିବେ ଢେଙ୍କାନାଳ ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ସର୍ବପ୍ରିୟା ନନ୍ଦ।

ମଇ ୭ତାରିଖ ଦ୍ୱିତୀୟ ସନ୍ଧ୍ୟାରେ ଆଲୋଚ୍ୟ ବିଷୟ ହେଲା ‘ଭକ୍ତି’ (ଶାଶ୍ୱତ ପ୍ରେମ)। ବକ୍ତାମାନେ, ଗୀତା, ବାଇବେଲ୍ ଓ କୋରାନ୍ ରେ ବର୍ଣ୍ଣିତ ‘ଭକ୍ତି’ ସମ୍ବନ୍ଧରେ ସେମାନଙ୍କର ମୂଲ୍ୟବାନ ଅଭିବ୍ୟକ୍ତି ପ୍ରଦାନ କରିବେ। ଦ୍ୱିତୀୟ ସନ୍ଧ୍ୟାର ବକ୍ତାମାନେ ହେଲେ ପ୍ରାକ୍ତନ ସମ୍ପାଦକ ଅହମ୍ମଦିଆ ମୁସ୍ ଲିମ୍ କମ୍ୟୁନିଟିର ଏସ୍ .ଏନ୍ . ଅହମ୍ମଦ, ୟୁନିଅନ୍ ଚର୍ଚ୍ଚ, ଭୁବନେଶ୍ୱରର ସଂଜୟ କୁମାର ଦାସ ଓ ଇସ୍ କନ୍, ଭୁବନେଶ୍ୱରର ଶ୍ରୀପାଦ ନାମାଚାର୍ଯ୍ୟ ଦାସ। କାର୍ଯ୍ୟକ୍ରମ ପରିଚାଳନା କରିବେ କଟକ ଚିନ୍ମୟ ମିଶନର ମୁଖ୍ୟ କୃଷ୍ଣ ପ୍ରେମାନନ୍ଦ।

ମଇ ୮ ତାରିଖ ଅନ୍ତିମ ସନ୍ଧ୍ୟାରେ ଆଲୋଚ୍ୟ ବିଷୟ ହେଲା ‘ଜ୍ଞାନ’ (ନିଜକୁ ଚିହ୍ନ)। ବକ୍ତାମାନେ ଗୀତା, ବାଇବେଲ୍ ଓ କୋରାନ୍ ରେ ବର୍ଣ୍ଣିତ ‘ଜ୍ଞାନ’ ବିଷୟରେ ମତାମତ ଶ୍ରୋତାମଣ୍ଡଳୀକୁ ଅବଗତ କରାଇବେ। ତୃତୀୟ ସନ୍ଧ୍ୟାରେ ବକ୍ତାମାନେ ହେଲେ ନିର୍ଦ୍ଦେଶକ, ବ୍ରହ୍ମକୁମାରୀଜ୍, ଭୁବନେଶ୍ୱର ସବ୍ ଜୋନ୍ ର ରାଜଯୋଗିନୀ ବ୍ରହ୍ମକୁମାରୀ ଲୀନା, ମସ୍ ଜିଦ୍ ଉମର ଫାରୁକ୍, ଭୁବନେଶ୍ୱରର ସମ୍ପାଦକ କୁଦରତ୍ ଅଲ୍ଲୀ ଖାନ୍ ଓ ବରିଷ୍ଠ ପାଦ୍ରୀ କ୍ୟାଥଲିକ୍ ଚର୍ଚ୍ଚ, କଟକର ଫାଦର କାସିଆନ୍ ପରିଚ୍ଛା। ତୃତୀୟ ତଥା ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମ ପରିଚାଳନା କରିବେ ରାଜ୍ୟ ଚିନ୍ମୟମିଶନ ଆଞ୍ଚଳିକ ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top